Home Infrastructure ଓଡିଶାକୁ ତିନି କୋଲ ୱାସେରୀ

ଓଡିଶାକୁ ତିନି କୋଲ ୱାସେରୀ

ଭୁବନେଶ୍ୱର : କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦେଶରେ ୧୨ଟି କୋଲ ୱାସେରୀ (ଅପରିଷ୍କୃତ କୋଇଲା ବିଶୋଧନ ପ୍ରକଳ୍ପ) ପ୍ରତିଷ୍ଠା ପାଇଁ ନିଷ୍ପତ୍ତି କରିଥିବାବେଳେ ଓଡିଶା ଏଥିରୁ ୩ଟି ପାଇବ ।

କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଚଳିତବର୍ଷ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଥିବାବେଳେ କୋଇଲା ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠା ଲାଗି ଅଗ୍ରାଧିକାର ଭିତ୍ତିରେ ଯୋଜନା କରିଛନ୍ତି । ମହାନଦୀ କୋଲଫିଲ୍ଡସ୍‍ ଲିମିଟେଡ (ଏମ୍‍ସିଏଲ୍‍) ଜରିଆରେ ଇବ୍‍ ଉପତ୍ୟକା ଓ ତାଳଚେର ଠାରେ ୩ଟି କୋଇଲା ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠା ହେବ । ପ୍ରତ୍ୟେକ ପ୍ରକଳ୍ପର କ୍ଷମତା ବାର୍ଷିକ ୧୦ ନିୟୁତ ଟନ୍‍ ହିସାବରେ ଏହି ତିନିଟି ପ୍ରକଳ୍ପ ଜରିଆରେ ୩୦ ନିୟୁତ ଟନ୍‍ କୋଇଲା ବିଶୋଧନ ହୋଇପାରିବ ।

ଇବ୍‍ ଉପତ୍ୟକାରେ ଗୋଟିଏ ୧୦ ନିୟୁତ ଟନ୍‍ କ୍ଷମତା ବିଶିଷ୍ଟ ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠା ପ୍ରସ୍ତାବ ଥିବାବେଳେ ତାଳଚେର କୋଇଲା ଖଣି ଇଲାକାରେ ହିଙ୍ଗୁଳା ଓ ଜଗନ୍ନାଥପୁର ଠାରେ ଗୋଟିଏ କରି ପ୍ରକଳ୍ପ ପ୍ରତିଷ୍ଠା ହେବ । ପ୍ରତ୍ୟେକ ପ୍ରକଳ୍ପରେ ପ୍ରାୟ ୪୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିନିଯୋଗ କରାଯିବ ।

କେନ୍ଦ୍ର କୋଇଲା ମନ୍ତ୍ରାଳୟ ଯେଉଁ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି ସେଥିରେ ୧୨ଟି କୋଇଲା ବିଶୋଧନ ପ୍ରକଳ୍ପ ଜରିଆରେ ୧୨୦ ନିୟୁତ ଟନ୍‍ ଅପରିଷ୍କୃତ କୋଇଲା ବିଶୋଧନ ପାଇଁ ଯୋଜନା ରହିଛି । କେନ୍ଦ୍ର ସରକାର କୋଲ ଇଣ୍ଡିଆ ଲିମିଟେଡ ଜରିଆରେ ଏହି ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରାଉଛନ୍ତି ।

ଶିଳ୍ପସଂସ୍ଥାମାନଙ୍କୁ ଉଚ୍ଚମାନର କୋଇଲା ଯୋଗାଇବା ସଂଗେ ସଂଗେ ପରିବେଶ ପ୍ରଦୂଷଣକୁ ରୋକିବା କ୍ଷେତ୍ରରେ ଏହି ବିଶୋଧନଗାରଗୁଡିକ ବିଶେଷ ସହାୟକ ହେବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କୋଇଲା ଖଣି ଅଞ୍ଚଳରେ ପ୍ରଦୂଷଣକୁ ରୋକିବାପାଇଁ କୋଲ୍‍ ଇଣ୍ଡିଆ ପକ୍ଷରୁ ଯେଉଁ ସ୍ୱତନ୍ତ୍ର ଅଭିଯାନ ଚଳାଯାଉଛି ସେଥି ମଧ୍ୟରେ କୋଇଲା ବିଶୋଧନ ପ୍ରକଳ୍ପକୁ ଅଗ୍ରାଧିକାର ଦିଆଯାଉଛି ।

କୋଇଲାରୁ ଯେଭଳି ପାଉଁଶର ପରିମାଣ କମ୍‍ ରହିବ ସେଥିପାଇଁ ଏହି ପ୍ରକଳ୍ପ ସହାୟକ ହେବ । କାରଣ ତାପଜ ବିଦ୍ୟୁତକେନ୍ଦ୍ରଗୁଡିକୁ ବିଶୋଧିତ କୋଇଲା ଯୋଗାଇବା ଉପରେ କେନ୍ଦ୍ର ଶକ୍ତି ମନ୍ତ୍ରାଣାଳୟ ଗୁରୁତ୍ୱଆରୋପ କରୁଥିବାବେଳେ ଦୀର୍ଘଦିନ ଧରି ଏହି ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ ପରିଲକ୍ଷିତ ହେଉଥିଲା । ତେବେ ଚଳିତବର୍ଷ ଏକାଥରକେ ୧୨ଟି ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇ ଏହି ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ ପାଇଁ ସ୍ଥିରୀକୃତ ହୋଇଛି । (ତଥ୍ୟ)