Home Administration ବର୍ଷା ଦିନ ପାଇଁ ପ୍ରସ୍ତୁତ ରୁହ

ବର୍ଷା ଦିନ ପାଇଁ ପ୍ରସ୍ତୁତ ରୁହ

ଭୁବନେଶ୍ୱର : ଆସନ୍ତା ବର୍ଷାଋତୁରେ ସହରାଞ୍ଚଳରେ ଯେଭଳି କୃତ୍ରିମ ବନ୍ୟା କିମ୍ବା ଜଳବନ୍ଦୀ ଅବସ୍ଥା ସୃଷ୍ଟି ନହେବ ସେଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବା ସହିତ ଏସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର, ମ୍ୟୁନିସିପାଟିଲିଟି ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି । ବଡ ବର୍ଷା, ବାତ୍ୟା ଭଳି ସ୍ଥିତିରେ ଯେଭଳି ସହରାଞ୍ଚଳରେ କୌଣସି ଠାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ଯୋଜନା ମୁତାବକ ପଦକ୍ଷେପ ନେବାକୁ ରାଜ୍ୟ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ନାୟକ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପୂର୍ବବର୍ଷ ଭଳି ପୌର ପ୍ରଶାସନଗୁଡିକ ଡ୍ରେନେଜ ଡିଜିଜନ, କ୍ଷୁଦ୍ରଜଳସେଚନ ଓ ଜଳସମ୍ପଦ ବିଭାଗ ସହିତ ମିଳିତ ଭାବେ ବର୍ଷାଋତୁ ପୂର୍ବରୁ ସମସ୍ତ ଡ୍ରେନ ଚ୍ୟାନେଲ ଓ ଜଳନିଷ୍କାସନ ବ୍ୟବସ୍ଥାର ଅନୁଧ୍ୟାନ କରିବେ । ଆବଶ୍ୟକ ସ୍ଥଳେ ଦୁର୍ଘଟଣା ଏଡାଇବାପାଇଁ ଡ୍ରେନ ଘୋଡଣି ଗୁଡିକର ମରାମତି କିମ୍ବା ନିର୍ମାଣ କରିବେ । କାରଣ ପ୍ରବଳ ବର୍ଷା ସମୟରେ ବର୍ଷାପାଣି ଫୁଟପାଥ୍‍ ଉପରକୁ ଉଠିଗଲା ପରେ ଘୋଡଣି ନଥିବା ସ୍ଥାନରେ ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି ।

ତେଣୁ ବର୍ଷାଦିନ ପୂର୍ବରୁ ପୌରାଞ୍ଚଳରେ ଥିବା ସମସ୍ତ ଡ୍ରେନର ଶତ ପ୍ରତିଶତ ଅନୁଧ୍ୟାନ ସହିତ ଯଦି କୌଣସି ଠାରେ ଦୁର୍ଘଟଣାର ସମ୍ଭାବନା ଥାଏ ତେବେ ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ପଦକ୍ଷେପ ଗ୍ରହଣ କରାଯିବ । ଯଦି କୌଣସି ଠାରେ ଏହାର ମରାମତି ସମ୍ଭବ ନୁହେଁ, ତେବେ ଲୋକେ ଯେଭଳି ଦୁର୍ଘଟଣାର ସମ୍ମୁଖୀନ ନହେବେ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

ସେହିଭଳି ଯଦି କୌଣସି ଠାରେ ଡ୍ରେନ ଜବରଦଖଲ ହୋଇ ଜଳ ଅବରୋଧ କରିବାର ସମ୍ଭାବନା ରହିଛି ତେବେ ତୁରନ୍ତ ସେହି ଜବରଦଖଲ ହଟାଇବା ଓ ଉଚ୍ଛେଦ ପାଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଜବରଦଖଲକାରୀ ବ୍ୟକ୍ତି ଓ ସଂସ୍ଥା ବିରୁଦ୍ଧରେ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ବନ୍ୟାଭଳି ସ୍ଥିତି ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ ସହିତ ସେଠାରେ ବର୍ଷା ସମୟରେ ଜରୁରୀ ଭିତ୍ତିରେ ପମ୍ପ ମୁତୟନ କରିବାକୁ କୁହାଯାଇଛି । ଡ୍ରେନ ଗୁଡିକର ଜରୁରୀ ମରାମତି ସହିତ କୌଣସି ଠାରେ ଜଳ ଅବରୋଧ କଲାଭଳି ସାମଗ୍ରୀ ଗଦା ହୋଇଥିଲେ ତାହାକୁ ହଟାଇବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ଷାଦିନେ ସହରାଞ୍ଚଳରେ ଜଳ ଜମାହେବା ଫଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀଜ୍‍ ଏନ୍‍ସେଫାଲାଇଟିସ୍‍ ଭଳି ଭେକ୍ଟର ବାହିତ ରୋଗ ଏବଂ ଡାଇରିଆ ଓ କାମଳ ଭଳି ଜଳବାହିତ ରୋଗ ହେବାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି ଜନବସତି ଅଞ୍ଚଳରେ ଯେଭଳି ଆଦୌ ଜଳବନ୍ଦୀ ଅବସ୍ଥା ସୃଷ୍ଟି ନହୁଏ ସେଥିପାଇଁ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି । ଏଭଳି ରୋଗର ନିରାକରଣ ପାଇଁ ଜଳ ଜମାହେଉଥିବା ସ୍ଥାନରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ ସହିତ ମଇଳା ଟାଙ୍କି ଗୁଡିକରେ ଘୋଡଣି ପକାଇବା, ଠିକଣାଭାବେ ଅଳିଆ ଉଠାଇବା, ପାଣିଟାଙ୍କିଗୁଡିକରେ ଘୋଡଣି ଲଗାଇବାପାଇଁ ଜରୁରୀ ଭାବେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସହରାଞ୍ଚଳରେ ନିୟମିତ ଭାବେ ମଶାଧୂଆଁ ଛାଡିବାକୁ ଅଗ୍ରାଧିକାର ଦେବା ସକାଶେ କୁହାଯାଇଛି । ସହରାଞ୍ଚଳରେ ବ୍ୟାପକ ପଲିଥିନ ବ୍ୟବହାର ତଳିଆ ଅଞ୍ଚଳରେ ଡ୍ରେନ ଜାମ୍‍ର ମୁଖ୍ୟ କାରଣ ହୋଇଥିବାବେଳେ ଏଥିପ୍ରତି ଦୃଷ୍ଟି ଦେବା ସହିତ ପିଲିଥିନ୍‍ ନିଷେଧକୁ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଳ ପ୍ରବାହ ହେଉଥିବା କେତେକ ସ୍ଥାନରେ ଜାଲ ବିଛାଯାଇ ଅଳିଆଗୁଡିକ ଛାଣି ସେଗୁଡିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ କୁହାଯାଇଛି ।

ସେହିଭଳି ପ୍ରତ୍ୟେକ ପୌରାଞ୍ଚଳରେ କମିଶନର/କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ୟୁନିଫାଏଡ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ପ୍ରତିଷ୍ଠା କରିବା ସହିତ ବିଭିନ୍ନ ବିଭାଗ, ସଂସ୍ଥା ଓ ଅଗ୍ନିଶମ ବିଭାଗ ସହିତ ସମନ୍ୱୟ ରକ୍ଷାକରି ସେମାନଙ୍କ ଇଲାକାରେ ସୃଷ୍ଟି ବନ୍ୟାଭଳି ପରିସ୍ଥିତିର ମୁକାବିଲା କରାଯିବାକୁ କୁହାଯାଇଛି । ଏହି କମାଣ୍ଡ ସେଣ୍ଟରରେ ବିଭିନ୍ନ ବିଭାଗ ଗୁଡିକ ସେମାନଙ୍କ ପ୍ରତିନିଧିଙ୍କୁ ସଦସ୍ୟଭାବେ ନିୟୋଜିତ ଲାଗି ଅନୁରୋଧ କରାଯିବ ।

ବର୍ଷାଦିନେ ଏହି କମାଣ୍ଡ ସେଣ୍ଟର ସକ୍ରିୟ ଭାବେ ସାଧାରଣ ଲୋକଙ୍କ ସହ ସମନ୍ୱୟ ରକ୍ଷାକରି ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ସେବା ଯୋଗାଇବ । ସହଯୋଗୀ ବିଭାଗଗୁଡିକ ସହିତ ତୁରନ୍ତ ସମନ୍ୱୟ ବୈଠକ ଆହୂତ କରିବା ସହିତ କଣ୍ଟ୍ରୋଲ ସେଣ୍ଟର ପ୍ରତିଷ୍ଠା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ପାଇଁ କୁହାଯାଇଛି । ଜରୁରୀ ସମୟରେ ଏହି କଣ୍ଟ୍ରୋଲ ରୁମ୍‍କୁ ଅଧିକାରୀମାନେ ରୋଷ୍ଟର ଭିତ୍ତିରେ ପରିଚାଳନା କରିବେ ।

ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ସହିତ ସ୍ଥାନୀୟ ପ୍ରଶାସନକୁ ସକିୟ କରିବାଲାଗି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ସହିତ ପୌରାଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହାୟତାପାଇଁ ଜିଲ୍ଲାପାଳ ଏବଂ କମିଶନରମାନଙ୍କୁ ଅନୁରୋଧ କରାଯାଇଛି । ଉପରୋକ୍ତ ସମସ୍ତ କାର୍ଯ୍ୟ ଆବଶ୍ୟକ ନିର୍ଦ୍ଦେଶାବଳୀ ଓ ଏସ୍‍ଓପି ଅନୁଯାୟୀ ଉନ୍ନତି/ୟୁଡବ୍ଲ୍ୟୁୟୁଆଇ/ଅର୍ଥ କମିଶନଙ୍କ ଅନୁଦାନରୁ ହେବବୋଲି ପତ୍ରରେ ଉଲ୍ଲେଖ ଅଛି ।