Home Industry ରେମାଟିକ୍‌ ଆର୍ଥ୍ରାଇଟିସ୍‌ ନିରାକରଣରେ ପ୍ରାନ୍ତେ ସଲ୍ୟୁସନ୍‌ସ

ରେମାଟିକ୍‌ ଆର୍ଥ୍ରାଇଟିସ୍‌ ନିରାକରଣରେ ପ୍ରାନ୍ତେ ସଲ୍ୟୁସନ୍‌ସ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ବାୟୋଟେକ୍ ଷ୍ଟାର୍ଟଅପ୍ ‘ପ୍ରାନ୍ତେ ସଲ୍ୟୁସନ୍‌ସ’, ଭାରତ-ଋଷ ଯୌଥ ପ୍ରଯୁକ୍ତି ନିରୂପଣ ଓ ତ୍ୱରାନ୍ୱିତ ବ୍ୟବସାୟୀକରଣ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଅଛି।

ଏହି କାର୍ଯ୍ୟକ୍ରମ ଅଧୀନରେ ରିଉମାଟଏଡ୍ ଆର୍ଥ୍ରାଇଟିସ୍‌ ରୋଗର ଯେଉଁଠି ଚିକିତ୍ସା ସେଇଠି ରୋଗନିଦାନ ପରୀକ୍ଷଣ କ୍ରମରେ କ୍ଲିନିକାଲ୍ ସ୍ତରରେ ରୋଗର ଠିକ୍‌ ସ୍ଥିତି ନିର୍ଣୟ ପ୍ରଯୁକ୍ତିର ବିକାଶ ପାଇଁ ଋଷ୍‌ର ଆଇଭୋକ ଏଲ୍‌ଏଲ୍‌ସି ସହିତ ପ୍ରାନ୍ତେ ସଲ୍ୟୁସନ୍‌ସ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି।  କ୍ଲିନିକାଲ୍ ଲକ୍ଷଣ ଆରମ୍ଭ ହେବା ପୂର୍ବରୁ ମଧ୍ୟ ରେମାଟିକ୍‌ ଆର୍ଥ୍ରାଇଟିସ୍‌ର ସଅଳ ଚିହ୍ନଟକୁ ଏକ ବିକେନ୍ଦ୍ରିତ ଢାଞ୍ଚାରେ କରିବାକୁ ଦୁଇ କମ୍ପାନି ଯୋଜନା କରିଛନ୍ତି। ଏହି ପ୍ରଯୁକ୍ତି ସ୍ୱତନ୍ତ୍ର ଭାବରେ ନାନୋ-ସେନ୍ସର ଉପରେ ଆଧାରିତ; ଯାହାକି ଏକକାଳୀନ >99% ସ୍ପଷ୍ଟତା ସହିତ ରେମାଟିକ୍‌ ଆର୍ଥ୍ରାଇଟିସର ଏକାଧିକ ଜୈବଚିହ୍ନକ ଦ୍ୱାରା ଚିହ୍ନଟ କରିପାରିବ।

ରେମାଟିକ୍‌ ଆର୍ଥ୍ରାଇଟିସ୍ ଯେଭଳି ଭାବରେ ମାଡ଼ି ଚାଲିଛି, ତାହାକୁ ସଅଳ ଚିହ୍ନଟ କରି ସଫଳ ଉପଚାର କରିପାରିଲେ ଯୋଡ଼ଜନିତ ସ୍ଥାୟୀ ଅକ୍ଷମତା ପୂର୍ବରୁ ଯଥା ସମୟରେ ହସ୍ତକ୍ଷେପ ଦ୍ୱାରା ଲକ୍ଷ ଲକ୍ଷ ଜରାଗ୍ରସ୍ତ ମଣିଷଙ୍କ ଜୀବନଧାରଣ ମାନରେ ଅଭୂତପୂର୍ବ ଉନ୍ନତି ଅଣାଯାଇପାରିବ।

ପ୍ରାନ୍ତେ ସଲ୍ୟୁସନ୍ସର ସିଇଓ ଡକ୍ଟର ଅସୀମ ମିଶ୍ର କହନ୍ତି, “ଏକ ସଂପୂର୍ଣ୍ଣ ସ୍ୱୟଂଚାଳିତ ବେଞ୍ଚ-ପାର୍ଶ୍ୱ ପରୀକ୍ଷଣ ପାଇଁ ଏ ପ୍ରଯୁକ୍ତି ପ୍ରସ୍ତୁତ କରାଯାଇଛି, ଯାହା ସହରାଞ୍ଚଳ ଓ ଗ୍ରାମାଞ୍ଚଳର କ୍ଲିନିକ୍, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଉପଲବ୍ଧ ହୋଇପାରିବ। ଏହି ଯନ୍ତ୍ରକୁ ଚଳାଇବା ପାଇଁ ବହୁତ କମ୍ ତାଲିମ ଦରକାର ବା ଜମାରୁ ତାଲିମ ଲୋଡ଼ା ହୋଇନପାରେ।’’

ଏହି କାର୍ଯ୍ୟକ୍ରମ ହେଉଛି ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଫାଉଣ୍ଡେସନ ଫର ଆସିଷ୍ଟାଣ୍ଟ ଟୁ ସ୍ମଲ୍‌  ଇନୋଭେଟିଭ୍ ଏଣ୍ଟରପ୍ରାଇଜେସ୍ (FASIE)ର ମିଳିତ ପ୍ରୟାସ। ଏହାକୁ କାର୍ଯ୍ୟକାରୀ କରୁଛି ‘‘ଫେଡେରେସନ୍ ଅଫ୍ ଇଣ୍ଡିଆ ଚାମ୍ବର୍ସ ଅଫ୍ କମର୍ସ ଏଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ (FICCI)। ପ୍ରଯୁକ୍ତି ବିକାଶ ପାଇଁ ଏହି କାର୍ଯ୍ୟକ୍ରମ କିଛି ପାଣ୍ଠି ଯୋଗାଇଥାଏ ଏବଂ ପ୍ରଯୁକ୍ତି ଅବଧାରଣା ଓ ବ୍ୟବସାୟୀକରଣର ଦ୍ୱିପାକ୍ଷିକ ବିନିମୟ ପାଇଁ ମଧ୍ୟ ସହାୟତା କରେ।

ଦେଶରେ ଏହା ଏଭଳି ପ୍ରଥମ ପଦକ୍ଷେପ ଯାହା ପ୍ରଯୁକ୍ତି-ସମୃଦ୍ଧ କମ୍ପାନୀଗୁଡ଼ିକୁ ଉଭୟ ପାର୍ଶ୍ୱରୁ ପୁଞ୍ଜିନିବେଶରେ ସାହାଯ୍ୟ କରେ। ଏଭଳି ସହାୟତା ପାଇଁ ମନୋନୀତ ଅନ୍ୟ ୨ଟି ଭାରତୀୟ କମ୍ପାନୀ ହେଉଛି – ୨୦୦୪ରେ ପ୍ରତିଷ୍ଠିତ ଜୟନ୍ ଇଂପ୍ଲାଣ୍ଟସ୍, ଏର୍ନାକୁଲମ୍ ଏବଂ ୨୦୦୨ରେ ପ୍ରତିଷ୍ଠିତ ଅନନ୍ୟା ଟେକ୍ନୋଲୋଜିସ୍‌, ବେଙ୍ଗାଲୁରୁ।

ପ୍ରାନ୍ତେ ସଲ୍ୟୁସନ୍ସର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୁମୋନାକାର୍ଜୀ ମିଶ୍ର କହନ୍ତି, “ଏକ ଯୁବ କମ୍ପାନୀ ଭାବରେ ଏପରି ଏକ ସମ୍ମାନଜନକ ଦ୍ୱିପାକ୍ଷିକ ପ୍ରଯୁକ୍ତିବିଦ୍ୟା ସହ-ବିକାଶ କାର୍ଯ୍ୟକ୍ରମ ପାଇଁ ମନୋନୀତ ହେବାଟା ଏକ ଗର୍ବିତ  ଅନୁଭବ। ଏହା ଦର୍ଶାଏ ଯେ ସଅଳ ରୋଗ ଚିହ୍ନଟ ପାଇଁ ରୋଗ ନିଦାନ କ୍ଷେତ୍ରରେ ଉଦ୍ଭାବନ ପ୍ରତି ଆମର ପ୍ରତିବଦ୍ଧତା ବୈଶ୍ୱିକ  ସ୍ତରରେ ସ୍ୱୀକୃତିପ୍ରାପ୍ତ। ଆମେ ଆମର ସମସ୍ତ ପୃଷ୍ଠପୋଷକ ଏବଂ ବିଶେଷ ଭାବରେ ଓଡିଶାର ଷ୍ଟାର୍ଟଅପ୍ ମହଲକୁ ଧନ୍ୟବାଦ ଦେଉଛୁ।”

ପ୍ରାନ୍ତେ ସଲ୍ୟୁସନ୍‌ସ ସକ୍ରିୟ ଭାବରେ କୋଭିଡ୍‌ ବିରୋଧୀ ଯୁଦ୍ଧରେ ସାମିଲ ଅଛି ଏବଂ ଓଡିଶାର ଏକମାତ୍ର କମ୍ପାନୀ ଯିଏକି ଆରଏନ୍‌ଏ ବିଚ୍ଛିନ୍ନତା କିଟ୍ ଏବଂ ସାର୍ସ-କୋଭ୍‌୨ ପାଇଁ ଆଣ୍ଟିବଡି ଚିହ୍ନଟ କିଟ୍ ବିକଶିତ କରିଛି, ଯାହାକି ଆଇସିଏମ୍‌ଆର୍‌ ଦ୍ୱାରା ସ୍ୱୀକୃତ ହୋଇଛି।