Home News in Odia ବର୍ଷକୁ ୧୪ହଜାର କୋଟିର ବାଲି ଚୋରି

ବର୍ଷକୁ ୧୪ହଜାର କୋଟିର ବାଲି ଚୋରି

ଭୂବନେଶ୍ୱର : ରାଜ୍ୟରେ ବଢୁଛି ଚୋରା ବାଲି ମାଫିଆଙ୍କ ରାଜ୍ । ରାଜ୍ୟ ସରକାର ଏବଂ ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପୃଷ୍ଟପୋଷକତାରେ ହେଉଛି ଅବାଧ ବାଲି ଚୋରି । ଏହି ଅବାଧ ବାଲି ଚୋରି କାରଣରୁ ପ୍ରତି ବର୍ଷ ପାଖାପାଖି ୧୪ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ହେଉଛି ବେଧଡକ ବେଆଇନ ବାଲି ଉଠାଣ । ମୁଖ୍ୟତଃ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା ପ୍ରମୁଖ ସମେତ ରାଜ୍ୟର ପ୍ରମୁଖ ୧୧ଟି ନଦୀରେ ବଢି ଚାଲିଛି ଚୋରା ବାଲି ଚାଲାଣ । ଯାହା ଫଳରେ ନଦୀ ବନ୍ଧ ଗୁଡିକ ଅସୁରକ୍ଷିତ ଓ ଦୁର୍ବଳ ହୋଇପଡୁଛି । ନଦୀ କୂଳରେ ବାସ କରୁଥିବା ଗାଁର ସାଧାରଣ ଲୋକଙ୍କ ଜନଜୀବନ ପ୍ରଭାବିତ ହେଉଛି । ପରିବେଶ ବିପର୍ଯ୍ୟସ୍ତ ହେଉଛି । ବିନା ଲାଇସେନ୍ସରେ ବାଲି ଉଠୁଥିବାରୁ ରାଜ୍ୟର ରାଜସ୍ୱ ହାନି ମଧ୍ୟ ହେଉଛି ।

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଏ ନେଇ ବାରମ୍ବାର ରାଜ୍ୟସରକାରଙ୍କୁ ତାଗିଦ୍ କରିଥିବାବେଳେ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି । ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ରହୁଥିବାରୁ ରାଜ୍ୟ ସରକାର କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଏଭଳି ସଂଗୀନ ଅଭିଯୋଗ ନେଇ ଆଜି ବିଜେପି ନଦୀ ସୁରକ୍ଷା କମିଟି (ନମାମୀ ଗଙ୍ଗେ) ତରଫରୁ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବା ସହ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି ।

ବିଜେପି ନଦୀ ସୁରକ୍ଷା କମିଟି ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ସହ ସଂଯୋଜକ ସର୍ବଶ୍ରୀ ହରିହର ବେହେରା, ଶୁଭ୍ରାଂଶୁ ପାଢୀ, ଦିବ୍ୟ କିଶୋର ଭୋଇ, ଅଜୟ କୁମାର ସାହୁ, ମନୋଜ କୁମାର ବେହେରା, ଅଶୋକ କୁମାର ରଥ, ଶ୍ରୀମତି ନନ୍ଦିନୀ ଶତପଥୀ ପ୍ରମୁଖ ଆଜି ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଏସର୍ମ୍ପକରେ ଉଦ୍‌ବେଗ ପ୍ରକାଶ କରି ଆଜି ବିଜେପିର ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏହି ବେଆଇନ କାଣ୍ଡ କାରନାମାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଦ୍ୱାରା ସାରା ରାଜ୍ୟରେ ହେଉଥିବା ବାଲି ଚୋରିର ତଦନ୍ତ କରିବା ପାଇଁ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି ।