Home Agriculture ହାତ ଟେକିଦେଲା ଓମଫେଡ୍‍

ହାତ ଟେକିଦେଲା ଓମଫେଡ୍‍

ଭୁବନେଶ୍ୱର : ଚାଷୀଙ୍କ ଠାରୁ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ରେ ଦୁଗ୍ଧ କିଣିପାରିବ ନାହିଁ ବୋଲି କହି ଓମଫେଡ୍‍ ହାତଟେକି ଦେଇଛି । ଆଜି ଠାରୁ ଓମଫେଡ୍‍ ଦୁଗ୍ଧ ସଂଗ୍ରହ ବନ୍ଦ କରିଥିବାବେଳେ ଏହା ବିକ୍ରି ହୋଇନପାରିବାକୁ ବଡ କାରଣ ବୋଲି ଦର୍ଶାଇଛି ।

ଓମଫେଡ୍‍ ତାହାର ସମସ୍ତ ଜୋନର ସାଧାରଣ ପରିଚାଳକମାନଙ୍କୁ ପତ୍ର ଲେଖି ସାମୟିକ ଭାବେ ଦୁଗ୍ଧ ସଂଗ୍ରହ ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହିତ ଆଜିଠାରୁ ଏହାକୁ କାର୍ଯ୍ୟକାରୀ କରିଛି । ଓମଫେଡ୍‍ଦର୍ଶାଇଛି ଯେ ଦୁଗ୍ଧ ସଂଗ୍ରହ ପରିମାଣ ବୃଦ୍ଧି ପାଇ ଏବେ ଦୈନିକ ୫ଲକ୍ଷ ୪୫ହଜାର କିଲୋ ସଂଗ୍ରହ ହେଉଛି । ହେଲେ ଅନ୍ୟ ପକ୍ଷରେ ଓମ୍‍ଫେଡ୍‍ର ଦୁଗ୍ଧ ବିକ୍ରି ହ୍ରାସ ପାଇବାରେ ଲାଗିଛି ।

ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ସମୟରେ ବିକ୍ରି ପରିମାଣ ଦୈନିକ ୩.୭୫ଲକ୍ଷ ଲିଟରରୁ ହ୍ରାସ ପାଇ ୨ଲକ୍ଷ ଲିଟରରେ ପହଞ୍ଚିଛି । ସେହିଭଳି ବାହାରକୁ କ୍ଷୀର ପଠାଇ ଗୁଣ୍ଡ ଦୁଗ୍ଧ ପ୍ରସ୍ତୁତ କରିବା ମଧ୍ୟ ବ୍ୟୟବହୁଳ ହୋଇଯାଉଛି । ଓମଫେଡ୍‍ର ଦୁଗ୍ଧ ମହଜୁଦ କ୍ଷମତା ୯.୧ଲକ୍ଷ ଲିଟର ଥିବାବେଳେ ଏଠାରେ ଅଧିକ ଦୁଗ୍ଧକୁ ଦୀର୍ଘଦିନ ଧରି ମହଜୁଦ କରି ରଖାଯିବା ସମ୍ଭବପର ନୁହେଁ । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଦୁଗ୍ଧ ସଂଗ୍ରହକୁ ଓମଫେଡ୍‍ ବନ୍ଦକରି ଦେଇଛି ।

ତେବେ ଓମଫେଡ୍‍ ଦୁଗ୍ଧ ସଂଗ୍ରହ ବନ୍ଦ କରିବା ସହିତ ଅନ୍ୟ ଘରୋଇ ସଂସ୍ଥାମାନେ ମଧ୍ୟ ଓମଫେଡ୍‍ ରାସ୍ତାରେ ଯାଇ ଦୁଗ୍ଧ ସଂଗ୍ରହ ବନ୍ଦ କରିଛନ୍ତି । ଫଳରେ ରାଜ୍ୟର ଦୁଗ୍ଧଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଗଲେଣି । ଦୋକାନ ବଜାର ବନ୍ଦ ଥିବାରୁ ସେମାନଙ୍କ କ୍ଷୀରକୁ କ’ଣ କରିବେ ତାହା ଜାଣିପାରୁ ନାହାନ୍ତି । ପନିର କିମ୍ବା ଛେନା ଅଥବା ମିଠା ପ୍ରସ୍ତୁତ କଲେ ବି ତାହା ବିକ୍ରି ହୋଇପାରିବ ନାହିଁ ।

ଦୁଗ୍ଧ ଚାଷୀଙ୍କ ଏଭଳି ସ୍ଥିତି ପାଇଁ ଓମଫେଡ୍‍ ଦାୟୀ ବୋଲି କହିଛନ୍ତି ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା । ଶ୍ରୀ ବେହେରା କହିଛନ୍ତି ଯେ ମହାମାରୀ ସମୟରେ ଗୋପାଳନ କରି ଜୀବିବା ନିର୍ବାହ କରୁଥିବା ଲକ୍ଷାଧିକ ଚାଷୀ ଏବେ ବେରୋଜଗାର ହୋଇଯାଇଛନ୍ତି । ଗୁଣ୍ଡଦୁଗ୍ଧ ପ୍ରସ୍ତୁତି ପାଇଁ ୨୦୧୦ ମସିହାରୁ ଓମଫେଡ୍‍ କର୍ତ୍ତୃପକ୍ଷ ଶୁଭ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିଲେ ଓମଫେଡ୍‍ ଏବେ ବଳକା ଦୁଗ୍ଧରୁ ଗୁଣ୍ଡ ପ୍ରସ୍ତୁତ କରି ଅନ୍ୟ ରାଜ୍ୟକୁ ବିକ୍ରି କରିଥାନ୍ତା ।