Home Covid ବଢୁଛି ଦୈନିକ ସଂକ୍ରମଣ

ବଢୁଛି ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଗତ ତିନିଦିନ ଧରି ଲଗାତାର ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହି ସଂଖ୍ୟାବୃଦ୍ଧିରେ ଉପକୂଳ ଓଡିଶାର ଯୋଗଦାନ ଅଧିକ ରହିଛି ।

ସରକାରୀ ସୂଚନା ଅନୁଯାୟୀ ଜୁନ୍‍ ୧୫ତାରିଖରେ ରାଜ୍ୟରେ ସର୍ବନିମ୍ନ ୩୪୦୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୬ତାରିଖରେ ଏମାନଙ୍କ ସଂଖ୍ୟା ୩୫୩୫, ୧୭ରେ ୩୬୩୧ ଓ ଆଜି ୩୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୧୭୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୧୬୩୪ଲୋକାଲ କେଶ୍‍ ରହିଛି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମଣ ସଂଖ୍ୟା ୮,୨୩,୫୯୯ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୮,୭୦,୪୮୯ଜଣ ସୁସ୍ଥହୋଇ ସାରିଲେଣି ।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଉପକୂଳ ଜିଲ୍ଲାରୁ ସର୍ବାଧିକ ଚିହ୍ନଟ ହୋଇଥିବା ଲକ୍ଷ୍ୟ କରାଯାଇଛି । ଖୋରଧାରୁ ସର୍ବାଧିକ ୬୧୭ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୩୯୩, ଯାଜପୁରରୁ ୩୪୬, ବାଲେଶ୍ୱରରୁ ୨୨୦, ପୁରୀରୁ ୨୦୦, ଭଦ୍ରକରୁ ୧୫୮, କେନ୍ଦ୍ରାପଡାରୁ ୧୫୮, ଜଗତ୍‍ସିଂହପୁରରୁ ୧୩୦ ଚିହ୍ନଟ ହୋଇଛନ୍ତି । ଏଥି ସହିତ ନୟାଗଡରରୁ ବି ୧୩୫ ଓ ମୟୁରଭଞ୍ଜରୁ ୧୫୯ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ତେବେ ସବୁଠାରୁ କମ୍‍ ମାତ୍ର ୧୯ଜଣ ଝାରସୁଗୁଡା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରରୁ ୨୮, ଦେବଗଡରୁ ୩୦, ନୂଆପଡାରୁ ୩୧, କନ୍ଧମାଳରୁ ୩୪, ବୌଦରୁ ୩୫, ଗଞ୍ଜାମ ଓ ସୋନପୁରରୁ ୩୬ କରି, ଢେଙ୍କାନାଳରୁ ୪୩, ସମ୍ବଲପୁରୁ ଓ ଗଜପତିରୁ ୪୫କରି ଏବଂ ବରଗଡରୁ ୫୮ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ଆଉ ୩୭ଜଣଙ୍କ ପ୍ରାଣ ଯିବା ସହିତ ରାଜ୍ୟରେ ମୋଟ୍‍ ମୃତ୍ୟୁସଂଖ୍ୟା ୩୫୦୮ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୫ଜଣ ଥିବାବେଳେ କଟକ, ଝାରସୁଗୁଡା ଓ କଳାହାଣ୍ଡିରୁ ୪ଜଣ କରି, ସୁନ୍ଦରଗଡ, ପୁରୀ ଓ ବରଗଡରୁ ୩ଜଣ କରି, ବଲାଙ୍ଗିର, ରାୟଗଡା, ଦେବଗଡ ଓ କେନ୍ଦ୍ରାପଡାରୁ ୨ଜଣ କରି ଏବଂ ସମ୍ବଲପୁର, ମୟୁରଭଞ୍ଜ ଓ ଗଜପତିରୁ ଜଣେ କରି ରହିଛନ୍ତି ।

ରାଜ୍ୟରେ ଆଜି ସୁଦ୍ଧା ପ୍ରାୟ ଏକ କୋଟି ୨୯ଲକ୍ଷ ନମୂନା ପରୀକ୍ଷା ହୋଇଥିବାବେଳେ ଏଥି ମଧ୍ୟରୁ ୬.୭୨ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଦୈନିକ ସୁସ୍ଥହାର ସଂକ୍ରମିତଙ୍କ ଠାରୁ ଅଧିକ ରହୁଥିବାରୁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୩,୩୩୮କୁ ହ୍ରାସ ପାଇଛି । ସକ୍ରିୟ ରୋଗୀଙ୍କ ଦୃଷ୍ଟିରୁ ଏବେ ବି ରାଜ୍ୟର ୪ଜିଲ୍ଲା ଖୋରଧା, କଟକ, ଯାଜପୁର ଓ ବାଲେଶ୍ୱର ରେଡ୍‍ ଜୋନ୍‍ରେ ରହିଛି ।