Home Administration ବାତ୍ୟାପାଇଁ ୨ଦିନ କଟକଣା କୋହଳ

ବାତ୍ୟାପାଇଁ ୨ଦିନ କଟକଣା କୋହଳ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ୟାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଥିବା ଲକଡାଉନ୍‍ କଟକଣାକୁ କୋହଳ କରିଛନ୍ତି । ୨୪ ଓ ୨୫ତାରିଖ ଦୁଇଦିନ ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଏହି କୋହଳ ବ୍ୟବସ୍ଥା ଲାଗୁହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ଏସ୍‍ଆରସିଙ୍କ ଦପ୍ତର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଜଗତ୍‍ସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ, ଏବଂ ଖୋର୍ଦ୍ଧାରେ କଟକଣା କୋହଳ ହେବ ।

ଲକ୍‍ଡାଉନ୍‍ ସମୟରେ ଲୋକଙ୍କୁ ସାମଗ୍ରୀ କିଣିବାପାଇଁ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲାବେଳେ ଏବେ ସେଥିରେ ଆଉ ୨ଘଣ୍ଟା କୋହଳ ହୋଇଛି । ତଦନୁଯାୟୀ ଲୋକେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ସାମଗ୍ରୀ ଖରିଦ କରିପାରିବେ । ଏହି ସମୟରେ ମାଛ, ମାଂସ, ପନିପରିବା, ତେଜେରାତି ସମେତ କ୍ଷୀର ଦୋକାନ ଖୋଲା ରହିବ ।

ଉଲ୍ଲେଖନୀୟ ଯେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ୨୪ତାରିଖ ସକାଳେ ବାତ୍ୟାର ରୂପ ନେଇ ଓଡିଶା ଉପକୂଳକୁ ମୁହାଁଇଛି । ଭୀଷଣ ବାତ୍ୟାର ରୂପ ନେବାପରେ ଏହା ଆସନ୍ତା ୨୬ତାରିଖରେ ମଧ୍ୟାହ୍ନରେ ପାରାଦୀପ୍‍-ସାଗରଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ତେବେ ବାତ୍ୟା ଖବର ସହିତ ସରକାର କଟକଣା କୋହଳ ଖବର ପ୍ରଚାରିତ ବେହାପରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଟ ବାଜର ଗୁଡିକରେ ଅହେତୁକ ଭିଡ ପରିଲକ୍ଷିତ ହୋଇଛି । ଲୋକେ ଆଳୁ, ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବୋହି ନେଉଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here