Home Health ୧୭ଲକ୍ଷରୁ ଅଧିକ ନେବେ ବୁଷ୍ଟର ଡୋଜ୍‍

୧୭ଲକ୍ଷରୁ ଅଧିକ ନେବେ ବୁଷ୍ଟର ଡୋଜ୍‍

ଭୁବନେଶ୍ୱର : ରାଜ୍ୟରେ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ୍‍ ପ୍ରଦାନ ଆରମ୍ଭ ହେଉଥିବାବେଳେ ୧୭ଲକ୍ଷରୁ ଅଧିକ ଲୋକଙ୍କୁ ଏହା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏମାନଙ୍କ ମଧ୍ୟରେ ୧୦ଲକ୍ଷରୁ ଅଧିକ ହେଉଛନ୍ତି ବହୁବିଧ ରୋଗରେ ପୀଡିତ ଥିବା ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ।

କୋଭିଡ-୧୯ର ମୁକାବିଲାଗି ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍‍ କର୍ମକର୍ତ୍ତାଙ୍କ ସହିତ ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ କି ବହୁବିଧ ରୋଗରେ ପୀଡିତ ସେମାନଙ୍କୁ ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ୍‍ ପ୍ରଦାନ କରାଯିବ । ଯେଉଁବ୍ୟକ୍ତିମାନେ କୋଭିଡ ଟିକାର ଦୁଇ ଡୋଜ୍‍ ନେବାର ୩୯ ସପ୍ତାହ ପୂରଣ କରିଥିବେ ସେମାନେ ଏହି ବୁଷ୍ଟର ଡୋଜ୍‍ ନେଇପାରିବେ ।

ତଦନୁଯାୟୀ ରାଜ୍ୟ ସରକାର ମୋଟ୍‍ ୧୭,୫୨,୮୨୯ଜଣଙ୍କୁ ବୁଷ୍ଟର ଡୋଜ୍‍ ଦେବାପାଇଁ ଲକ୍ଷ୍ୟ ରଖିଛନ୍ତି । ଏମାନଙ୍କ ମଧ୍ୟରେ ୩,୫୩,୧୭୩ଜଣ ସ୍ୱାସ୍ଥ୍ୟକର୍ମୀ ଥିବାବେଳେ ୩,୫୨,୨୬୫ଜଣ ଫ୍ରଣ୍ଟଲାଇନ୍‍ ୱାର୍କର ଏବଂ ଏକାଧିକ ରୋଗରେ ପୀଡିତ ୬୦ବର୍ଷରୁ ଅଧିକ ବୟସର ୧୦,୪୭,୪୦୦ ଜଣ ରହିଥିବା ଜଣାଯାଇଛି । ଏକାଧିକ ରୋଗରେ ପୀଡିତ ଲୋକଙ୍କୁ ବୁଷ୍ଟରଡୋଜ୍‍ ନେବା ସମୟରେ ଡାକ୍ତରୀ ସାର୍ଟିଫିକେଟ ଦାଖଲ ଆବଶ୍ୟକ ହେବନାହିଁ ।

ବୁଷ୍ଟର ଡୋଜ୍‍ ନେବାପାଇଁ କୋ-ୱିନ୍‍ ପୋର୍ଟାଲ ଜରିଆରେ ପଞ୍ଜିକରଣ କରିବାକୁ ପଡିବ ଏବଂ ସମ୍ପୃକ୍ତ ବ୍ୟକ୍ତି ପୂର୍ବରୁ ଦୁଇଟି ଡୋଜ୍‍ ନେବାପାଇଁ ଖୋଲିଥିବା ଆକାଉଣ୍ଟ ଜରିଆରେ ବୁଷ୍ଟରଡୋଜ୍‍ ପାଇଁ ପଞ୍ଜିକୃତ ହୋଇପାରିବେ । କୋ-ୱିନ୍‍ ପୋର୍ଟାଲରେ ବୁଷ୍ଟରଡୋଜ୍‍ ପାଇଁ ପଞ୍ଜିକରଣ କରିବାପରେ ହିତାଧିକାରୀଙ୍କ ନିକଟକୁ ଏକ ଏସ୍‍ଏମ୍‍ଏସ୍‍ ଯିବ ଯେଉଁଥିରେ କେଉଁଦିନ ଏହି ଟିକା କେତେବେଳେ ନିଆଯାଇ ପାରିବ ତାହା ଉଲ୍ଲେଖ ରହିବ ।

ଇତି ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଟିକା ନେଇନଥିବା ଲୋକଙ୍କୁ ଘରକୁ ଘର ଖୋଜା ଚାଲିଛି । ଏହା ଗତବର୍ଷ ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଛି । ରାଜ୍ୟରେ ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ କର୍ତ୍ତୃପକ୍ଷ ଗାଁ ଗହଳରେ ୩୨୭୨ ଭ୍ରାମ୍ୟମାଣ ଟିକାକରଣ ଟିମ୍‍ ମୁତୟନ କରିଛନ୍ତି ।

କ୍ଷେତ୍ର ସ୍ତରରେ ଥିବା କର୍ମୀ ଯଥା ଆଶା, ଅଙ୍ଗନବାଡିକର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠି, ପଞ୍ଚାୟତିରାଜ ଅନୁଷ୍ଠାନ କର୍ମକର୍ତ୍ତା, ସ୍ଥାନୀୟ ଏନ୍‍ଜିଓଙ୍କୁ ଟିକାକରଣ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉଛି । ଘରକୁ ଘର ଚାଲିଥିବା ଏହି ଟିକାକରଣ ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରତଦିନ ସଂଧ୍ୟାରେ ସମୀକ୍ଷା କରୁଥିବାବେଳେ ରାଜ୍ୟ ସରକାର ସପ୍ତାହାକୁ ଦୁଇଥର ଏହାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରୁଛନ୍ତି । (ତଥ୍ୟ)