Home General ରାଜଧାନୀରେ ଭିନ୍ନକ୍ଷମଙ୍କ ପାଇଁ ପ୍ରଥମ ପାର୍କ

ରାଜଧାନୀରେ ଭିନ୍ନକ୍ଷମଙ୍କ ପାଇଁ ପ୍ରଥମ ପାର୍କ

ଭୁବନେଶ୍ୱର,; ଭୁବନେଶ୍ୱରର ସେନ୍‌ସୋରୀ ପାର୍କ ଆଜି ଉଦ୍‌ଘାଟିତ ହୋଇଯାଇଛି। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ ହୋଇଥିବା ଏହି ପାର୍କକୁ ଉଦ୍‌ଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ ୍‌(ବିଏସ୍‌ସିଏଲ) ର ପ୍ରଚେଷ୍ଟାରେ ସ୍ଥାନୀୟ ସହୀଦନଗର ଠାରେ ଏହି ବିକାଶ ମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ଓଡ଼ିଶା ସରକାର ଉକ୍ତ ପାର୍କରେ ଭିନ୍ନକ୍ଷମଙ୍କ ଆମୋଦ ପ୍ରମୋଦ ନିମନ୍ତେ ଉପକରଣମାନ ଯୋଗାଇ ଦେଇଛନ୍ତି ।

ଉଦ୍‌ଘାଟନୀର ଅନ୍ୟତମ ଅତିଥିଭାବେ ରହିଥିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମେୟର ଶ୍ରୀମତୀ ସୁଲୋଚନା ଦାସ୍‌, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ୱାର୍ଡ ନଂ ୩୦ ର କର୍ପୋରେଟର୍ ଶ୍ରୀ ରାଜକିଶୋର ଦାସ୍ । ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ସହରାଂଚଳ କର୍ତୃପକ୍ଷଙ୍କ ଏପରି ଉଦ୍ୟମର ପ୍ରଶଂସା କରିବା ସହିତ କହିଥିଲେ ଯେ ଭିନ୍ନକ୍ଷମଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ସହଯୋଗ ବଜାୟ ରହିବ ।

ପ୍ରତ୍ୟେକ ଗୋଷ୍ଠୀ ପାଇଁ ଉଦ୍ୟାନ ଏକ ମୌଳିକ ଆବଶ୍ୟକତା ହୋଇଥିବାବେଳେ ସବୁ ବର୍ଗର ଆବାଳବୃଦ୍ଧବନିତାଙ୍କ ମାନସିକ ସ୍ୱାସ୍ଥ୍ୟର ଏକ ଉପାଦାନ ଭାବେ ରହିଆସିିଛି । ଏକ ପାର୍କ ସଂପୃକ୍ତ ସ୍ଥାନର ପରିବେଶକୁ ଉନ୍ନତ କରାଇଥାଏ । ତେବେ ଏଥିରେ ଅର୍ନ୍ତଭୁକ୍ତିକରଣ ଉପାଦାନ ରହିଥିଲେ ଏହା ସମସ୍ତ ବର୍ଗର ବ୍ୟକ୍ତିଙ୍କର ଶାରୀରିକ, ସାମାଜିକ ଏବଂ ମାନସିକ ବିକାଶ ପାଇଁ ସହାୟକ ହୋଇଥାଏ । ତେଣୁ ବିଏସ୍‌ସିଏଲ୍ ର ସେନ୍‌ସୋରୀ ପାର୍କରେ ସ୍ମାର୍ଟସିଟି କାର୍ଯ୍ୟକ୍ରମ ଅଧିନରେ ପ୍ରତ୍ୟେକ ବୟସର ଏବଂ ସମସ୍ତ ପ୍ରକାରର ଭିନ୍ନକ୍ଷମ କିପରି ଏହି ପାର୍କରେ ସୁରକ୍ଷିତ ଭାବେ ସମୟ ବିତାଇ ପାରିବେ ସେଥିପାଇଁ ଆୟୋଜନମାନ କରାଯାଇଛି ।

ରହିଥିବା ବ୍ୟବସ୍ଥା ମଧ୍ୟରେ ଇପିଡିଏମ୍‌ର ବରଚଟାଣ, ଶାରୀରିକ ଭିନ୍ନକ୍ଷମ ଶିଶୁଙ୍କ ନିମନ୍ତେ ଖେଳସରଂଜାମ, ସ୍ୱତନ୍ତ୍ର ମୁକ୍ତାକାଶ ବ୍ୟୟାମ ଉପକରଣ ଇତ୍ୟାଦି ନିୟମାବଳୀର ଅନୁସରଣ କରାଯାଇ ସ୍ଥାପନ କରାଯାଇଛି । ସେନ୍‌ସୋରୀ ପାର୍କ ବିଏସ୍‌ସିଏଲ୍‌ର ଏକ ମୁଖ୍ୟ କାର୍ଯ୍ୟଯୋଜନା ହୋଇଥିବାବେଳେ ୧୬,୧୧୭ ବର୍ଗଫୁଟ(୦.୩୭ ଏକର) ପରିବେଷ୍ଠିତ ସ୍ଥାନରେ ଏହି ପାର୍କ କରିବାପାଇଁ ଏକ କୋଟି ଟଙ୍କା ବ୍ୟୟ ହୋଇଛି ।

ବିଏମ୍‌ସି କମିଶନର ତଥା ବିଏସ୍‌ସିଏଲର ସିଇଓ ସଂଜୟ କୁମାର ସିଂହ କହିଲେ ଯେ ସହୀଦ ନଗର ଇଲାକାରେ ବାସକରୁଥିବା ଭିନ୍ନକ୍ଷମଙ୍କ ନିମନ୍ତେ ଏହି ପାର୍କର ସ୍ୱତନ୍ତ୍ର ବ୍ୟବସ୍ଥା ଖୁବ୍ ଉପାଦେୟ ହୋଇପାରିବ । ବିଏସ୍‌ସିଏଲର ଜେନେରାଲ୍ ମ୍ୟାନେଜର କମଲ୍‌ଜିତ୍ ସାସ୍ ଏହି ଅବସରରେ କହିଥିଲେ ଯେ ସକାଳ ସନ୍ଧ୍ୟା ଉଭୟ ସମୟରେ ଭିନ୍ନକ୍ଷମ ଏବଂ ସେମାନଙ୍କର ପରିବାରବର୍ଗ ଏଥିରୁ ଆନନ୍ଦ ପାଇବେ । ଯୁବବର୍ଗଙ୍କ ଶାରୀରିକ ଏବଂ ବୌଦ୍ଧିକ ବିକାଶରେ ମଧ୍ୟ ଏହା ସହଯୋଗୀ ହେବ ।