Home Judiciary ତିନିବର୍ଷ ତଳୁ ଆସିଲାଣି ସ୍ଥାନ ସଂରକ୍ଷଣ ରାୟ

ତିନିବର୍ଷ ତଳୁ ଆସିଲାଣି ସ୍ଥାନ ସଂରକ୍ଷଣ ରାୟ

ଭୁବନେଶ୍ୱର : ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ଲାଗି ସଂରକ୍ଷଣସୀମା ୫୦ ପ୍ରତିଶତ ଭିତରେ ସୀମିତ ରଖିବାପାଇଁ ତିନିବର୍ଷ ତଳୁ ସୁପ୍ରିମ୍‍କୋର୍ଟ ରାୟ ଦେଇସାରିଥିବାସ୍ଥଳେ ଏଯାବତ୍‍ ନୂଆ ସଂରକ୍ଷଣ ବ୍ୟବସ୍ଥା ଆଧାରରେ ସଂରକ୍ଷିତ ନିର୍ବାଚନମଣ୍ଡଳୀ ଚିହ୍ନିତ ହୋଇପାରିଲାନାହିଁ । ଫଳରେ ଶତାଧିକ ପୌରସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନଥିବାବେଳେ ବର୍ଷ ବର୍ଷ ଧରି ଅଫିସରମାନଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି ।

ନବଗଠିତ ନୂଆପଡା ଏନଏସି ନିର୍ବାଚନରେ ବିଭିନ୍ନ ବର୍ଗଙ୍କ ଲାଗି ସଂରକ୍ଷଣସୀମା ୫୦ ପ୍ରତିଶତ ଟପିଥିବାରୁ ଏହା ବିରୁଦ୍ଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ରାଜ୍ୟ ସରକାର ଓ ଅନ୍ୟ ପକ୍ଷମାନଙ୍କ ଶୁଣାଣି କରିବାପରେ ସଂରକ୍ଷଣସୀମା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ କହିବାରୁ ଏହା ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

୨୦୧୮ ସେପ୍ଟେମ୍ବର ମାସରେ ସୁପ୍ରିମ୍‍କୋର୍ଟ ଏକ ଐତିହାସିକ ରାୟ ଦେଇ ଓଡିଶା ହାଇକୋର୍ଟଙ୍କ ବିଚାରକୁ ଯଥାର୍ଥ ବୋଲି ଦର୍ଶାଇବା ସହିତ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତରେ ଅନୁସୂଚିତ ଜାତି ପାଇଁ ୧୬.୨୫ ପ୍ରତିଶତ ଓ ଜନଜାତିଙ୍କ ପାଇଁ ୨୨.୫ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି ।

ପୂର୍ବରୁ ସୁପ୍ରିମ୍‍କୋର୍ଟ ଦେଇଥିବା ଆଦେଶ ମୁତାବକ ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିଥିଲେ । ତେବେ ପରେ ପଛୁଆବର୍ଗଙ୍କ ସଂରକ୍ଷଣ ସୀମା ୨୭ପ୍ରତିଶତକୁ ବଢାଯିବା ଫଳରେ ଏହା ନିର୍ଦ୍ଧାରିତ ୫୦ ପ୍ରତିଶତ ସର୍ବୋଚ୍ଚ ସୀମାକୁ ଅତିକ୍ରମ କରିଥିଲା । କେବଳ ପୌର ନିର୍ବାଚନ ନୁହେଁ, ପଞ୍ଚାୟତିରାଜ ନିର୍ବାଚନ ପାଇଁ ବି ସରକାର ଅନୁରୂପ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସେହିପରି ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ୨୭ପ୍ରତିଶତକୁ ବଢାଯିବା ଫଳରେ ଏହା ବିରୁଦ୍ଧରେ ଆଇନ୍‍ ଅଦାଲତ ମତଦେବାରୁ ସରକାର ବାଧ୍ୟହୋଇ ତାହାକୁ ୧୧.୨୫ପ୍ରତିଶତକୁ ହ୍ରାସ କରିଛନ୍ତି ।

ଭୁବନେଶ୍ୱର ଓ କଟକ ମହାନଗର ନିଗମର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୧୯ ମସିହା ଜାନୁୟାରୀ-ଫେବୃୟାରୀରୁ ସରିଗଲାଣି । ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ବି ୨୦୧୮ ସେପ୍ଟେମ୍ବରରୁ ସରିଲାଣି । ଏହାଛଡା ରାଜ୍ୟର ସମସ୍ତ ପୌରସଂସ୍ଥାର କାର୍ଯ୍ୟକାଳ ଇତି ମଧ୍ୟରେ ଶେଷହୋଇ ସାରିଥିବାରୁ ପ୍ରଶାସକମାନଙ୍କ ନିୟନ୍ତ୍ରଣରେ ଏବେ ସମଗ୍ର ରାଜ୍ୟର ପୌର ପ୍ରଶାସନ ରହିଛି ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ବି ଆଉ ୮ମାସ ରହିଛି । ଏ ପରିପ୍ରେକ୍ଷୀରେ ଉଭୟ ପୌର ଓ ପଞ୍ଚାୟତିରାଜ ସଂସ୍ଥାରେ ନିର୍ବାଚନମଣ୍ଡଳୀ ପୁର୍ନଗଠନ ସହ ସୁପ୍ରିମ୍‍କୋର୍ଟଙ୍କ ଆଦେଶ ଆଧାରରେ ସଂରକ୍ଷଣ ଲାଗୁ କରାଯିବାକଥା । ଏହି ମର୍ମରେ ରାଜ୍ୟ ନିର୍ବାଚନ କମିଶନ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଚାଲିଛନ୍ତି । କିନ୍ତୁ ଏଯାବତ୍‍ ସଂରକ୍ଷଣର ଅଡୁଆସୂତା ଫିଟାଇ ନିର୍ବାଚନମଣ୍ଡଳୀଗୁଡିକର ପୁର୍ନଗଠନ କରାଯାଉନଥିବାରୁ କେବେ ପୌର ଓ ପଞ୍ଚାୟତ ନିର୍ବାଚନ ହେବ ତାହା କହିବା ମୁସ୍କିଲ । ଅବଶ୍ୟ ପ୍ରାୟ ଦେଢବର୍ଷ ଧରି କରୋନା ପାଇଁ ଏହି କାମ ଅଟକିଥିବା କୁହାଯାଉଛି । (ତଥ୍ୟ)