Home General ଶିଶୁ ଶ୍ରମ ବିଲୋପରେ କୋଭିଡ ବାଧକ

ଶିଶୁ ଶ୍ରମ ବିଲୋପରେ କୋଭିଡ ବାଧକ

ଭୁବନେଶ୍ୱର : ଶିଶୁ ଶ୍ରମ ପ୍ରଥାର ବିଲୋପ ପାଇଁ କୋଭିଡ ମହାମାରୀ ସମସ୍ତଙ୍କ ସାମ୍ନାରେ ନୂଆ ଆହ୍ୱାନ ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ସମସ୍ତେ ଏକଜୁଟ ହୋଇ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ।

ବିଶ୍ୱ ଶିଶୁ ଶ୍ରମ ବିରୋଧି ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ), ଓସିପିସିଆର, ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ମିଳିତ ଭାବେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ ସେ କହିଛନ୍ତି ଯେ ଆମର ସବୁ ପିଲା ଯେଭଳି ବିଦ୍ୟାଳୟରେ ନାମ ଲେଖାଇବେ ସେ ଦିଗରେ ସମସ୍ତଙ୍କ ସହଯୋଗ ଜରୁରୀ ।

ରାଜ୍ୟ ଶ୍ରମ କମିଶନର ଡକ୍ଟର ଏନ.ତିରୁମାଲା ନାୟକ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦୀର୍ଘ ୨୦ବର୍ଷ ପରେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୨୦୨୨ ସୁଦ୍ଧା ଆଉ ୯୦ଲକ୍ଷ ଶିଶୁ ଶ୍ରମିକ ପାଲଟିବେ ବୋଲି ଆଶଙ୍କା କରାଯାଉଛି । କରୋନା ମହାମାରୀ ସମୟରେ ବହୁ ସଂଖ୍ୟାରେ ଶିଶୁ ବାପ ମା’ଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ଏମାନେ ଅତ୍ୟନ୍ତ ସମ୍ବେଦନଶୀଳ ଅବସ୍ଥାରେ ଥିବାବେଳେ ସୁପ୍ରିମ୍‍କୋର୍ଟ ଓ ଜାତୀୟ ଶିଶୁ ସୁରକ୍ଷା କମିଶନ ଏମାନଙ୍କ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶିଶୁ ଶ୍ରମିକ ପ୍ରଥା ହଟାଇବାପାଇଁ ବାପ ମା’ଙ୍କ ସଚେତନତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ପ୍ରାରମ୍ଭରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ଦେବା ସହିତ ଚଳିତବର୍ଷ ଏପ୍ରିଲ ୩୦ରୁ ଆରମ୍ଭ ଶିଶୁ ଶ୍ରମ ବିରୋଧରେ ୪୪ଦିନିଆ ଅଭିଯାନ ଚାଲିଥିବା କହିଥିଲେ । ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଚଳିତ ବର୍ଷ ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ପାଳନର ଭିନ୍ନ ତାତ୍ପର୍ଯ୍ୟ ରହିଛି ।

କାରଣ କୋଭିଡ ମହାମାରୀ ମଧ୍ୟରେ ଚଳିତବର୍ଷକୁ ସମଗ୍ର ବିଶ୍ୱ ଶିଶୁ ଶ୍ରମ ମୁକ୍ତ ବର୍ଷ ଭାବେ ପାଳନ କରୁଥିବାବେଳେ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‍ଡିଜି) ପକ୍ଷରୁ ୨୦୨୫ ସୁଦ୍ଧା ବିଶ୍ୱକୁ ଶିଶୁ ଶ୍ରମ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । କୋଭିଡ ସମୟରେ ଆମେ କିଭଳି ଆଗକୁ ଯିବା ତାହା ବଡ ଆହ୍ୱାନ ହୋଇଛି । କୋଭିଡ ଭଳି ଶିଶୁ ଶ୍ରମିକ ବିଲୋପକୁ ମଧ୍ୟ ଜରୁରୀ ସ୍ଥିତି ଭାବେ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଅନ୍ୟତମ ଅତିଥି ଅବସରପ୍ରାପ୍ତ ପ୍ରଶାସକ ତଥା ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟର ଜାତୀୟ ନିର୍ଦ୍ଦେଶକ ବି.କେ.ସାହୁ କହିଥିଲେ ଯେ କରୋନାର ତୃତୀୟ ଲହର ଅକ୍ଟୋବର-ନଭେମ୍ବର ବେଳକୁ ଆସିବାର ସମ୍ଭାବନା ଥିବାବେଳେ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ଶିଶୁ ।

ଏଥି ପାଇଁ ଆମକୁ ଆଜିଠାରୁ ସତର୍କ ହେବାକୁ ପଡିବ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ପ୍ରୀତିକାନ୍ତ ପଣ୍ଡା କହିଥିଲେ ଯେ ଯେଉଁ ପିଲାମାନେ କୋଭିଡରେ ବାପ ମା’ଙ୍କୁ ହରାଉଛନ୍ତି ତୁରନ୍ତ କିଭଳି ସେମାନଙ୍କ ନିକଟରେ ପହଞ୍ଚିବା ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଯେଉଁ ପିଲାମାନେ ଉଦ୍ଧାର ହେଉଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି ।

ୟୁନିସେଫର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଏହି ଅବସରରେ କହିଥିଲେ ଯେ କରୋନା ଯୋଗୁଁ ଅନେକ ଶିଶୁ ଅନାଥ ହୋଇଛନ୍ତି । ଏହି ମହାମାରୀ ଯୋଗୁଁ ଲୋକେ ରୋଜଗାର ହରାଇଥିବାବେଳେ ପିଲାଙ୍କ ବିଦ୍ୟାଳୟ ଯିବା ମଧ୍ୟ ବନ୍ଦହୋଇ ଯାଇଛି । ସବୁପିଲା ଯେଭଳି ବିଦ୍ୟାଳୟକୁ ଫେରିବେ ସେ ଦିଗରେ ପଦକ୍ଷେପ ନେବା ଜରୁରୀ ।

ରାଜ୍ୟ ଶ୍ରମ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଭକ୍ତବନ୍ଧୁ ଆଚାର୍ଯ୍ୟ କହିଥିଲେ ଯେ ମହାମାରୀ ଆମ ଆଗରେ ନୂଆ ଆହ୍ୱାନ ସୃଷ୍ଟି କରିଛି । ତେଣୁ ଏହାର ମୁକାବିଲା ପାଇଁ ରଣନୀତି କରିବାକୁ ପଡିବ । ଏହି କାର୍ଯ୍ୟକ୍ରମରେ ପିକକର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ଶିକ୍ଷକ, ପଞ୍ଚାୟତ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ ।