Home Administration ଭୋଜି ଆୟୋଜନକାରୀ ପୁଣି ହତାଶ

ଭୋଜି ଆୟୋଜନକାରୀ ପୁଣି ହତାଶ

ଭୁବନେଶ୍ୱର : ରାଜଧାନୀରେ ଭୋଜିଭାତ ପାଇଁ ହୋଟେଲ, ମଣ୍ଡପଗୁଡିକୁ ଆଗୁଆ ସଂରକ୍ଷଣ କରିଥିବା ଲୋକେ ପୁଣି ହତାଶ ହୋଇଛନ୍ତି । ଅନୁରୂପ ଭାବେ ହୋଟେଲ ଓ ମଣ୍ଡପ ମାଲିକଙ୍କ ଚିନ୍ତା ବି ବଢିଯାଇଛି । ସାମାଜିକ ଉତ୍ସବ କ୍ଷେତ୍ରରେ ୫୦ଜଣିଆ କଟକଣା ଫେରିଥିବାରୁ ଏଭଳି ସ୍ଥିତି ଉପୁଜିଛି ।

ପୂର୍ବରୁ ବିବାହ ଭୋଜି ପାଇଁ ସର୍ବାଧିକ ୫୦ଜଣ ଲୋକଙ୍କ ଲାଗି ଅନୁମତି ଦିଆଯାଉଥିଲା । ପରେ କଟକଣା କୋହଳ କରାଯାଇ ବିବାହ ଭୋଜିରେ ୨୫୦ପର୍ଯ୍ୟନ୍ତ ଜନସମାଗମ ହୋଇପାରିବ ବୋଲି କୁହାଯାଇଥିଲା । ତେବେ ସଂଖ୍ୟାଧିକ କ୍ଷେତ୍ରରେ ୨୫୦ ଲୋକଙ୍କ ପାଇଁ ଅନୁମତି ନେଇ ଢେର ଅଧିକ ଗୁଣ ଲୋକଙ୍କୁ ଭୋଜି ସଭାକୁ ଡକାଯାଉଥିଲା ।

ଏବେ କରୋନାର ତୃତୀୟ ଲହର ମୁଣ୍ଡଉପରେ ଝୁଲୁଥିବାବେଳେ ଶୀତଦିନ ଓ ପାର୍ବଣ ଋତୁରେ କୋହଳ କଟକଣା ଯୋଗୁଁ ସଂକ୍ରମଣ ବଢିବା ଆଶଙ୍କା ଥିବା ପରିପ୍ରେକ୍ଷୀରେ ବିଏମ୍‍ସି ପୁଣି ନୂଆ କଟକଣା ଜାରି କରି ଏଭଳି ଉତ୍ସବାନୁଷ୍ଠାନରେ ସର୍ବାଧିକ ୫୦ ଜଣ ପର୍ଯ୍ୟନ୍ତ ଲୋକ ଅଂଶଗ୍ରହଣ କରିପାରିବେ ବୋଲି କହିଛନ୍ତି ।

କଟକଣା କୋହଳ ହେବାପରେ ବହୁ ଲୋକ ବାହାଘର ଭୋଜି ପାଇଁ ରାଜଧାନୀରେ ହୋଟେଲ ଓ ମଣ୍ଡପ ଆଦି ସଂରକ୍ଷଣ କରିବା ସହ ଭୋଜିଭାତ ପାଇଁ ଅଗ୍ରୀମ ଅର୍ଥ ଦେଇଛନ୍ତି । ଏମିତିକି ବାହାଘର ଶୋଭାଯାତ୍ରା ପାଇଁ ବି ଡିଜେ ବ୍ୟବସ୍ଥା କରିଛନ୍ତି । କିନ୍ତୁ ନୂଆ କଟକଣା ଯୋଗୁଁ ଜନସମାଗମ ୫୦ରୁ ଅଧିକ ହେବନାହିଁ ବୋଲି କୁହାଯାଇଥିବା ପରିପ୍ରେକ୍ଷୀରେ ଅଗ୍ରୀମ ଅର୍ଥ ସବୁ ପାଣିରେ ପଡିବାକୁ ଯାଉଛି ।

କେବଳ ବିବାହ ଉତ୍ସବ ନୁହେଁ ଶୁଦ୍ଧି, ଶ୍ରାଦ୍ଧ, ବ୍ରତପୋନୟନ, ଜନ୍ମଦିନ ଓ ଅନ୍ୟାନ୍ୟ ସାମାଜିକ ଉତ୍ସବ ଲାଗି ମଧ୍ୟ ଲୋକସଂଖ୍ୟା ୫୦ ଭିତରେ ରହିବ । ଏହି କଟକଣା ଯୋଗୁଁ ହୋଟେଲ, ମଣ୍ଡପ, କ୍ୟାଟରିଂ ସଂସ୍ଥା, ଟେଣ୍ଟହାଉସ୍‍ ଆଦି ପୁଣି ଗୁରୁତର କ୍ଷତିର ସମ୍ମୁଖୀନ ହେବେ ବୋଲି କହୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଯେଉଁ ହୋଟେଲ ଓ ମଣ୍ଡପରେ ଏଭଳି ସାମାଜିକ ଉତ୍ସବରେ ଅଧିକ ଜନସମାଗମ ଲକ୍ଷ୍ୟ କରାଯିବ ଏବଂ ଯଦି ସେଠାରେ ଲୋକେ ମାସ୍କ ନପିନ୍ଧନ୍ତି କିମ୍ବା ନିଜ ନିଜ ମଧ୍ୟରେ ୬ଫୁଟ ବ୍ୟବଧାନର ଦୂରତା ରକ୍ଷା ନକରନ୍ତି ଓ ସେଠାରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜର ବ୍ୟବସ୍ଥା ନଥାଏ ତେବେ ସେଗୁଡିକୁ କର୍ତ୍ତୃପକ୍ଷ ସିଲ୍‍ କରି ଆଇନାନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ତେବେ ସମାଜବିଜ୍ଞାନୀ ଓ ଅର୍ଥଶାସ୍ତ୍ରୀମାନେ ଏଭଳି କଟକଣାକୁ ସବୁଦିନ ଲାଗି ବଳବତ୍ତର ରଖିବାକୁ ମତ ଦେଉଛନ୍ତି । ଏଭଳି ଲୋକ ଦେଖାଣିଆ ଭୋଜିଭାତ ଓ ସମାବେଶରେ ବ୍ୟାପକ ଅର୍ଥ ବରବାଦ ହେବା ସଂଗେ ସଂଗେ ରୋଗ ବ୍ୟାଧି ବ୍ୟାପିଥାଏ । ତେଣୁ କରୋନାକାଳର ଏହି କଟକଣାକୁ ସାମାଜିକ ବ୍ୟବସ୍ଥାରେ ବରଦାନ ଭାବେ ଗ୍ରହଣ କରିନେଲେ ତାହା ବହୁ ସମସ୍ୟାର ସମାଧାନ କରିବ ବୋଲି ସେମାନେ ମତ ଦେଉଛନ୍ତି । (ତଥ୍ୟ)