Home Environment ସୋଆରେ ୭୨ତମ ବନମହୋତ୍ସବ

ସୋଆରେ ୭୨ତମ ବନମହୋତ୍ସବ

ଭୁବନେଶ୍ୱର : କରୋନା ମହାମାରୀ ଏବଂ ତଦଜନିତ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି । “ଇଚ ୱାନ, ପ୍ଲାଣ୍ଟ ୱାନ’ (ଗୋଟିଏ ପିଲା, ଗୋଟିଏ ଗଛ) ସ୍ଲୋଗାନରେ ଅନୁପ୍ରାଣିତ ହୋଇ ପ୍ରାୟ ୫ଶହ ସ୍ୱେଚ୍ଛାସେବୀ ନିଜ ଘରର ଚତୁଃପାଶ୍ୱ ଏବଂ ନିକଟବର୍ତୀ ଅଂଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଛନ୍ତି ।

ବନମହୋତ୍ସବ ସପ୍ତାହ ଅବସରରେ ଜୁଲାଇ ୧ ରୁ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏଥି ନିମନ୍ତେ ଆୟୋଜିତ ୱେବିନାରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଯଦି ପ୍ରକୃତି ଡାଇନୋସୋର ଭଳି କେତେକ ପ୍ରଜାତିର ଜୀବକୁ ଲୋପକରିପାରେ ମଣିଷ ବା କାହିଁକି ନିଶ୍ଚିହ୍ନ ନହେବ? ଯେଉଁଭଳି ଭାବରେ ପାଣି ଓ ପବନ ଦୂଷିତ ହେବାରେ ଲାଗିଛି ଓ ଜଙ୍ଗଲ ସମ୍ପଦର କ୍ଷୟ ଘଟୁଛି, ସାବଧାନ ନହେଲେ ବଂଚିବା ଅସମ୍ଭବ ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

ଏହି ଅବସରରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଓଡ଼ିଶା ପରିବେଶ କଂଗ୍ରେସର ପ୍ରତିଷ୍ଠାତା ସମ୍ପାଦକ ସୁଦର୍ଶନ ଦାସ କହିଥିଲେ ଯେ ମଣିଷ ଆଜି ଛିଡା ହୋଇଛି ପ୍ରଶ୍ନର ଦୋଛକିରେ, ଆର୍ଥିକ ପ୍ରଗତି ଆଗେ ନା ପରିବେଶ ସୁରକ୍ଷା ଆଗେ? ଏହି ପ୍ରଶ୍ନର ସମାଧାନରେ ନିହିତ ରହିଛି ଆମର ଅସ୍ତିତ୍ୱ । ଆଗ ବଂଚିଲେ ଯାଇ ଯାବତୀୟ ପ୍ରଗତିର ମୂଲ୍ୟ ରହିଛି ।

ସୋଆର ଆଉଟରିଚ କାର୍ଯ୍ୟକ୍ରମ ସମ୍ପର୍କରେ ଖୁସି ବ୍ୟକ୍ତ କରି ବନମହୋତ୍ସବ, ବୃକ୍ଷ ରୋପଣ ସହିତ ଜଳ ସଂରକ୍ଷଣ ଉପରେ ମଧ୍ୟ ସୋଆ ଏନଏସଏସ କାର୍ଯ୍ୟ ଜାରି ରଖୁ ବୋଲି ସେ କହିଥିଲେ ।
ସୋଆର ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ରଫେସର ନଚିକେତା ଶର୍ମା ବୃକ୍ଷରୋପଣ କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ଦେଇଥିଲେ ।

ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନସେସର ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ଗୁଗୁଲ ମିଟ୍ ଓ ୟୁଟ୍ୟୁବରେ ପ୍ରସାରିତ କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ସୋଆ ଛାତ୍ରଛାତ୍ରୀ, ଡିନ ଓ ପ୍ରୋଗ୍ରାମ ଅଫିସର ଯୋଗଦେଇଥିଲେ ।