Home General ସ୍ୱଚ୍ଛ ବିନ୍ଦୁସାଗର ପାଇଁ ୭୦ଲକ୍ଷ

ସ୍ୱଚ୍ଛ ବିନ୍ଦୁସାଗର ପାଇଁ ୭୦ଲକ୍ଷ

ଭୁବନେଶ୍ୱର : ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ବ୍ୟୟରେ ବିନ୍ଦୁ ସାଗରର ସଫେଇ କାର୍ଯ୍ୟ କରାଯିବ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଏନ୍ ଥୋରାଟ୍ ।

ଶ୍ରୀ ଥୋରାଟ୍ କହିଛନ୍ତି ଯେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)-ଇଣ୍ଡିଆନ ଅଏଲ(ଆଇଓସି) କ୍ୟାମ୍ପସ ଭୁବନେଶ୍ୱର ଏବଂ ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ମିଳିତ ଉଦ୍ୟମରେ ବହୁ ପ୍ରତିକ୍ଷୀତ ବିନ୍ଦୁ ସାଗର ପୁନଃଉଦ୍ଧାର କାମ କରାଯିବ । ଏହି ଅନୁଷ୍ଠାନର ତତ୍ୱାବଧାନରେ ଏହାର ବିଶେଷ ଜ୍ଞାନକୌଶଳରେ ବିନ୍ଦୁ ସାଗରରେ ବିଶେଷ ଯନ୍ତ୍ରପାତି ଲାଗିବ । ଏଚଡ଼ିସି ରିଆକଟର ସହ ୪ଟି ପମ୍ପିଂ ସିଷ୍ଟମ ବିନ୍ଦୁସାଗରରେ ଚତୁର୍ଦିଗରେ ଅବସ୍ଥାପିତ ହେବା ସହ ଖୁବ ଶୀଘ୍ର ବିନ୍ଦୁ ସାଗର ପବିତ୍ର ଜଳ ସ୍ୱଚ୍ଛ ଓ ନିର୍ମଳ ହୋଇଯିବ ।

ବର୍ତମାନର ବିନ୍ଦୁ ସାଗର ନୀଳ ରଙ୍ଗ ହୋଇ ଯାଇଥିବା ଜଳ ପରିଷ୍କାର ହେବ । ଏହା ଦ୍ୱାରା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍କରିଣୀର ପବିତ୍ରତାର ପ୍ରତୀକ ହେବ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହିମା ଓ ଗୌରବର ଗାଥାକୁ ସାରା ବିଶ୍ୱରେ ପହଁଚାଇବା ପାଇଁ ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଇଣ୍ଡିଆନ ଅଏଲ ସହଯୋଗରେ ଏପରି ଏକ ସବିନୟ ଉଦ୍ୟମ କରାଯାଇଛି ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ, ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ର, ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ଖଣି ଓ କୋଇଲା ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଏସ.ଏମ ବୈଦ୍ୟ, ଆଇସିଟି ମୁମ୍ବାଇ ଶିକ୍ଷାନୁଷ୍ଠାନର କୁଳପତି ଅନିରୁଦ୍ଧ ବାଲଚନ୍ଦ୍ର ପଣ୍ଡିତ ପ୍ରମୁଖ ଉପସ୍ଥିତ ରହିବେ ।