Home Covid ମିଟର ରିଡିଂ ଯୋଗୁଁ ବ୍ୟାପିପାରେ କରୋନା

ମିଟର ରିଡିଂ ଯୋଗୁଁ ବ୍ୟାପିପାରେ କରୋନା

ଭୁବନେଶ୍ୱର : ବିଜୁଳି ବିଲ୍‍ ପାଇଁ ମିଟର ରିଡିଂ ନେବା ସମୟରେ କରୋନା ସଂକ୍ରମଣ ଭୟ ଘାରିଲାଣି । କାରଣ ନୂତନ ବ୍ୟବସ୍ଥାରେ ମିଟର ରିଡିଂ ପାଇଁ ଆସୁଥିବା କର୍ମଚାରୀମାନେ ମିଟରର ଫଟୋ ଉଠାଇବା ବାଧ୍ୟତାମୂଳକ ହୋଇଛି ।

କରୋନା ସମୟରେ ମିଟର ରିଡିଂ ପାଇଁ କର୍ମଚାରୀମାନେ ଘରେ ପଶିବାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କାରଣ କେତେକ ସରକାରୀ କ୍ୱାଟର୍ସରେ ବିଦ୍ୟୁତ୍‍ ମିଟର ଡ୍ରଇଂ ରୁମ୍‍ରେ ଲାଗିଥିବାବେଳେ ଆଉ କେତେକଙ୍କ ଶୋଇଲା ଘରେ ବି ଲାଗିଛି । ଫଳରେ ମିଟର ରିଡିଂ ପାଇଁ କର୍ମଚାରୀ ବାଧ୍ୟହୋଇ ଭିତର ଘରକୁ ଯିବା ସହିତ କେତେକ ସ୍ଥାନରେ ଖଟ ଉପରେ ଛିଡାହୋଇ ମିଟରର ଫଟୋ ଉଠାଉଛନ୍ତି ।

ପୂର୍ବରୁ କରୋନା ସମୟରେ ହିତାଧିକାରୀମାନେ ମିଟରରେ ଉଠିଥିବା ୟୁନିଟ୍‍କୁ ଡାକି ଦେଉଥିଲେ ଓ କର୍ମଚାରୀମାନେ ବାହାରେ ଛିଡାହୋଇ ସେହି ଆଧାରରେ ବିଲ୍‍ ପ୍ରସ୍ତୁତ କରୁଥିଲେ । ହେଲେ ଚଳିତ ମାସଠାରୁ ମିଟରରେ ଉଠିଥିବା ୟୁନିଟ୍‍ର ଫଟୋ ଉଠାଇବା ବାଧ୍ୟତାମୂଳକ ହୋଇଛି । ଏଥିପାଇଁ କର୍ମଚାରୀମାନଙ୍କୁ ଗୋଟିଏ ଆପ୍‍ ଦିଆଯାଇଛି । ସେହି ଆପ୍‍କୁ ସେମାନେ ନିଜ ନିଜ ମୋବାଇଲରେ ଅପଲୋଡ୍‍ କରିଛନ୍ତି ଏବଂ ତାହା ବିଲ୍‍ ପ୍ରସ୍ତୁତ ମେସିନ୍‍ ସହିତ ସଂଯୁକ୍ତ ହୋଇଛି । ମିଟରରେ ଥିବା ୟୁନିଟ୍‍ର ଫଟୋ ଉଠାଇଲା ମାତ୍ରେ ତତ୍କାଳ ବିଲ୍‍ ପ୍ରସ୍ତୁତ ହୋଇଯାଉଛି ।

ତେବେ କରୋନା ସମୟରେ ବିଜୁଳି ବିଭାଗର ଏଭଳି ନୀତି ଏବେ କରୋନା ସଂକ୍ରମଣ ବଢାଇବ ବୋଲି ଆଶଙ୍କା କରାଯାଉଛି । ଯେତେବେଳେ ଖୋଦ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ସେତେବେଳେ ବିଜୁଳି ବିତରଣ କମ୍ପାନୀ ମିଟର ରିଡିଂ ପାଇଁ ଘର ଭିତରକୁ ଯିବା ବାଧ୍ୟତାମୂଳକ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବ୍ୟବସ୍ଥାରେ ଥିବା ତ୍ରୁଟି ସୁଧାରିବାପାଇଁ ଚଳିତ ମାସରେ ବିଦ୍ୟୁତ୍‍ ବିଲ୍‍ ସଂଗ୍ରହ ବିଳମ୍ବ ହୋଇଥିବାବେଳେ ନୂତନ ବ୍ୟବସ୍ଥାରେ କେତେକ ସ୍ଥାନରେ ବିଲ୍‍ରେ ବିଭ୍ରାଟ ହେଉଥିବା ଜଣାଯାଇଛି । ତେବେ ଏହି ତ୍ରୁଟିକୁ ସୁଧାରିବାପାଇଁ ଉଦ୍ୟମ ଜାରି ରହିଥିବାବେଳେ ଘରକୁ ଭିତରକୁ ଯାଇ କର୍ମଚାରୀମାନେ ଚେୟାର, ଟୁଲ୍‍ ପକାଇ ମିଟର ରିଡିଂର ଫଟୋ ଉଠାଇବା ଯୋଗୁଁ ଲୋକେ ଭୟଭୀତ ହୋଇପଡୁଛନ୍ତି ।

କାରଣ ମିଟର ରିଡିଂ ଦାୟିତ୍ୱରେ ଥିବା ଜଣେ ଜଣେ କର୍ମଚାରୀ ଦୈନିକ ଏକାଧିକ ଘରକୁ ପ୍ରବେଶ କରୁଛନ୍ତି । ରାଜଧାନୀ ସମେତ ରାଜ୍ୟରେ ଏବେ ଯେଭଳି କରୋନା ସଂକ୍ରମଣ ବ୍ୟାପୁଛି ସେଥିରେ ମିଟର ରିଡିଂ କର୍ମଚାରୀଙ୍କୁ ଲୋକେ ଘରେ ପୂରାଇବାପାଇଁ ଭୟ କରୁଛନ୍ତି । ତୁରନ୍ତ ଏ ଦିଗରେ ସରକାର ପଦକ୍ଷେପ ଗ୍ରହଣ ଲାଗି ହିତାଧିକାରୀମାନେ ମତ ଦେଉଛନ୍ତି । (ତଥ୍ୟ)