Home Agriculture ଫେରିଯିବ ୯ କୋଟିର ବିହନ ପ୍ରୋତ୍ସାହନ ରାଶି

ଫେରିଯିବ ୯ କୋଟିର ବିହନ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : କେନ୍ଦ୍ର ସରକାର ଯୋଗାଇଥିବା ବିହନ ପ୍ରୋତ୍ସାହନ ରାଶିକୁ ରାଜ୍ୟ ସରକାର ଧାର୍ଯ୍ୟ ସମୟରେ ଚାଷୀଙ୍କୁ ଦେଇପାରିଲେ ନାହିଁ । ଏହି ଅର୍ଥ ଏବେ କେନ୍ଦ୍ରକୁ ଫେରିଯିବାର ଆଶଙ୍କା ଉପୁଜିଛି । ଏ ବାବଦରେ ଚାଷୀଙ୍କୁ ମିଳିବାକୁ ଥିବା ପ୍ରାୟ ୯କୋଟି ଟଙ୍କା ଫେରିଯିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ନୂତନ ଅମଳକ୍ଷମ ଧାନ ବିହନ ଉତ୍ପାଦନ କରିଥିବା ଚାଷୀଙ୍କୁ ପ୍ରୋତ୍ସାହନ କେନ୍ଦ୍ର ସରକାର ପ୍ରୋତ୍ସାହନରାଶି ଯୋଗାଇଥାନ୍ତି । ପାଖାପାଖି ଛଅ ହଜାର ଚାଷୀଙ୍କର ପ୍ରାୟ ୯ କୋଟି ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରରୁ ଆସିଥିଲା । ହେଲେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଅର୍ଥ ବଣ୍ଟାହୋଇ ନପାରିବାରୁ ଫେରିଯିବ ବୋଲି କହିଛନ୍ତି ଚାଷୀ ପ୍ରତିନିଧି ଅଶୋକ କୁମାର ବରାଳ ।

ଶ୍ରୀ ବରାଳ କହିଛନ୍ତି ଯେ ରାଜ୍ୟରେ ପୁରାତନ ଧାନ ବିହନ ବଦଳରେ ନୂତନ ଧାନ ବିହନ ଉତ୍ପାଦନ କରି ଚାଷୀଙ୍କୁ ଯୋଗାଇବା ପାଇଁ କେନ୍ଦ୍ର ସରକାର ବ୍ରିଙ୍ଗିଙ୍ଗ ଗ୍ରିନ୍‍ ରିଭୋଲ୍ୟୁସନ ଟୁ ଇଷ୍ଟର୍ଣ୍ଣ ଇଣ୍ଡିଆ (ବିଜିଆରଇଆଇ) ଯୋଜନା ଜରିଆରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ । ଓଡିଶା ସମେତ ପୂର୍ବ ଭାରତର ୭ଟି ରାଜ୍ୟରେ ଏହା କାର୍ଯ୍ୟକାରୀ ହେଉଥିଲା । ତେବେ ଏହି ପ୍ରୋତ୍ସାହନ ପ୍ରଦାନ ଯୋଜନାକୁ ଇତି ମଧ୍ୟରେ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ଓଡିଶାକୁ ମିଳିଥିବା ଅର୍ଥ ୨୦୨୦-୨୧ ଖରିଫ ଋତୁର ।

ଏହି ଯୋଜନାରେ କେନ୍ଦ୍ର ସରକାର ନୂତନ ଅମଳକ୍ଷମ ଧାନ ବିହନ ଚାଷ ପାଇଁ କୁଇଣ୍ଟାଲ ପିଛା ୨୦୦୦ ଟଙ୍କା ଯୋଗାଇ ଦେଇଥିଲେ । ଏଥିରୁ ରାଜ୍ୟ ବିହନ ନିଗମ ୫୦୦ ଟଙ୍କା ଓ ଚାଷୀମାନେ ୧୫୦୦ ଟଙ୍କା କରି ପାଉଥିଲେ । ତେବେ ଏ ବାବଦରେ ମିଳିଥିବା ପାଖପାଖି ୯କୋଟି ଟଙ୍କା ରାଜ୍ୟ କୃଷି ବିଭାଗ ନିକଟରେ ପଡିଥିଲା । ବିହନ ନିଗମ ଏହି ଅର୍ଥରୁ ମୋଟା ରକମର ପ୍ରାପ୍ୟ ପାଇବାକୁ ଥିଲେ ମଧ୍ୟ ନିଗମ କର୍ତ୍ତୃପକ୍ଷ ବି ଏ ଦିଗରେ ପଦକ୍ଷେପ ଗ୍ରହଣ କଲେନାହିଁ ।

୨୦୨୧-୨୨ ଆର୍ଥିକ ବର୍ଷ ଶେଷ ଅର୍ଥାତ୍‍ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ରାଜ୍ୟର ବିହନ ଚାଷୀଙ୍କୁ ଏହି ଅର୍ଥ ଦିଆଯାଇ ପାରିଲା ନାହିଁ । ବର୍ଷାଧିକ କାଳ କୃଷି ବିଭାଗ ନିକଟରେ ଏହି କେନ୍ଦ୍ରୀୟ ଅର୍ଥ ପଡି ରହିଥିଲେ ମଧ୍ୟ ସେମାନେ କାହିଁକି ଚାଷୀଙ୍କୁ ଦେଲେ ନାହିଁ ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚାଷୀମାନେ ବାରମ୍ବାର ବିହନ ନିଗମକୁ ଦଉଡୁଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଲେ ନାହିଁ । ଏବେ ଏହି ଅର୍ଥ କେନ୍ଦ୍ରକୁ ଫେରିଯିବ ବୋଲି ଜଣାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଏବେ ଗୋଟିଏ ଗୋଟିଏ କିସମର ଧାନ ବିହନ ୧୮ରୁ ୨୦ବର୍ଷ ଧରି ଚାଷୀମାନେ ଚାଷ କରୁଛନ୍ତି । ଏହା ମଧ୍ୟରେ ସ୍ୱର୍ଣ୍ଣ, ୧୦୧୮ ଭଳି କିସମର ଧାନ ବିହନ ରହିଛି । ବିଶେଷଜ୍ଞମାନଙ୍କ ମତରେ ଗୋଟିଏ ଗୋଟିଏ ଧାନ ବିହନ ଏତେଦିନ ଧରି ଚାଷ ହେବା ଫଳରେ ଏହାର ଉତ୍ପାଦିକତା କମିବା ସହିତ ରୋଗପୋକ ସହଶୀଳତା ମଧ୍ୟ ହ୍ରାସ ପାଉଛନ୍ତି ।

ତେଣୁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ନୂତନ ବିହନ ଉତ୍ପାଦନ ପାଇଁ ଯୋଜନା କାର୍ଯ୍ୟକାରୀ ହେଉଥିଲା । ଏହି ଯୋଜନାରେ କେବଳ ପୁରୁଣା ଧାନ ବିହନ ବଦଳ ନୁହେଁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ପାଇଁ ବାତ୍ୟା, ବନ୍ୟା ଓ ମରୁଡି ସହଶୀଳ ଧାନ ବିହନ ବିକାଶର ମଧ୍ୟ ଲକ୍ଷ୍ୟ ଥିଲା ।

ତେବେ ପ୍ରୋତ୍ସାହନ ରାଶି ବାବଦୀୟ ଅର୍ଥ ଫେରିଯିବା ସୂଚନା ପାଇବାପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ଏବେ ରାଜଧାନୀ ଆସି କୃଷି ମନ୍ତ୍ରୀ ଓ କୃଷି ସଚିବଙ୍କୁ ସାକ୍ଷାତ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳୁଛି । ଖୁବ୍‍ଶୀଘ୍ର ସେମାନେ ରାଜଧାନୀରେ ପହଞ୍ଚିବେ ବୋଲି ଜଣାଯାଇଛି । (ତଥ୍ୟ)