Home Health ବଢିବ ରେମଡେସିଭିର ଉତ୍ପାଦନ

ବଢିବ ରେମଡେସିଭିର ଉତ୍ପାଦନ

ନୂଆଦିଲ୍ଲୀ : କରୋନା ଚିକିତ୍ସା କ୍ଷେତ୍ରରେ ବହୁଳ ଆବଶ୍ୟକ ହେଉଥିବା ରେମଡେସିଭିର ଇଞ୍ଜେକସନ୍‍ର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ମୂଲ୍ୟହ୍ରାସ ସହିତ ଆବଶ୍ୟକ ଉପଲବ୍ଧତା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ରେମଡେସିଭିର ଔଷଧ ଉତ୍ପାଦନ କରୁଥିବା ସମସ୍ତ ଉତ୍ପାଦନକାରୀ ଓ ଅଂଶୀଦାରମାନଙ୍କୁ ନେଇ ଦୁଇ ଦିନିଆ ସମୀକ୍ଷା କରିବାପରେ ଏହି ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନର ମୋଟ ଉତ୍ପାଦନ କ୍ଷମତା ଅନୁଯାୟୀ, ସାତ ନିର୍ମାତା ମାସିକ ୩୮.୮୦ ଲକ୍ଷ ଶିଶି ଉତ୍ପାଦନ କରୁଛନ୍ତି। ସାତଟି ଅତିରିକ୍ତ କ୍ଷେତ୍ରରେ ମାସିକ ଅଧିକ ୧୦ ଲକ୍ଷ ଶିଶି ଉତ୍ପାଦନ ନିମନ୍ତେ ଛଅ ନିର୍ମାତାମାନଙ୍କୁ ଅନୁମୋଦନ କରାଯାଇଛି। ମାସିକ ଆହୁରି ଅତିରିକ୍ତ ୩୦ ଲକ୍ଷ ଶିଶି ଉତ୍ପାଦନ ଲାଗି ଯୋଜନା କରାଯାଇଛି। ଏହା ଫଳରେ ମାସିକ ଉତ୍ପାଦନ କ୍ଷମତା ପାଖାପାଖି ୭୮ ଲକ୍ଷ ଶିଶିରେ ପହଞ୍ଚିବ।

ଅତିରିକ୍ତ ପଦକ୍ଷେପ ସ୍ବରୂପ, ଘରୋଇ ବଜାରରେ ରେମଡିସିଭିର ଯୋଗାଣ ବୃଦ୍ଧି କରିବା ନିମନ୍ତେ ଡିଜିଏଫଟି ଦ୍ୱାରା ରେମଡିସିଭିର, ଏପିଆଇ ଓ ଏହାର ଫର୍ମୁଲେସନର ରପ୍ତାନି ଉପରେ ନିଷିଦ୍ଧାଦେଶ ଲାଗୁ କରାଯାଇଛି। ସରକାରଙ୍କ ହସ୍ତକ୍ଷେପ ଫଳରେ, ଉତ୍ପାଦନକାରୀଙ୍କ ଦ୍ବାରା ରପ୍ତାନି ଲାଗି ଉଦ୍ଦିଷ୍ଟ ରେମଡିସିଭିରର ୪ ଲକ୍ଷ ଶିଶିକୁ ଘରୋଇ ଆବଶ୍ୟକତା ପୂରଣ ନିମନ୍ତେ ଯୋଗାଇ ଦିଆଯାଇଛି। ଇଓୟୁ/ଏସଇଜେଡ୍ ୟୁନିଟଗୁଡ଼ିକୁ ମଧ୍ୟ ଘରୋଇ ବଜାରରେ ଯୋଗାଣ କରିବା ଲାଗି ସକ୍ଷମ କରାଯାଉଛି।

କୋଭିଡ ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ସମର୍ଥନ କରିବା ଲାଗି ରେମଡିସିଭିର ନିର୍ମାତାମାନେ ନିଜ ଇଚ୍ଛାରେ ଚଳିତ ସପ୍ତାହର ଶେଷ ସୁଦ୍ଧା ଏହାର ମୂଲ୍ୟ ୩୫୦୦ ଟଙ୍କାରୁ କମ କରିବା କଥା କହିଛନ୍ତି। ଅନ୍ୟପଟେ ରେମଡିସିଭିର ନିର୍ମାତାମାନଙ୍କୁ ଡାକ୍ତରଖାନା/ସଂସ୍ଥାଗତ ସ୍ତରର ଯୋଗାଣ ପୂରଣ କରିବା ଲାଗି ପ୍ରାଥମିକତା ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଡିସିଜିଆଇ ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ରେମଡିସିଭିର କଳାବଜାରୀ, ଜମାଖୋରୀ ଏବଂ ଅଧିକ ଦରରେ ବିକ୍ରି ଭଳି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ରେମେଡିସିଭର ଉପଲବ୍ଧତା ପ୍ରତି ଅନୁଧ୍ୟାନ କରାଯାଉଛି।