Home Education ସୋଆ ଏବଂ ଆଇସିଏସ୍‍ଆଇ ମଧ୍ୟରେ ବୁଝାମଣା

ସୋଆ ଏବଂ ଆଇସିଏସ୍‍ଆଇ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ କମ୍ପାନୀ ସେକ୍ରେଟାରୀଜ ଅଫ ଇଣ୍ଡିଆ (ଆଇ ସି ଏସ୍ ଆଇ ) ମଧ୍ୟରେ ରବିବାର ଏକ ବୁଝାମଣା ସ୍ୱାକ୍ଷରିିତ ହୋଇଛି ।

ଆଇ ସି ଏସ୍ ଆଇ ଅଧ୍ୟକ୍ଷ ଶ୍ରୀ ନଗେନ୍ଦ୍ର ଡି.ରାଓ ଏବଂ ସୋଆ କୁଳପତି ପ୍ରଫେସର ( ଡାକ୍ତର ) ଅଶୋକ କୁମାର ମହାପାତ୍ରଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ସ୍ୱାକ୍ଷର ହେବା ସମୟରେ ସୋଆ ଏବଂ ଆଇ.ସି.ଏସ.ଆଇର କର୍ମକର୍ତାଗଣ ଉପସ୍ଥିତ ଥିଲେ ।

ଏହି ବୁଝାମଣା ଦ୍ୱାରା ସୋଆ ଏବଂ ଆଇ.ସି.ଏସ.ଆଇର ମିଳିତ ସହଭାଗିତାରେ ଅନେକ ସେମିନାର ଓ ୱେବିନାର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ବୋଲି ଶ୍ରୀ ରାଓ କହିଛନ୍ତି ।

କର୍ପୋରେଟ ପରିଚାଳନା କ୍ଷେତ୍ରରେ ଆଇ.ସି.ଏସ୍‌.ଆଇ ହେଉଛି ବିଶ୍ୱର ସର୍ବବହୃତ ଅନୁଷ୍ଠାନ ଯିଏକି ଦେଶରେ ବର୍ଷକୁ ୫୦୦ରୁ ଅଧିକ ସେମିନାର ଓ କର୍ମଶାଳା ଦେଶରେ ଆୟୋଜନ କରିଥାଏ । ସୋଆର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନେ ଏହି କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେଇ ସେମାନଙ୍କ ଜ୍ଞାନ ଓ କୌଶଳ ବୃଦ୍ଧି କରିପାରିବେ ବୋଲି ସେ କହିଛନ୍ତି । ଏହି ବୁଝାମଣାରେ ଖୁସି ବ୍ୟକ୍ତ କରି ପ୍ରଫେସର ମହାପାତ୍ର କହିଛନ୍ତି ଯେ ଏହା ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶରେ ସହାୟକ ହେବ ।

ବୁଝାମଣା ଅନୁଯାୟୀ ଆଇ.ସି.ଏସ.ଆଇ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ସୋଆର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର ଓ ଗବେଷଣାରତ ସ୍କଲାରଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହିପରି ଅନ୍ୟ ସ୍ଥାନରେ ଆଇ.ସି.ଏସ୍‌.ଆଇ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମେମ୍ବର ଯୋଗ ଦେଇପାରିବେ । ଏହାଛଡା ସୋଆ ଏବଂ ଆଇ.ସି.ଏସ୍‌.ଆଇ ପରସ୍ପର ମଧ୍ୟରେ ପାଠ୍ୟକ୍ରମ, କେଶ ଷ୍ଟଡିସ୍‌, ରିସର୍ଚ୍ଚ ପବ୍ଳିକେସନ ଆଦାନପ୍ରଦାନ କରିବା ସହ ମିଳିତ ଭାବେ ବିଭିନ୍ନ ଗବେଷଣା କାର୍ଯ୍ୟ କରିବେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଓଙ୍କ ସମେତ ପରିଷଦର ସଦସ୍ୟ ଶ୍ରୀ ସନ୍ଦୀପ କୁମାର କେଜ୍ରିୱାଲ, ପୂର୍ବ ଭାରତ ଆଂଚଳିକ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁଧୀର କୁମାର ବନଥିୟା, ସଚିବ ଶ୍ରୀ ଆଶିଷ ମୋହନ ଏବଂ ଆଇ.ସି.ଏସ୍‌.ଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର କର, ଉପାଧ୍ୟକ୍ଷ ଶ୍ରୀ ଜ୍ୟୋର୍ତିମୟ ମିଶ୍ର ଏବଂ ସଂପାଦକ ଶ୍ରୀ ଅଜୟ କୁମାର ମାଝୀ ଉପସ୍ଥିତ ଥିଲେ ।

ସୋଆ ପକ୍ଷରୁ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ସଭାପତିଙ୍କ ପ୍ରମୁଖ ପରାମର୍ଶଦାତା ପ୍ରଫେସର ଡି. ପି ରାୟ, ଫ୍ୟାକଲ୍ଟି ଅଫ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ବିଶ୍ୱବିଦ୍ୟାଳୟ ଆଉଟରିଚ ପ୍ର୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ଚିଫ ଆଡମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପି.କେ ପଣ୍ଡା ଏବଂ ମାନବ ସମ୍ବଳ ଅଧିକାରୀ ଶ୍ରୀ ସିଦ୍ଧ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।