Home Infrastructure ମିଶନ ଶକ୍ତି ଗୃହ ନିମନ୍ତେ ୩୧୭ କୋଟି ମଞ୍ଜୁର

ମିଶନ ଶକ୍ତି ଗୃହ ନିମନ୍ତେ ୩୧୭ କୋଟି ମଞ୍ଜୁର

ଭୁବନେଶ୍ୱର : ରାଜ୍ୟ ସରକାର ରାଜ୍ୟର ସହରାଞ୍ଚଳର ପ୍ରତି ୱାର୍ଡରେ ଏବଂ ପ୍ରତି ଗ୍ରାମପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏସ୍‌ଏଚ୍‌ଜିମାନଙ୍କ ନିମନ୍ତେ ଏହି ଉତ୍ସର୍ଗୀକୃତ ଭିତ୍ତିଭୂମି ନିର୍ମାଣ ସେମାନଙ୍କ ବିଭିନ୍ନ ଦଳଗତ କାର୍ଯ୍ୟକଳାପ, କୌଶଳ ବିକାଶ, ବଜାର ସଂଯୋଗୀକରଣ ଏବଂ ସର୍ବୋପରି ସେମାନଙ୍କ ନିଜସ୍ୱ ବ୍ୟବହାର ପାଇଁ ଏକ ନିର୍ଭରଯୋଗ୍ୟ ସ୍ଥାନରେ ପରିଣତ ହୋଇଛି ।

ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ୱାର୍ଡରେ ଏହି ଗୃହ ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ।

୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମପଞ୍ଚାୟତ/ୱାର୍ଡ ସ୍ତରରେ ନିର୍ମିତ ହେବାକୁ ଥିବା ପ୍ରତି ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଏବଂ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି । ଗୃହ ନିର୍ମାଣ ହେବା ପରେ ଚିହ୍ନଟ ହୋଇଥିବା ନୋଡାଲ ଏସ୍‌ଏଚ୍‌ଜିମାନଙ୍କୁ ଏହାର ପରିଚାଳନା ଭାର ଦିଆଯାଉଛି । ସ୍ଥାନୀୟ ଅଞ୍ଚଳର ସମସ୍ତ ଏସ୍‌ଏଚ୍‌ଜି ଏହି ଗୃହକୁ ଆସିବା ସହ ମିଶନ ଶକ୍ତି ସଂପର୍କିତ କାର୍ଯ୍ୟ ପାଇଁ ବ୍ୟବହାର ମଧ୍ୟ କରିପାରିବେ ।

ଏ ଯାବତ୍‌ ନିର୍ମାଣ ହୋଇସାରିଥିବା ପାଖାପାଖି ୧୦୦୦ଟି ମିଶନ ଶକ୍ତି ଗୃହ ଏସ୍‌ଏଚ୍‌ଜିମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳାମାନଙ୍କ ସାମୂହିକ ଏବଂ ଦଳଗତ କାର୍ଯ୍ୟକ୍ରମ ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଉଭୟ ସହର ଓ ଗ୍ରାମାଞ୍ଚଳର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ଏକ ପ୍ରମୁଖ ଉପାଦାନରେ ରୂପାନ୍ତରିତ ହୋଇଛି ।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତରେ ‘ଅଗ୍ରଗତି ଏସ୍‌ଏଚ୍‌ଜି’ ଦ୍ୱାରା ମାତ୍ର ୬ ମାସ ମଧ୍ୟରେ ୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିଲା । ଏହି ମିଶନ ଶକ୍ତି ଗୃହର ପରିଚାଳନା ଦାୟିତ୍ୱ ‘ପ୍ରଗତି ଏସ୍‌ଏଚ୍‌ଜି’କୁ ହସ୍ତାନ୍ତର କରାଯାଇଛି । ଏସ୍‌ଏଚ୍‌ଜିମାନଙ୍କ ବହୁବିଧ କାର୍ଯ୍ୟକ୍ରମ ତଥା ନିୟମିତ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ଏସ୍‌ଏଚ୍‌ଜି ଏବଂ ଗ୍ରାମ ପଞ୍ଚାୟତ ସ୍ତରର ସଂଘମାନେ ଏହି ଗୃହକୁ ବ୍ୟବହାର କରୁଛନ୍ତି ।

ଏତଦ୍‌ବ୍ୟତୀତ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ଅନ୍‌ଲାଇନ୍‌ ପଂଜୀକରଣ ଏବଂ ଅନ୍ୟାନ୍ୟ ଧାନସଂଗ୍ରହ ସଂପର୍କିତ କାର୍ଯ୍ୟକ୍ରମ ମଧ୍ୟ ଏହି ଗୃହରେ କରାଯାଉଛି । ପଞ୍ଚାୟତସ୍ତରରେ ଏସ୍‌ଏଚ୍‌ଜିମାନଙ୍କ ପାଇଁ ଏହି ଭଳି ଭିତ୍ତିଭୂମି ନିର୍ମାଣ ଓଡ଼ିଶାରେ ଏସ୍‌ଏଚ୍‌ଜି ଆନ୍ଦୋଳନକୁ ଆହୁରି କି୍ରୟାଶୀଳ କରିପାରିଛି ।

LEAVE A REPLY

Please enter your comment!
Please enter your name here