Home Finance ସରକାରୀ ଉଦ୍ୟୋଗ କ୍ଷତିରେ ଗ୍ରିଡ୍‍କୋ ପ୍ରଥମ

ସରକାରୀ ଉଦ୍ୟୋଗ କ୍ଷତିରେ ଗ୍ରିଡ୍‍କୋ ପ୍ରଥମ

ଭୁବନେଶ୍ୱର : କ୍ଷତି ସହୁଥିବା ସରକାରୀ ଉଦ୍ୟୋଗ ମଧ୍ୟରେ ସବୁଠାରୁ ଆଗରେ ରହିଛି ଗ୍ରିଡ୍‍କୋ । ଏହି ସଂସ୍ଥା ୨୦୧୯-୨୦ ବର୍ଷରେ ୧୩୫୨ କୋଟି ଟଙ୍କାରୁ ଅଧିକ କ୍ଷତି କରିଛି । ଏଥି ସହିତ ଆଉ ୮ଟି ସରକାରୀ ଉଦ୍ୟୋଗ ବି କ୍ଷତି କରିଛନ୍ତି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ବର୍ଷରେ କ୍ଷତି ତାଲିକାରେ ସବୁଠାରୁ ଆଗରେ ଗ୍ରିଡ୍‍କୋ ଥିବାବେଳେ ଓଡିଶା ଶକ୍ତି ଉତ୍ପାଦନ ନିଗମ ୧୮୮.୮୬ କୋଟି ଟଙ୍କାର କ୍ଷତି ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ସେହଭଳି ଓଡିଶା ଶକ୍ତି ସଞ୍ଚାର ନିଗମ ଏହି ବର୍ଷରେ ୧୪୪.୩୭କୋଟି ଟଙ୍କାର କ୍ଷତି କରିଥିବାବେଳେ ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଲିମିଟେଡ ୧୨୩.୩୭କୋଟି ଟଙ୍କାର କ୍ଷତି ସହିଛି । ଏହାଛଡା ଓଆରଏଚ୍‍ଡିସି, ଇଡିକଲ ଫେରୋକ୍ରୋମ, ରାଜ୍ୟ ସଡକ ପରିବହନ ନିଗମ, ରାଜ୍ୟ ଅର୍ଥ ନିଗମ ଆଦି ବି କ୍ଷତି କରିଛନ୍ତି । ତେବେ ସବୁଠାରୁ କମ୍‍ ମାତ୍ର ୬୭ଲକ୍ଷ ଟଙ୍କାର କ୍ଷତି କରିଛି ସଡକ ପରିବହନ ନିଗମ ।

କ୍ଷତିରେ ଚାଲୁଥିବା ଏହି ସରକାରୀ ଉଦ୍ୟୋଗଗୁଡିକ କଭଳି ଲାଭ କରିବେ ସେଥିପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ସ୍ୱେଚ୍ଛାକୃତ ଅବସର ଜରିଆରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ, କର୍ପୋରେଟ ଗଭର୍ଣ୍ଣାନ୍ସ ମାନୁଆଲ କାର୍ଯ୍ୟକାରୀ କରିବା, ଉଦ୍ୟୋଗଗୁଡିକରେ ଶୀର୍ଷ ସ୍ତରରେ ଖାଲି ପଡିଥିବା ନିର୍ଦ୍ଦେଶକ ପଦବୀ ପୂରଣ କରିବା ସହିତ ରାଜ୍ୟ ଅର୍ଥ ନିଗମର ବକେୟା ଋଣ ଆଦାୟ ଉପରେ ଗୁରୁତ୍ୱ ଦେଉଛନ୍ତି ।

ତେବେ ଲାଭ ତାଲିକାରେ ଥିବା ୯ଟି ସରକାରୀ ଉଦ୍ୟୋଗଗୁଡିକ ମଧ୍ୟରେ ସବୁଠାରୁ ଆଗରେ ରହିଛି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ । ଏହି ନିଗମ ୨୦୦୩-୦୪ରୁ ଲଗାତାର ଭାବେ ଲାଭ କରିଆସୁଛି । ସେହିଭଳି ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୧୯୯୫-୯୬ ଆର୍ଥିକ ବର୍ଷଠାରୁ ନିୟମିତ ଭାବେ ଲାଭ କରୁଥିବାବେଳେ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ୨୦୦୮-୦୯ ବର୍ଷରୁ କ୍ରମାଗତ ଭାବେ ଲାଭ କରିଆସୁଛି । ଓଡିଶା ଖଣି ନିଗମ ଲିମିଟେଡ ୨୦୧୭-୧୮ ଆର୍ଥିକ ବର୍ଷରେ କ୍ଷତି ସହିବାରେ ପରେ ୨୦୧୮-୧୯ ବର୍ଷରୁ ଲଗାତାର ଲାଭରେ ରହିଛି । ଲାଭ କରୁଥିବା ଅନ୍ୟ ସରକାରୀ ଉଦ୍ୟୋଗ ମଧ୍ୟରେ କଳିଙ୍ଗ ଷ୍ଟୁଡିଓ ଲିମିଟେଡ, ବନ ଉନ୍ନୟନ ନିଗମ ଲିମିଟେଡ ଓ ୱାଟକୋ ଭଳି ସଂସ୍ଥା ରହିଛନ୍ତି ।

ତେବେ କ୍ଷତିରେ ଚାଲୁଥିବା କେତେକ ଉଦ୍ୟୋଗର କର୍ମଚାରୀ ଏବେ ବି ପୁରୁଣା ହାରରେ ବେତନ ପାଉଥିବାରୁ ସପ୍ତମ ବେତନ କମିଶନ ଲାଗୁ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି । ତେବେ କ୍ଷତିର ଆଳ ଦେଖାଇ ସରକାର ଏହା କରୁନଥିବାବେଳେ ଲାଭରେ ଚାଲୁଥିବା କେତେକ ଉଦ୍ୟୋଗରେ ବି ନୂତନ କର୍ମଚାରୀ ନିଯୁକ୍ତି କରାଯାଉ ନାହିଁ । (ତଥ୍ୟ)