Home Administration ଶିଶୁଙ୍କ ପାଇଁ ଦିନଟିଏ ସ୍ଥିର କର

ଶିଶୁଙ୍କ ପାଇଁ ଦିନଟିଏ ସ୍ଥିର କର

ଭୁବନେଶ୍ୱର ; ଶିଶୁଙ୍କ ସୁରକ୍ଷା ଉପରେ ଆଲୋଚନ ପାଇଁ ପ୍ରତି ତିନିମାସରେ ଥରେ ଗୋଟିଏ ଦିନ ସ୍ଥିର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ଦିନକୁ ‘ଶିଶୁଙ୍କ ଲାଗି ଦିନଟିଏ’ ଭାବେ ନାମିତ କରାଯାଇଛି ।

ରାଜ୍ୟ ସମାଜ ମଙ୍ଗଳ ନିର୍ଦ୍ଦେଶକ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଜିଲ୍ଲା ପ୍ରଶାସନଗୁଡିକ ବାଲ୍ୟ ବିବାହ ବିରୁଦ୍ଧରେ ପଦକ୍ଷେପ ନେବା ଫଳରେ ରାଜ୍ୟର ଏବେ ୩୭୦୦ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମରେ ପରିଣତ ହୋଇପାରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲା, ବ୍ଲକ ସ୍ତରରେ ନୋଡାଲ ଅଫିସର ସହିତ ପଞ୍ଚାୟତ ସ୍ତରରେ ଟାସ୍କଫୋର୍ସ ଗଠନ କରି ସମସ୍ତ ୩୦ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ପାଇଁ କୁହାଯାଇଛି ।

ଏହାବାଦ୍‍ ଜିଲ୍ଲା ସ୍ତରରେ ବିଭିନ୍ନ ଆଇନ୍‍ ଓ ସ୍କିମ୍‍ରେ ଗଠନ ହୋଇଥିବା ଟାସ୍କଫୋର୍ସ ଓ କମିଟିମାନ ଶିଶୁ ସୁରକ୍ଷାକୁ ନିଶ୍ଚିତ କରୁଛନ୍ତି । ଏହି ସମସ୍ତ କମିଟି ଓ ଟାସ୍କଫୋର୍ସର ମୁଖ୍ୟ ଲକ୍ଷ୍ୟ ହେଉଛି ଶିଶୁଙ୍କ ଅଧିକାର ଓ ସ୍ୱାର୍ଥକୁ ସୁରକ୍ଷିତ ରଖିବା । ତେବେ କେତେକ କାରଣ ଯୋଗୁଁ ଏହି କମିଟିଗୁଡିକର ନିମୟିତ ବୈଠକ ବସିପାରୁ ନାହିଁ । ଏହା ଫଳରେ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଶିଶୁମାନଙ୍କର ବିଭିନ୍ନ ସମସ୍ୟାର ଠିକଣା ସମାଧାନ ହୋଇପାରୁ ନାହିଁ ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଗୁଡିକ ପ୍ରତି ତିନିମାସରେ ଗୋଟିଏ ଦିନ ବାଛିବାକୁ କୁହାଯାଇଛି । ଏହି ନିର୍ଦ୍ଦିଷ୍ଟ ଦିନରେ ଗଠନ ହୋଇଥିବା ଟାସ୍କଫୋର୍ସ ଓ କମିଟିର ବୈଠକ ବସିବ । ଏହି କମିଟି ଓ ଟାସ୍କଫୋର୍ସର ଅଧ୍ୟକ୍ଷ ମାନେ କମିଟି ବୈଠକରେ ଉପସ୍ଥିତ ରହିବା ସହିତ ଶିଶୁଙ୍କ ସଂକ୍ରାନ୍ତୀୟ ଅଭିଯୋଗ ଗୁଡିକ ଶୁଣିବେ ।

ଏଥି ସହିତ ଶିଶୁ ସୁରକ୍ଷା ସମ୍ପର୍କିତ ଆଇନ୍‍, ଯୋଜନା ଏବଂ କାର୍ଯ୍ୟକ୍ରମ ସହିତ ବାଲ୍ୟ ବିବାହ, ଶିଶୁଶ୍ରମିକ ଓ ଶିଶୁ ଯୌନଶୋଷଣ, ଶିଶୁଙ୍କ ଉପରେ ଘଟୁଥିବା ହିଂସା ଏବଂ କିଶୋରମାନଙ୍କ ଉପରେ ତର୍ଜମା କରିବେ । ଏହି ଉତ୍ସର୍ଗୀକୃତ ଦିନଟିରେ ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହେବା ସହିତ ସେଥିପାଇଁ ଯୋଜନା ପ୍ରସ୍ତୁତ ହେବ ।

ଉଲ୍ଲେଖନୀୟ ଯେ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନାରେ ଜିଲ୍ଲା ସ୍ତରରେ ଥିବା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବାବେଳେ ସହ ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ଓ ସଦସ୍ୟ ସଂଯୋଜକ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରହିଛନ୍ତି । ଏହି କମିଟିର ବୈଠକ ପ୍ରତି ୬ମାସରେ ଥରେ ଅନୁଷ୍ଠିତ ହେବାକୁ ଥିବାବେଳେ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଥିବା ଅନ୍ୟ ସମସ୍ତ କମିଟିର ବୈଠକ ପ୍ରତି ତିନିମାସରେ ଥରେ ବସିବାକୁ ସ୍ଥିର ହୋଇଛି । ସେହିଭଳି ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଥିବା ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସର ବୈଠକ ପ୍ରତି ତିନିମାସରେ ବସିବାକୁ ଥିାବବେଳେ ଜିଲ୍ଲାପାଳ ଏହି ଟାସ୍କଫୋର୍ସର ମୁଖ୍ୟ ଅଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here