Home Administration ବାତ୍ୟା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରୁହ

ବାତ୍ୟା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରୁହ

ଭୁବନେଶ୍ୱର : ଥାଇଲ୍ୟାଣ୍ଡ ନିକଟରେ ସଂଗଠିତ ହୋଇଥିବା ଲଘୁଚାପ ବଳୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ସମ୍ଭାବନା ଥିବାରୁ ଯେ କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ଭିଡିଓ କନ୍ଫେରେନ୍ସିଂ ରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ୍ ପ୍ରଦୀପ କୁମାର ଜେନା କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଜୱାଦ୍ ଆସନ୍ତା ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ର ନିକଟବର୍ତ୍ତୀ ସମୁଦ୍ରରେ ପହଞ୍ଚିବ । ଫଳରେ ୩ ତାରିଖ ସକାଳୁ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ୭୦-୯୦ କି.ମି. ପବନ ବହିବାର ପୂର୍ବାନୁମାନ କରାଯାଇଛି । ତେବେ ଆସନ୍ତାକାଲି ଭାରତୀୟ ପାଣିପାଗ ବିଭାଗଙ୍କ ତରଫରୁ ବାତ୍ୟାର ଗତିପଥ ଓ ପବନର ଗତି ବିଷୟରେ ଅଧିକ ସୂଚନା ମିଳିବ ।

ଯାଜପୁର, ଢ଼େଙ୍କାନାଳ, ଗଜପତି, କଟକ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ୍, ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସେମାନଙ୍କ ପ୍ରସ୍ତୁତି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସିଧା ସଳଖ କଥା ହୋଇଥିଲେ ।

ତିନି ତାରିଖ ବେଳକୁ ବାତ୍ୟାର ଗତିପଥ ଜଣାପଡ଼ିବା ପରେ ତଳୁଆ ଏବଂ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବା, ସମସ୍ତ ବହୁମୁଖ୍ୟ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ କରିବା, ଆଶ୍ରୟସ୍ଥଳ ପରିଚାଳନା ଟିମ୍ଙ୍କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବା, ଶୁଖିଲା ଖାଦ୍ୟ ଏବଂ ରିଲିଫ୍ ପଦାର୍ଥର ଉପଲବ୍ଧି ବିଷୟରେ ସଜାଗ ରହିବା, ମାଇକ୍ ପ୍ରଚାର ମାଧ୍ୟମରେ ଲୋକ ମାନଙ୍କୁ ଆଗୁଆ ସୂଚନାଦେବା, ଆସନ୍ନପ୍ରସବା ମହିଳା ଏବଂ ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ ଆଗୁଆ ନିରାପଦସ୍ଥାନକୁ ନେବା ଆଦି ନିମନ୍ତେ ସଠିକ୍ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

‘ଜଓ୍ୱାଦ୍’ ପ୍ରଭାବରେ ଭୀଷଣ ବର୍ଷାହେବାର ସମ୍ଭାବନା ଥିବାରୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ନାଳ ସବୁକୁ ସଫା କରିବାସହ ସମ୍ବେଦନଶୀଳ ଖାଲୁଆ ସ୍ଥାନମାନଙ୍କରେ ପାଣି ନିଷ୍କାସନ ପମ୍ପ୍ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଦିଆଯାଇଥିବା ପରାମର୍ଶ ଗୁଡ଼ିକୁ କୃଷକମାନଙ୍କ ନିମନ୍ତେ ବ୍ୟପକଭାବେ ମାଇକ୍ରେ ପ୍ରଚାର କରିବା ପାଇଁ ଶ୍ରୀ ମହାପତ୍ର ନିର୍ଦ୍ଦେଶ ଦେଇଥିଲେ । ପାଚି ଯାଇଥିବା ଫସଲ ଏବଂ ପରିପକ୍ୱ ପନିପରିବା ଆଦିକୁ ଆଗୁଆ ଅମଳକରି ନିରାପଦ ସ୍ଥାନକୁ ଆଣିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ଜେନା କହିଥିଲେ ଯେ ଇତି ମଧ୍ୟରେ ଓଡ୍ରାଫ୍, ଏନ୍.ଡି.ଆର୍.ଏଫ୍. ଏବଂ ଫାୟାର ସର୍ଭିସ୍ ଟିମ୍ମାନଙ୍କୁ ପ୍ରସ୍ତୁତ କରାଯାଇଛି  । ପ୍ରାୟ ୧୦୮ ଓଡ୍ରାଫ୍ ଓ ଏନ୍.ଡି.ଆର.ଏଫ୍ ଟିମ୍ ଏବଂ ୨୦୦ ଫାୟାର ସର୍ଭିସ୍ ଟିମ୍ଙ୍କୁ ଆବଶ୍ୟକତା ଅନୁସାରେ ପୂର୍ବ ମୃତୟନ କରାଯିବ ।

ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ତରଫରୁ ଦିଆଯାଇଥିବା ୮- ସୁତ୍ରୀ ଚେକ୍ ଲିଷ୍ଟ୍ ସହ ବନ୍ୟା-ବାତ୍ୟା ପାଇଁ ନିର୍ଦ୍ଧାରିତ କାର୍ଯ୍ୟ ପଦ୍ଧତି(ଏସ୍.ଓ.ପି) ଅନୁସାରେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ଜେନା ୮-ସୁତ୍ରୀ ଚେକ୍ ଲିଷ୍ଟ ବିଷୟରେ ସୂଚନା ଦେଇଥିଲେ । ଜିଲ୍ଲା, ବ୍ଲକ୍ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ବିଭାଗ ଏବଂ ଜନପ୍ରତିନିଧିଙ୍କୁ ସାମିଲ୍ କରି ତୁରନ୍ତ ସମନ୍ୱୟ ବୈଠକ କରିବା, ଆବଶ୍ୟକତା ଅନୁସାରେ ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଜଣେ ଅଭିଜ୍ଞ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବା, ସ୍ଥାନାନ୍ତର ହେଉଥିବା ଲୋକ, ଶିଶୁ ଓ ପିଲାମାନଙ୍କ ନିମନ୍ତେ ଖାଦ୍ୟ ପଦାର୍ଥ ଉପଲବ୍ଧ ନିଶ୍ଚିତ କରିବା, ଆଶ୍ରୟସ୍ଥଳୀ ମାନଙ୍କରେ ପାଇଖାନା ଓ ଗାଧୁଆଘର ଆଦି ପରିସ୍କାର ପରିଚ୍ଛନ୍ନର ବ୍ୟବସ୍ଥା କରିବା, ଆଶ୍ରୟସ୍ଥଳୀ ମାନଙ୍କରେ କୋଭିଡ୍ ନିୟମ ଅନୁପାଳନ ନିଶ୍ଚିତ କରାଇବା, ଆଶ୍ରୟ ସ୍ଥଳୀମାନଙ୍କରେ ପ୍ରାଥମିକ ଉପଚାର ବ୍ୟବସ୍ଥା ଏବଂ ତାହାର ସଠିକ୍ ବ୍ୟବହାର ନିମନ୍ତେ ଅଭିଜ୍ଞ ସ୍ୱେଚ୍ଛାସେବୀ ନିୟୋଜନ କରିବା, ପ୍ରତି ଆଶ୍ରୟସ୍ଥଳୀ ପାଇଁ ଜଣେ ଆଶାକର୍ମୀ, ଅଙ୍ଗନାବାଡ଼ି କର୍ମୀ, ଅଙ୍ଗନାବାଡ଼ି ସହାୟିକା, ମହିଳା ହୋମ୍ଗାର୍ଡଙ୍କୁ ପୂର୍ବ ମୁତୟନ କରିବା, ଏବଂ, ଆସନ୍ନ ପ୍ରସବ ମା’ମାନଙ୍କୁ ଆଗୁଆ ନିକଟବର୍ତ୍ତୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିବା ଆଦି ବିଷୟରେ ଏହି ୮-ସୁତ୍ରୀ ଚେକ୍ ଲିଷ୍ଟରେ କୁହାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପଂଚାୟତିରାଜ ଓ ପାନୀୟଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ବିଷୟରେ ସଦ୍ୟତନ ତଥ୍ୟ ଜଣାଇଥିଲେ ।