Home Infrastructure ୧୧୪ ପୌରାଞ୍ଚଳରେ ନିର୍ମାଣ ହେବ ପାର୍କ, ଜିମ୍‍

୧୧୪ ପୌରାଞ୍ଚଳରେ ନିର୍ମାଣ ହେବ ପାର୍କ, ଜିମ୍‍

ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ପୌରାଞ୍ଚଳରେ ଛୋଟ ଛୋଟ ପାର୍କ ନିର୍ମାଣ ହେବ । ଏଥି ସହିତ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପଯୋଗୀ ଲାଗି ରାସ୍ତାକଡରେ ମୁକ୍ତାକାଶ ଜିମ୍‍ ଏବଂ ବର୍ତ୍ତମାନ ଥିବା ପାର୍କରେ ମଧ୍ୟ ଜିମ୍‍ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଭିଜନକୁ କାର୍ଯ୍ୟକାରୀ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର (ମୁକ୍ତା) ଯୋଜନାରେ ଏହିସବୁ କାର୍ଯ୍ୟ ହାତକୁ ନେଇଛି ।

ପ୍ରକଳ୍ପ କାର୍ଯ୍ୟକାରିତା ସଂକ୍ରନ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସହରାଞ୍ଚଳ ପ୍ରକଳ୍ପ ଅଧିକାରୀଙ୍କୁ ଅବଗତ କରାଯାଇଛି । ଏଥି ସହିତ ପ୍ରକଳ୍ପ କାର୍ଯ୍ୟ ପରିଚାଳନା ଓ ତଦାରଖ ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଏବଂ ମୁକ୍ତା ଯୋଜନାର ନୋଡାଲ ଅଫିସର ଶାରଦା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ୬ଜଣିଆ ରାଜ୍ୟ ସ୍ତରୀୟ ମନିଟରିଂ ଟିମ୍‍ ଗଠନ କରାଯାଇଛି ।

ମୁକ୍ତା ଯୋଜନାରେ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ଥିବା ୨୦୩୫ ୱାର୍ଡରେ ହେବାକୁ ଥିବା କାର୍ଯ୍ୟ ମଧ୍ୟରେ ଛୋଟ ଛୋଟ ପାର୍କ ନିର୍ମାଣ, ସହରର ଖୋଲାସ୍ଥାନ ଓ ପାର୍କ ଗୁଡିକରେ ବ୍ୟାୟାମ ପାଇଁ ଜିମ୍‍ ନିର୍ମାଣ, ଶିଶୁ ପାର୍କର ବିକାଶ ସହିତ ବର୍ତ୍ତମାନ ଥିବା ପାର୍କଗୁଡିକରେ ଶିଶୁଙ୍କ ଖେଳିବା ଲାଗି ଆବଶ୍ୟକ ସାଜ ସରଞ୍ଜାମ ଲଗାଇବା, ପାର୍କ ଗୁଡିକରେ ଚାଲିବା ଓ ଜଗିଂ ପାଇଁ ଟ୍ରାକ ନିର୍ମାଣ କରିବାକୁ କୁହାଯାଇଛି ।

ଏଥି ସହିତ ପୌରାଞ୍ଚଳଗୁଡିକରେ ନୂଆ ଜଳ ଉତ୍ସ ଉପଲବ୍ଧ କରାଯିବ । ସେହିଭଳି ସହରାଞ୍ଚଳରେ ବର୍ତ୍ତମାନ ଥିବା ଖେଳପଡିଆର ବିକାଶ ସହିତ ଖୋଲା ନାଳଗୁଡିକର ମରାମତି ଏବଂ ତାହାକୁ ଘୋଡାଇବାର ବ୍ୟବସ୍ଥା ହେବ । ଗ୍ରୀଷ୍ମ ଦିନରେ ଅଂଶୁଘାତର ମୁକାବିଲା ଲାଗି ରାସ୍ତାପାଶ୍ୱର୍ରେ ଏଥିପାଇଁ ସୁବିଧା ଉପଲବ୍ଧ କରାଯିବ । ଏହା ମାଧ୍ୟମରେ ମହାମାରୀ ସମୟରେ ସହରାଞ୍ଚଳରେ ଗରିବ, ଦିନମଜୁରିଆ ଏବଂ ପ୍ରବାଶୀ ଶ୍ରମିଙ୍କୁ ବ୍ୟାପକ କର୍ମନିଯୁକ୍ତି ମିଳିପାରିବ ।

ଏହିସବୁ କାର୍ଯ୍ୟର ତଦାରଖ ପାଇଁ ୫ଟି ମହାନଗରନିଗମରେ ଅତିରିକ୍ତ କିମ୍ବା ଉପ କମିଶନରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯିବ । ଏହି ଅଧିକାରୀ ନିୟମିତ ଭାବେ ପ୍ରକଳ୍ପର କାର୍ଯ୍ୟର ତଦାରଖ କରିବେ । ସେହିଭଳି ସିଟି ଆଙ୍କରମାନେ ମହାନଗର ନିଗମ କମିଶନରଙ୍କ ସହିତ ଆଲୋଚନା କରି ନୋଡାଲ ଅଧିକାରୀଙ୍କ ନାମ ଓ ଅନ୍ୟାନ୍ୟ ବିସ୍ତୃତ ସୂଚନା ଦାଖଲ କରିବେ ।

ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରଥମେ ସ୍ଥାନ ଚିହ୍ନଟ ପରେ ୱାର୍ଡ ଓ ପୌରାଞ୍ଚଳ ସ୍ତରରେ କମିଟି ଗଠନ କରାଯିବ । ଯୋଜନା ପ୍ରସ୍ତୁତ ପରେ ପୌରାଞ୍ଚଳରୁ ଏହାକୁ ବୈଷୟିକ ଅନୁମୋଦନ ମିଳିବ । ପ୍ରଶାସନିକ ମଞ୍ଜୁରୀ ମିଳିଲା ପରେ ପ୍ରକଳ୍ପ ଯୋଜନା ଚୂଡାନ୍ତ ହେବା ସହିତ କାର୍ଯ୍ୟାଦେଶ ପ୍ରଦାନ କରାଯିବ ।

ପ୍ରକଳ୍ପ କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ ଲାଗି ପ୍ରତ୍ୟେକର ଜିଓ ଟ୍ୟାଗିଂ ସହିତ ବ୍ରାଣ୍ଡିଂ କରାଯିବାର ଯୋଜନା ରହିଛି । ଏଥି ସହିତ ପ୍ରତି ସପ୍ତାହରେ ଏ ବାବଦୀୟ ପାଉଣା ପ୍ରଦାନ କରାଯିବ । ପ୍ରତ୍ୟେକ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ପୌର ନିର୍ଦ୍ଦେଶକ କିମ୍ବା ବିଭାଗୀୟ ପ୍ରମୁଖ ସଚିବ ପ୍ରତି ସପ୍ତାହରେ ସମୀକ୍ଷା କରିବେ ।

ଏଥି ସହିତ ରାଜ୍ୟସ୍ତରୀୟ ମନିଟରିଂ ଟିମ୍‍ ନିୟମିତ ଭାବେ ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟର ମନିଟରିଂ କରିବା ସହିତ ଏହା କିଭଳି ତୁରନ୍ତ କାର୍ଯ୍ୟକାରୀ ହେବ ସେ ଦିଗରେ ପଦକ୍ଷେପ ନେବେ । ତେବେ ମୁକ୍ତା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପରେ ସ୍ୱଚ୍ଛତା ଓ ଧାର୍ଯ୍ୟ ସମୟରେ କାର୍ଯ୍ୟାନ୍ୱୟନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । (ତଥ୍ୟ)