Home General ବାଧିଲାଣି ଖାଇବା ତେଲ ଦର

ବାଧିଲାଣି ଖାଇବା ତେଲ ଦର

ଭୁବନେଶ୍ୱର : ବଜାରରେ ହୁ ହୁ ହୋଇ ବଢିଚାଲିଥିବା ଖାଇବାତେଲର ଦର ଗରିବ ଲୋକଙ୍କୁ ବାଧିଲାଣି । କିଲେ ଚାଉଳ ଟଙ୍କାକରେ ପାଉଥିବା ଲୋକେ ତେଲ ଲିଟରକୁ ୧୫୦ ଟଙ୍କା ଦେଇ କିଣୁଛନ୍ତି । ବଢି ଚାଲିଥିବା ତେଲ ଦରରେ ଲଗାମ ନଲାଗିଲେ ଗାଁ ଗହଳର ଲୋକେ ତେଲ ଟିକେ କିଣିବା ବି କଷ୍ଟକର ହୋଇପଡିବ ।

ବଜାରରେ ଏବେ ସୋରିଷ ତେଲ ଲିଟର ୧୫୦ରୁ ୧୬୦ଟଙ୍କାରେ ବିକ୍ରି ହେଥିବାବେଳେ ସୂର୍ଯ୍ୟମୁଖୀ ୧୪୫ରୁ ୧୫୦ ଛୁଇଁଲାଣି । ମାସକ ମଧ୍ୟରେ ଖାଇବା ତେଲ ଦର ଲିଟର ପ୍ରତି ୨୦/୨୫ ଟଙ୍କା ବଢିଗଲାଣି । ସବୁଠାରୁ ଶସ୍ତାରେ ମିଳୁଥିବା ପାମୋଲିନ ତେଲ ଦର ବି ଏବେ ଲିଟର ପ୍ରତି ୧୦୦ ଟଙ୍କାରୁ ଅଧିକ ରହିଛି । ତେଣୁ ସାଧାରଣ ଲୋକଙ୍କ ପାଇଁ ଖାଇବା ତେଲ ଏକ ପ୍ରକାର ବୋଝ ପାଲଟିଲାଣି । 

ଆମ ରାଜ୍ୟରେ ତୈଳବୀଜ ଉତ୍ପାଦନ ଅତି ନଗଣ୍ୟ ହୋଇଥିବାରୁ ବର୍ଷ ସାରା ତେଲ ଚାହିଦା ମେଣ୍ଟାଇବାପାଇଁ ଓଡିଶା ଅନ୍ୟ ରାଜ୍ୟ ଓ କମ୍ପାନୀ ଉପରେ ନିର୍ଭରଶୀଳ । ରାଜ୍ୟ ବାହାରୁ ତେଲ ଆସିଲେ ଓଡିଶାରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି । ପ୍ରତିମାସରେ ହାରାହାରି ୫୦ହଜାର ମେଟି୍ରକ ଟନ୍‌ ଖାଇବାତେଲ ଓଡିଶା ବଜାରରେ ବିକ୍ରି ହୋଇଥାଏ । କେବଳ ତେଲ ନୁହେଁ, ଓଡିଶାରେ ଥିବା ତେଲ ଘଣାକୁ ବି ରାଜ୍ୟ ବାହାରର ବ୍ୟବସାୟୀମାନେ ସୋରିଷ, ରାଶି, ବାଦାମ ଆଦି ଯୋଗାଉଛନ୍ତି । ବଜାରରେ ଏବେ ଘଣା ସୋରିଷତେଲ ଲିଟର ୨୫୦ରୁ ୨୭୦ ଟଙ୍କାରେ ବିକ୍ରି ହେଉଥିବାରୁ ତାହାକୁ କିଣିବା ସାଧାରଣ ଲୋକଙ୍କ ସାମର୍ଥ୍ୟ ବାହାରେ । 

ଖାଇବା ତେଲର ହୁ ହୁ ଦରବୃଦ୍ଧି ପାଇଁ ପାଇକାରୀ ବ୍ୟବସାୟୀମାନେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ସହିତ  ଅନ୍ୟାନ୍ୟ ଟିକସକୁ ଦାୟୀ କରୁଛନ୍ତି । ତେବେ ଯେହେତୁ ରାଜ୍ୟରେ ଚାହିଦା ମୁତାବକ ତୈଳବୀଜ କିମ୍ବା ତେଲ ଉତ୍ପାଦନ ହେଉନାହିଁ ତେଣୁ ରାଜ୍ୟବାସୀ ତେଲ ସହିତ ଏବାବଦରେ ଟିକସ ଓ ଗାଡିଭଡା ଲାଗି କୋଟି କୋଟି ଟଙ୍କା ଗଣୁଛନ୍ତି । ଗାଁ ଗହଳର ଗରିବ ଲୋକେ ଯେଉଁମାନେ କି ଟଙ୍କାକରେ କିଲୋ ଚାଉଳ ଓ ଗହମ ପାଉଛନ୍ତି ସେମାନେ ଏବେ ଖାଇବାତେଲ କିଣିବାକୁ ଥତମତ ହେଲେଣି । 

ଖାଇବାତେଲର ଦର ପ୍ରତିଦିନ ବଢୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ମନଇଚ୍ଛା ଦର କଷୁଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଦର ନିୟନ୍ତ୍ରଣ ପାଇଁ ସେଭଳି ପଦକ୍ଷେପ ନେଉନଥିବାବେଳେ ରାଜ୍ୟ ବାହାରୁ ଆମଦାନୀ ହେଉଥିବା ଟ୍ରକ ଟ୍ରକ ଖାଇବାତେଲର ମାନ ବି ନିୟମିତ ଯାଞ୍ଚ ହେଉନାହିଁ । ତେଣୁ ରାଜ୍ୟବାସୀ ଖାଉଥିବା ତେଲର ମାନ ସଂକ୍ରାନ୍ତରେ ଜାଣିବା କଷ୍ଟକର ହେଲାଣି । ତେବେ ରାଜ୍ୟ ସରକାର ତୈଳବୀଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ତୁରନ୍ତ ପଦକ୍ଷେପ ନେବା ସହିତ ରାଜ୍ୟ ବାହାରୁ ଆସୁଥିବା ଖାଇବା ତେଲର ଦର ନିୟନ୍ତ୍ରଣ ଓ ମାନ ଯାଞ୍ଚ ପାଇଁ ମତ୍ରପକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here