Home News in Odia ଶ୍ରୀମନ୍ଦିର ରୋଷଘରେ ୪୦ଚୂଲି ଭାଙ୍ଗିଦେଲେ

ଶ୍ରୀମନ୍ଦିର ରୋଷଘରେ ୪୦ଚୂଲି ଭାଙ୍ଗିଦେଲେ

ପୁରୀ : ଶ୍ରୀମନ୍ଦିରରେ ଘଟିଛି ବଡ ଅଘଟଣ । ଶ୍ରୀଜୀଉମାନଙ୍କ ପାଇଁ ଷାଠିଏ ପଉଠି ପ୍ରସ୍ତୁତ ହେଉଥିବା ଶ୍ରୀମନ୍ଦିର ରୋଷଶାଳାରେ ପ୍ରାୟ ୪୦ଟି ଚୂଲିକୁ କେହି ଦୁବୃର୍ତ୍ତ ଗତକାଲି ଭାଙ୍ଗିରୁଜି ପକାଇଛି । ଆଜି ସକାଳେ ଏହି ଘଟଣା ପଦାକୁ ଆସିଲାପରେ ତନାଘନା ଆରମ୍ଭ ହୋଇଛି ।

ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁମାନଙ୍କ ପାଇଁ ଅବଢା ଓ ଅନ୍ୟାନ୍ୟ ଭୋଗ ପ୍ରସ୍ତୁତି ଲାଗି ୨୪୦ଟି ଚୂଲି ଥିବାବେଳେ ସେଥିରୁ ପ୍ରାୟ ୪୦ଟି ଭାଙ୍ଗି ଦିଆଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସ୍ପଷ୍ଟ କରିଛନ୍ତି ।

ଆଜି ଏହି ଘଟଣା ପଦାକୁ ଆସିବାପରେ ପୁରୀ ଏସ୍‍ପି ଓ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହା ତଦନ୍ତ ନୀତି ପ୍ରଶାସକ ଓ ଅତିରିକ୍ତ ଏସ୍‍ପିଙ୍କ ଦ୍ୱାରା କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଯିଏ ବି ଦୋଷୀ ସାବ୍ୟସ୍ତ ହେବ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।

ତେବେ ଗତକାଲିର ଏହି ଘଟଣା ବିଳମ୍ବିତ ରାତିରେ ଘଟିଥିବା କୁହାଯାଉଛି । ଶ୍ରୀମନ୍ଦିର ଆଖପାଖରେ ଲାଗିଥିବା ସିସିଟିଭିରୁ ଘଟଣା ସଂକ୍ରାନ୍ତରେ ଜଣାପଡିବ ବୋଲି ଆଶା କରାଯାଉଥିବାବେଳେ ଏହାର ତଦନ୍ତ କିନ୍ତୁ ଆରମ୍ଭ ହୋଇଛି ।

ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ରୋଷଘରେ ଏଭଳି ଏକ ଅଘଟଣ ଘଟିଥିବାବେଳେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ସେବାୟତମାନେ ମଧ୍ୟ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ମତ ଦେଉଛନ୍ତି । ତେବେ ଶ୍ରୀଜୀଉମାନଙ୍କ ସେବା ନୀତି ଓ ଅବଢା ପ୍ରସ୍ତୁତି ଉପରେ ଏହା ବିଶେଷ ପ୍ରଭାବ ପକାଇନାହିଁ ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି ।