Home Covid ୪୦ଦିନ ପରେ ହଜାରେ ତଳେ କରୋନା

୪୦ଦିନ ପରେ ହଜାରେ ତଳେ କରୋନା

ଭୁବନେଶ୍ୱର : ଦୀର୍ଘ ୪୦ ଦିନ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ତଳକୁ ଖସିଛି । ଜାନୁୟାରୀ ୪ ତାରିଖରେ ରାଜ୍ୟରେ ୬୮୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢିଥିଲା । ଜାନୁୟାରୀ ୧୯ ତାରିଖରେ ସର୍ବାଧିକ ୧୧,୬୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ସଂକ୍ରମଣ ହାର ହ୍ରାସ ପାଇଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୫୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୭୨ ଜଣ ଶିଶୁ ଥିବାବେଳେ କ୍ୱାରେଣ୍ଟାଇନ୍‍ରୁ ୫୦୩ ଜଣ ଓ ଲୋକାଲରୁ ୩୫୬ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୭୮,୧୨୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୨,୫୭,୮୪୦ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧,୩୨୪କୁ ହ୍ରାସ ପାଇଛି ।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍‍ଲାରୁ ସର୍ବାଧିକ ୧୦୬ ଜଣ ଥିବାବେଳେ କୋରାପୁଟରୁ ଦ୍ୱିତୀୟ ସର୍ବାଧିକ ୭୧ଜଣ ରହିଛନ୍ତି । କଟକରୁ ୬୫ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୬୨,ଅନୁଗୁଳ ଓ ଯାଜପୁରରୁ ୪୫ଜଣ କରି ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ସର୍ବନିମ୍ନ ୮ଜଣ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିର, ଢେଙ୍କାନାଳ ଓ ଦେବଗଡରୁ ୯ଜଣ କରି ବାହାରିଛନ୍ତି ।

ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ତଳକୁ ଆସିବା ସହିତ ଖୋରଧା ଜିଲ୍ଲା ରେଡ୍‍ ଜୋନ୍‍ରୁ ୟେଲୋ ଜୋନ୍‍କୁ ଆସିଛି । ଏହି ଜିଲ୍ଲାରେ ଏବେ ୧୯୩୭ ସକ୍ରିୟ କରୋନା ରୋଗୀ ଅଛନ୍ତି । ମାଲକାନଗିରି ଓ ଝାରସୁଗୁଡା ଜିଲ୍ଲାକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ତିନି ଅଙ୍କରେ ରହିଛି । ମାଲକାନଗିରିରେ ୪୫ ସକ୍ରିୟ କରୋନା ଆକ୍ରାନ୍ତ ଥିବାବେଳେ ଝାରସୁଗୁଡାରେ ଏହି ସଂଖ୍ୟା ୮୧ ରହିଛି ।