Home News in Odia ଶରଧାବାଲିରେ ତିନି ରଥ

ଶରଧାବାଲିରେ ତିନି ରଥ

ପୁରୀ : ଶ୍ରୀଗୁଣ୍ଡିଚା ଅବସରରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ତିନି ରଥ ଆଜି ସିଂହଦ୍ୱାରରୁ ବାହାରି ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଗୁଣ୍ଡିଚାମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚି ଯାଇଛି ।

ବିନା ଭକ୍ତରେ ସେବାୟତମାନେ ତିନି ରଥକୁ ଆଣି ଶରଧାବାଲିରେ ଲଗାଇବାପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ୍‍ ମହାନିର୍ଦ୍ଦେଶକ ଅଭୟ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସହଯୋଗ ଲାଗି ପୁରୀବାସୀ ଓ ସେବାୟତମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଜି ସକାଳ ନୀତି ସରିବାପରେ ତିନି ଠାକୁର ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଥିଲେ । ବଡଠାକୁର ବଳଭଦ୍ର ତାଳଧ୍ୱଜ ରଥରେ, ସେବୀ ସୁଭଦ୍ରା ଦର୍ପଦଳନ ଓ ପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ବିଜେ କରିବାପରେ ପରମ୍ପରା ଅନୁଯାୟୀ ପୁରୀ ଗଜପତି ତିନି ରଥରେ ଛେରା ପହଁରା କରିଥିଲେ । ଏହାପରେ ଚାରମାଳ ଫିଟା ଯାଇ ରଥଟଣା ଆରମ୍ଭ ହୋଇଥିଲା ।

କୋଭିଡ କଟକଣା ଯୋଗୁଁ ଭକ୍ତମାନଙ୍କୁ ବଡଦାଣ୍ଡ ମନା ହୋଇଥିବାବେଳେ କେବଳ ସେବାୟତମାନେ ହିଁ ରଥକୁ ଟାଣି ଟାଣି ନେଇଥିଲେ । ପୁଲିସ୍‍ ଓ ପ୍ରଶାସନ ସେମାନଙ୍କୁ ସହଯୋଗ କରିଥିଲେ । ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଯୋଗୁଁ ଅଗ୍ନିଶମ ବାହିନୀ ପାଣି ସିଞ୍ଚନ କରୁଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୁଲିସ୍‍ ମୁତୟନ ହୋଇଥିଲେ ।

ଭକ୍ତଙ୍କ ଗହଳି ଚହଳି ନଥିବାରୁ ରଥ ଟଣାରେ କୌଣସି ସମସ୍ୟା ଦେଖାଯାଇନଥିଲା । ରଥ ଉପରେ ହାତଗଣତି ସେବାୟତ ଓ ଘଣ୍ଟୁଆ ଉପସ୍ଥିତ ଥିବାବେଳେ ଅନ୍ୟ ସେବାୟତମାନେ ସୁରୁଖୁରୁରେ ତିନି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ଟାଣି ନେଇଥିଲେ । ଧାର୍ଯ୍ୟ ସମୟର ପ୍ରାୟ ୩ଘଣ୍ଟା ପୂର୍ବରୁ ତିନିରଥ ଶରଧାବାଲିରେ ପହଞ୍ଚି ଯାଇଥିଲେ ।

ଆଜି ତିନି ଠାକୁର ଗୁଣ୍ଡିଚା ଶରଧାବାଲିରେ ପହଞ୍ଚି ଥିବାବେଳେ ଆସନ୍ତା କାଲି ପହଣ୍ଡିରେ ମାଉସୀମା ମନ୍ଦିରକୁ ବିଜେ କରିବେ । ସେଠାରେ ନଅଦିନର ରହଣୀ ପରେ ପୁର୍ନବାର ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ତିନି ରଥରେ ବିରାଜମାନ ହୋଇ ଯାତ୍ରା କରିବେ ।

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହୋଇଥିବାବେଳେ ଗତକାଲି ଠାରୁ ପୁରୀରେ କର୍ଫ୍ୟୁ ଜାରି ହୋଇଛି । ପୁରୀ ସହର ଭିତରକୁ କୌଣସି ବ୍ୟକ୍ତିଙ୍କୁ ଛଡା ଯାଉନଥିବାବେଳେ ବଡଦାଣ୍ଡର ଦୁଇ ପାଶ୍ୱର୍ରେ ଥିବା ସମସ୍ତ ହୋଟେଲଗୁଡିକୁ ଖାଲିକରି ଦିଆଯାଇଛି । ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ, ପ୍ରଶାସନ ଓ ଅନ୍ୟାନ୍ୟ ଅଧିକାରୀଙ୍କର ଆରଟି-ପିସିଆର ପରୀକ୍ଷା ହୋଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିଛି ସେମାନେ ହିଁ ଏଥିରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here