Home Education ବଦଳିପାରେ ସକାଳୁଆ ସ୍କୁଲ ସମୟ

ବଦଳିପାରେ ସକାଳୁଆ ସ୍କୁଲ ସମୟ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିବା ବେଳେ ତାପମାତ୍ରାକୁ ଦୃଷ୍ଟିରେ ରଖି ପୁଣି ସମୟ କମାଇବା ପାଇଁ ବିଚାର ଆଲୋଚନା ଚାଲିଛି ।

କୋଭିଡ୍‍ କଟକଣା ମଧ୍ୟରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଏବଂ ପରେ ନବମ ଓ ଏକାଦଶ ଶ୍ରେଣୀ ଖୋଲି ପାଠପଢ଼ା ଆରମ୍ଭ କରିଥିଲେ । ଏଯାବତ୍‍ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆସିବାକୁ ଦିଆଯାଉନାହିଁ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୦ଟାରୁ ୪ଟା ପର୍ଯ୍ୟନ୍ତ କୋଭିଡ୍‍ କଟକଣା ମଧ୍ୟରେ ବିଦ୍ୟାଳୟ ଚାଲୁଥିବା ବେଳେ ବିଦ୍ୟାଳୟଗୁଡ଼ିକରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀର ପିଲାମାନେ ପାଠ ପଢ଼ିବାର ସୁଯାଗ ପାଉଥିଲେ । କିନ୍ତୁ ତାପମାତ୍ରା ବୃଦ୍ଧି ଦୃଷ୍ଟିରୁ ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା ।

ତେବେ ସ୍କୁଲ ଛୁଟି ସମୟ ମଧ୍ୟାହ୍ନ ୧ଟା ଧାର୍ଯ୍ୟ କରାଯାଇଥିବାରୁ ପିଲାମାନଙ୍କ ସମସ୍ୟା ବଢ଼ିବା ଆଶଙ୍କା ରହିଛି । ଏଥିଲାଗି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ଲୋକ ପ୍ରତିନିଧିମାନେ ଦିନ ୧୧ଟା ସୁଦ୍ଧା ସ୍କୁଲ ବନ୍ଦ କରିବାକୁ ମତ ଦେଉଛନ୍ତି । ନ ହେଲେ ଯେଉଁ ଉଦ୍ଦେଶ୍ୟରେ ସକାଳୁଆ ସ୍କୁଲ ହେଉଛି ତାହା ସଫଳ ହେବ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟର ବହୁ ଅଞ୍ଚଳରେ ଏବେ ତାପମାତ୍ରା ୩୫ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି । ଆଗାମୀ ଦିନରେ ଏହା ବୃଦ୍ଧି ପାଇବାର ଆଶଙ୍କା ବି ଅଛି । ତେଣୁ ଦିନ ୧ଟା ବେଳେ ସ୍କୁଲ ଛୁଟି ହେଲେ ଘରକୁ ଫେରିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ ଏବଂ ଏହା ପରିବାରର ଚିନ୍ତା ବଢ଼ାଇବ ।

ବାସ୍ତବ ସମସ୍ୟାକୁ ଆଖି ଆଗରେ ରଖି ବିଦ୍ୟାଳୟ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ଲାଗି ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତର୍ଜମା ଆରମ୍ଭ ହୋଇଛି ଏବଂ ଏ ସଂକ୍ରାନ୍ତରେ ଖୁବ୍‍ଶୀଘ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଜଣାପଡ଼ିଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚାଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଆସନ୍ତା ମଇ ମାସରେ ବୋର୍ଡ ପରୀକ୍ଷା ହେବାକୁ ଯାଉଛି ଏବଂ ଏହି ପରୀକ୍ଷା ମଧ୍ୟ ପୂର୍ବ ବର୍ଷମାନଙ୍କ ଭଳି ତାପମାତ୍ରା ଦୃଷ୍ଟିରୁ ସକାଳୁଆ ହେବ ।