Home News in Odia ରତ୍ନଭଣ୍ଡାର ଖୋଲିବାକୁ ଦାବି

ରତ୍ନଭଣ୍ଡାର ଖୋଲିବାକୁ ଦାବି

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ପୁରୀ ଜଗନ୍ନାଥ ମନ୍ଦିର ବନ୍ଦ ରହୁଥିବା ପରିପ୍ରେକ୍ଷୀରେ ରତ୍ନଭଣ୍ଡାର ସମ୍ପତ୍ତିର ପୂର୍ଣ୍ଣାଙ୍ଗ ତନଖି କରି ତାଲିକା ପ୍ରସ୍ତୁତ ଲାଗି ଏବେ ଭକ୍ତ ମହଲରୁ ପୁଣି ଦାବି ଉଠୁଛି ।

ଚାଳିଶ ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯାଇ ନାହିଁ କିମ୍ବା ସେଠାରେ ଥିବା ମୂଲ୍ୟବାନ ସମ୍ପତ୍ତିର ଆଉ ହିସାବ ନିକାଶ କରାଯାଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ ୧୯୭୮ ମସିହାରେ ମଇ ୧୩ରୁ ଜୁଲାଇ ୨୩ତାରିଖ ମଧ୍ୟରେ ଭିତର ଓ ବାହାର ରତ୍ନଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ସରକାରୀ ତଥ୍ୟ ମୁତାବକ ସେତେବେଳେ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ମୂଲ୍ୟବାନ ପଥର ସହିତ ୧୨,୮୩୧ ଭରି ଏକ ଅଣା ଓଜନର ସୁବର୍ଣ୍ଣ ଏବଂ ୨୨,୧୫୩ ଭରି ରୂପା ଅଳଙ୍କାର ଓ ସାମଗ୍ରୀ ମହଜୁଦ ଥିଲା । ଏହାଛଡା ଆଉ ୧୪ଟି ସୁନା ଓ ରୂପା ଜିନିଷ ବିଭିନ୍ନ କାରଣରୁ ଓଜନ ହୋଇପାରି ନଥିବାରୁ ଏହାର ପରିମାଣ ଏହି ତାଲିକାରେ ସାମିଲ କରାଯାଇ ନଥିଲା ।

ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ରତ୍ନଭଣ୍ଡାରର ସାମଗ୍ରୀର ଆକଳନ କରିବାପାଇଁ ଆଇନ୍‍ଗତ ବ୍ୟବସ୍ଥା ରହିଛି । ତେବେ ପ୍ରାୟ ୪୪ବର୍ଷ ଧରି ଆଉ କାହିଁକି ଏହି ସାମଗ୍ରୀର ହିସାବ ନିକାଶ କରାଯାଉନାହିଁ ସେ ସମ୍ପର୍କରେ କାହା ପାଖରେ କିଛି ଉତ୍ତର ନାହିଁ । ଇତି ମଧ୍ୟରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସମ୍ପତ୍ତିର ପରିମାଣ ବଢିଛି କି କମିଛି ସେ ସଂକ୍ରାନ୍ତରେ ବି କେହି ସ୍ପଷ୍ଟଭାବେ କିଛି କହିପାରୁ ନାହାନ୍ତି ।

ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀମନ୍ଦିରର ନିରାପତ୍ତା ଅନୁଧ୍ୟାନ ଅବସରରେ ଭିତର ରତ୍ନଭଣ୍ଡାରର ସ୍ଥିତି ପରଖିବା ପାଇଁ ଏକ ଉଚ୍ଚସ୍ତରୀୟ ଦଳ ଗଠନ କରାଯାଇଥିଲା । ତେବେ ଏହି ଦଳ ଅନୁଧ୍ୟାନ କରିବାକୁ ଯିବାବେଳେ ଭିତର ରତ୍ନଭଣ୍ଡାରର ଚାବି ହଜି ଯାଇଥିବା କୁହାଯିବାରୁ ଅନୁଧ୍ୟାନକାରୀଦଳ ଭିତରେ ପ୍ରବେଶ ନକରି ବାହାରୁ ମନ୍ଦିରର ପରିସ୍ଥିତି ନିରୀକ୍ଷଣ କରି ଫେରିଥିଲେ ।

ଏହି ଘଟଣା ଘେନି ଚହଳ ସୃଷ୍ଟି ହୋଇଥିବାବେଳେ ପ୍ରକୃତ କାରଣ ଅନୁଧ୍ୟାନ କରିବାପାଇଁ ଓଡିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଜଣିକିଆ କମିଶନ ଗଠନ କରାଯାଇଥିଲା । କମିଶନ ଚାବି ଖୋଜି ପାଇଲେ କି ନାହିଁ ଏବଂ ଯଦି ଚାବି ହଜିଥିଲା ତେବେ କେଉଁ ପରିପ୍ରେକ୍ଷୀରେ ଓ କିପରି ତାହା ହଜିଲା ସେ ସଂକ୍ରାନ୍ତରେ କମିଶନ କ’ଣ ଉଲ୍ଲେଖ କରିଛନ୍ତି ତାହା ଏଯାବତ୍‍ ସାର୍ବଜନୀନ ହୋଇନାହିଁ । ଅଥଚ କମିଶନ ପାଇଁ ରାଜକୋଷରୁ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ ହୋଇଥିବା କୁହାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ରତ୍ନଭଣ୍ଡାର ଚାବି ହଜିବା ଘେନି ଚହଳ ସୃଷ୍ଟି ହୋଇଥିବାବେଳେ ଆକସ୍ମିକ ଭାବେ ପୁରୀ କଲେକ୍ଟରିଏଟ୍‍ର ରେକର୍ଡ ରୁମ୍‍ରୁ ଏକ ଲଫାପା ଭିତରେ ଥିବା ଚାବି ମିଳିଥିଲା ଓ ତାହା ରତ୍ନଭଣ୍ଡାରର ଚାବି ବୋଲି ସେତେବେଳେ କୁହାଯାଇଥିଲା । କିନ୍ତୁ ଯଦି ଏହା ରତ୍ନଭଣ୍ଡାରର ଚାବି ତାହା ରେକର୍ଡ ରୁମ୍‍କୁ କିଭଳି ଆସିଲା ସେ ସଂକ୍ରାନ୍ତରେ ବି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିରବ ଅଛନ୍ତି ।

ଏ ସଂକ୍ରାନ୍ତରେ ଯେଉଁ ସନ୍ଦେହର ବାତାବରଣ ଲାଗି ରହିଛି ତାହାକୁ ଦୂର କରିବାପାଇଁ କରୋନା ପରିପ୍ରେକ୍ଷୀରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ବନ୍ଦ ଥିବାବେଳେ ଏ ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ରତ୍ନଭଣ୍ଡାର ସମ୍ପତ୍ତି ଯାଞ୍ଚ ପାଇଁ ପୁଣି ଦାବି ଉଠୁଛି । (ତଥ୍ୟ)