Home News in Odia ଶଙ୍କରାଚାର୍ଯ୍ୟଙ୍କ ନିଶାଣରେ ତିନି ଦଳ

ଶଙ୍କରାଚାର୍ଯ୍ୟଙ୍କ ନିଶାଣରେ ତିନି ଦଳ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଆଜି ରାଜ୍ୟର ତିନି ରାଜନୈତିକ ଦଳର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହିତ ସେମାନଙ୍କୁ ସମାଲୋଚନା କରିଛନ୍ତି ।

ପରିକ୍ରମା ପ୍ରସଙ୍ଗରେ ଗତ ତିନି ଦିନ ଧରି ଜଗତଗୁରୁ ଅସନ୍ତୁଷ୍ଟ ଥିବା ତାଙ୍କ ବକ୍ତବ୍ୟରୁ ବାରି ହୋଇ ପଡୁଥିଲେ ବି ଆଜି ସିଧାସଳଖ ଶାସକ ବିଜେଡି ଏବଂ ବିରୋଧି ବିଜେପି ଓ କଂଗ୍ରେସକୁ ନିଶାଣ କରିଛନ୍ତି ।

ଜଗତ୍‍ଗୁରୁ ସିଧାସଳଖ କହିଛନ୍ତି ଯେ ୨୨ବର୍ଷ ଧରି ବିଜେଡି ସରକାର କ୍ଷମତାରେ ଥିବାରୁ ନିର୍ମାଣ ପାଇଁ ଥିବା ଆଇନ୍‍ କାନୁନ୍‍କୁ ମାନୁ ନାହାନ୍ତି । ଲୋକେ ଚାହିଁଲେ ସରକାରଙ୍କୁ ଠିକଣା ବାଟକୁ ଆଣିବେ । ସେହିଭଳି ରାଜ୍ୟରେ ବିଜେପି ଦଳ ବିଜେଡି ସହିତ ମିଶିକରି ରହିଥିବାବେଳେ କଂଗ୍ରେସର ଏବେ ବିରୋଧ କରିବା ଭଳି ଅସ୍ତିତ୍ୱ ନଥିବା ଜଗତଗୁରୁ କହିଛନ୍ତି ।

ଇତି ମଧ୍ୟରେ ଜଗତ୍‍ଗୁରୁ ପରିକ୍ରମା ପ୍ରସଙ୍ଗରେ ବିଭିନ୍ନ ରାଜନୈତିକଦଳର ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ଏଏସ୍‍ଆଇର ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବା ସହିତ ସେମାନଙ୍କ ମତାମତ ଶୁଣିଛନ୍ତି । ଏହା ପରେ ପରେ ବରିଷ୍ଠ ରାଜନେତା ସୁବ୍ରମଣ୍ୟମ ସ୍ୱାମୀ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ।

ଏହାପରେ ଆଜି ଶଙ୍କରାଚାର୍ଯ୍ୟ ଖୋଲାଖୋଲି ଭାବେ କହିଛନ୍ତି ଯେ ସିଏ କୌଣସି ଚାପ ଆଗରେ ନଇଁବେ ନାହିଁ । ତାଙ୍କ ଅନୁପସ୍ଥିତରେ ଅନେକ କାର୍ଯ୍ୟ ଚାଲିଛି । ମଠ ମନ୍ଦିର ଭଙ୍ଗାଯିବା ଆଦୌ ଠିକ୍‍ ହୋଇନାହିଁ । ତପସ୍ଥଳୀକୁ ସରକାର ଭୋଗ ସ୍ଥଳୀ ଏପରିକି ସୁରା ସାକି ସ୍ଥଳୀ ବନାଇବାରେ ଲାଗିଛନ୍ତି ।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ସେ ବିକାଶର ବିରୋଧି ନୁହନ୍ତି । ହେଲେ ବିକାଶ ନାମରେ ତୀର୍ଥ ସ୍ଥଳୀର ଅସ୍ତିତ୍ୱ ଲୋପ କରାଯାଇ ପାରିବନାହିଁ ।