Home Education ମାଳମାଳ ସମସ୍ୟାରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ

ମାଳମାଳ ସମସ୍ୟାରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ରମା ଦେବୀ ମହିଳା ସ୍ୱୟଂଶାସିତ କଲେଜକୁ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବାର ପ୍ରାୟ ୭ବର୍ଷ ସମୟ ଅତିକ୍ରାନ୍ତ କରିବାକୁ ଯାଉଥିଲେ ମଧ୍ୟ ଏଯାବତ୍‍ ଏହି ବିଶ୍ୱବିଦ୍ୟାଳୟର ସଂପ୍ରସାରିତ ଦ୍ୱିତୀୟ କ୍ୟାମ୍ପସ ପାଇଁ ରାଜଧାନୀରେ ଜାଗା ଚିହ୍ନଟ ହୋଇପାରି ନାହିଁ । ଏହାଛଡା ପ୍ରାୟ ୧୦ବର୍ଷ ତଳେ ଏହି ଶିକ୍ଷାନୁଷ୍ଠାନ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ଲାଗି ମନ୍ତ୍ରୀ, ମେୟର, ବିଧାୟକ ଓ କର୍ପୋରେଟର ଆଦିଙ୍କ ଦ୍ୱାରା ଜାକଜମକରେ ଶିଳାନ୍ୟାସ କରାଯାଇଥିଲେ ବି ଏଯାବତ ଏହି କାମ ଆରମ୍ଭ ହୋଇପାରି ନାହିଁ ।

୧୯୬୪ ମସିହାରେ ରାଜ୍ୟର ଦ୍ୱିତୀୟ ସରକାରୀ ମହିଳା କଲେଜ ଭୁବନେଶ୍ୱରରେ ପ୍ରତିଷ୍ଠିତ ହୋଇଥିବା ଏବଂ ବନମାଳୀ ପଟ୍ଟନାୟକ ଶିକ୍ଷାମନ୍ତ୍ରୀ ଥିବା ସମୟରେ ତାଙ୍କ ଆଗ୍ରହ ଯୋଗୁଁ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଏହି ମହିଳା ମହାବିଦ୍ୟାଳୟର ନାମ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସର୍ବୋଦୟ ନେତ୍ରୀ ତଥା ସେବା, ତ୍ୟାଗ ଓ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ ମା’ ରମା ଦେବୀଙ୍କ ନାମରେ ନାମିତ କରାଯାଇଥିଲା । ଅବଶ୍ୟ ସେତେବେଳେ ମା’ ରମାଦେବୀ ତାଙ୍କ ନାମରେ ଏହି ଶିକ୍ଷାନୁଷ୍ଠାନକୁ ନାମିତ କରିବା ସପକ୍ଷରେ ନଥିଲେ ।

୨୦୧୪ ବର୍ଷରେ ରମା ଦେବୀ ସ୍ୱୟଂଶାସିତ ମହିଳା କଲେଜ ତାହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା, ଯେଉଁଥିରେ ଭାରତର ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ପରବର୍ଷ ଅର୍ଥାତ ୨୦୧୫ ମସିହାରେ ଏହି ସ୍ୱୟଂଶାସିତ ମହିଳା କଲେଜକୁ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ନାମରେ ନାମିତ କରାଯିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟ ନିୟନ୍ତ୍ରଣରେ ଥିବା ପ୍ରାୟ ୪୬ଟି ମହିଳା କଲେଜକୁ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନରେ ରଖାଯାଇଛି ।

୭ବର୍ଷ ଧରି ଏହି ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଯୋଗାଇବା କଥା ଘେନି ସରକାରୀ, ବେସରକାରୀ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଚର୍ଚ୍ଚା ଚାଲିଛି । କିନ୍ତୁ ଏଯାବତ୍‍ ଏହି ଗୌରବାବହ ଶିକ୍ଷାନୁଷ୍ଠାନ ପାଇଁ ଆବଶ୍ୟକୀୟ ଜମି ଯୋଗାଣ ହୋଇପାରି ନଥିବା ବେଳେ ଅନ୍ୟ ବହୁ ସରକାରୀ ଓ ବେସରକାରୀ ସଂସ୍ଥାକୁ କିନ୍ତୁ ରାଜଧାନୀ ଉପକଣ୍ଠରେ ଇତିମଧ୍ୟରେ ବିପୁଳ ପରିମାଣର ଜମି ଯୋଗାଣ ଚାଲିଛି ।

ଏହି ବିଶ୍ୱବିଦ୍ୟାଳୟ ପରିସରରେ କୁଳପତିଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ସୌଧ ରହୁଛି । ଏହାଛଡା ଛାତ୍ରୀମାନଙ୍କ ଶ୍ରେଣୀ କକ୍ଷ, ଛାତ୍ରୀ ନିବାସ ଆଦି ମଧ୍ୟ ରହିଥିବା ବେଳେ ଖେଳ ପଡିଆ ଆଦି ସଂକୁଚିତ ହୋଇଗଲାଣି । ଏହି ବିଶ୍ୱବିଦ୍ୟାଳୟରେ ଯୁକ୍ତଦୁଇ, ଯୁକ୍ତତିନି, ସ୍ନତକୋତ୍ତର, ଏମ୍‍-ଫିଲ, ପିଏଚଡି ସମେତ ଅନ୍ୟାନ୍ୟ ଧନ୍ଦାମୂଳକ ପାଠ୍ୟକ୍ରମ ଚାଲୁଛି ।

ବିଶ୍ୱବିଦ୍ୟାଳୟ ପୁରୁଣା କଲେଜ ପରିସରରେ ଚାଲୁଥିବାରୁ ଯୁକ୍ତଦୁଇରୁ ସ୍ନତକୋତ୍ତର ପର୍ଯ୍ୟନ୍ତ ଶ୍ରେଣୀ କାର୍ଯ୍ୟ ତୁଲାଇବାରେ ଅସୁବିଧା ଉପୁଜୁଥିବା ଅନେକ ଛାତ୍ରୀ ଅଭିଯୋଗ କରୁଛନ୍ତି । ଯୁକ୍ତଦୁଇ, ଯୁକ୍ତତିନି, ସ୍ନାତକୋତ୍ତର ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଥିବା ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀରୁ ଅଧିକାଂଶ ବର୍ଷ ବର୍ଷ ଧରି ଖାଲି ପଡିଛି ।

ଏଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବା ସହ ବିଶ୍ୱବିଦ୍ୟାଳୟ ଦପ୍ତର ସହିତ ସ୍ନାତକୋତ୍ତର, ପିଏଚଡି, ଏମ-ଫିଲ୍‍ ଆଦି ଶ୍ରେଣୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି ଦାବି ହେଉଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଏଯାବତ୍‍ ସ୍ୱତନ୍ତ୍ର କ୍ୱାର୍ଟର୍ସ ନିର୍ମିତ ହୋଇନଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଏ ପରିପ୍ରେକ୍ଷୀରେ ୯ ନମ୍ବର ୟୁନିଟ୍‍ରେ ଥିବା ବିଶ୍ୱବିଦ୍ୟାଳୟ ସଂଲଗ୍ନ ସରକାରୀ କ୍ୱାର୍ଟର୍ସଗୁଡିକରୁ ଅନ୍ୟୂନ ୨ଶହଟି ବିଶ୍ୱବିଦ୍ୟାଳୟକୁ ଯୋଗାଇ ଦେବା ସହିତ ଏହି କ୍ୱାର୍ଟର୍ସ ରହିଥିବା ଜମିକୁ ମଧ୍ୟ ବିଶ୍ୱବିଦ୍ୟାଳୟ ନାମରେ ଦରଜ କରିବାକୁ ଦାବି ହେଉଛି ।

ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଯାଇଥିବା ରାସ୍ତାରେ ପ୍ରାୟ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ପରିପ୍ରେକ୍ଷୀରେ ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀଙ୍କ ନିରାପତ୍ତା ଦୃଷ୍ଟିରୁ ରାସ୍ତା ପାରି ହେବା ପାଇଁ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଏକ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ପ୍ରାୟ ୧୦ବର୍ଷ ତଳେ ବହୁ କ୍ଷମତାଶାଳୀ ବ୍ୟକ୍ତିଙ୍କ ଉପସ୍ଥିତିରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲେ ବି ଏହି କାମ ଆଦୌ ଆରମ୍ଭ ହୋଇନଥିବା ଘେନି ଅନେକ ଛାତ୍ରୀ ଖୋଲା ଅଭିଯୋଗ କରିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here