Home News in Odia ପ୍ରଚାର ସାରି ବାହାର ନେତା ଛୁ

ପ୍ରଚାର ସାରି ବାହାର ନେତା ଛୁ

ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାୟ ୧୫ଦିନ ଧରି ବିଭିନ୍ନଦଳର ନେତାମାନଙ୍କ ଗାଡି ଘୋଡାରେ ଦୁଲୁକୁଥିବାବେଳେ ଏବେ କିନ୍ତୁ ଏଠି ବହିରାଗତ ନେତାମାନଙ୍କୁ ଦେଖିବାକୁ ମିଳୁନାହିଁ । ନେତାମାନଙ୍କ କଳା କାରନାମା ରୋକିବା ପାଇଁ ଏବେ ଦୁଇଟିଯାକ ନିର୍ବାଚନମଣ୍ଡଳୀରେ ସାଇରନ ବଜାଇ ପୁଲିସ୍‍ ଗାଡି ଘନ ଘନ ପଇଁତରା ମାରୁଥିବା ଦେଖାଯାଉଛି ।

ନଭେମ୍ବର ପହିଲା ସଂଧ୍ୟା ୬ଟାରୁ ପ୍ରଚାର ଶେଷ ସହିତ ଏଠାରେ ଆଡ୍ଡା ଜମାଇଥିବା ନେତାମାନଙ୍କ ଭିତରୁ ଯେଉଁମାନଙ୍କର ନାମ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାହିଁ ସେମାନେ ଜାଗା ଛାଡିବାକୁ ବାଧ୍ୟ । କାଳେ କିଏ କେଉଁଠି ଲୁଚିଛପି ରହିଯାଇଥିବ ସେମାନଙ୍କୁ ଧରିବାପାଇଁ ଉଭୟ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଥିବା ହୋଟେଲ, ଲଜିଂ ଆଦିରେ ଏବେ ପୁଲିସ୍‍ ତନଖି ଚଳାଇଛି ।

ଝଡ ପୂର୍ବର ନିରବତା ଭଳି ଏବେ ଦୁଇ ନିର୍ବାଚନମଣ୍ଡଳୀ ଏକ ପ୍ରକାର କୋଳାହଳଶୂନ୍ୟ ହୋଇପଡିଛି । ଆଉ ନେତାମାନଙ୍କ ଆରୋପ ପ୍ରତ୍ୟାରୋପ ନାହିଁ । ଗାଡି ଜବତ ହୋଇଯିବା ଭୟରେ ଅଧିକାଂଶ ନିର୍ବାଚନମଣ୍ଡଳୀ ସୀମା ଛାଡି ବାହାରେ ଅପେକ୍ଷା କରିଛନ୍ତି । ଆଉ କେତେକ ଭୁବନେଶ୍ୱର, କଟକ ସମେତ ନିଜ ନିଜ ଅଞ୍ଚଳକୁ ମଧ୍ୟ ଫେରିଗଲେଣି ।

ବାଲେଶ୍ୱର ଓ ତିର୍ତ୍ତୋଲର ମତଦାନ କେନ୍ଦ୍ରଗୁଡିକରେ ଏବେ ପୋଲିଂ ପାର୍ଟି ସବୁ ଇଭିଏମ୍‍ ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ଧରି ପହଞ୍ଚିବାରେ ଲାଗିଛନ୍ତି । ଏମାନଙ୍କ ନିରାପତ୍ତା ଲାଗି ବ୍ୟାପକ ପୁଲିସ୍‍ ବନ୍ଦୋବସ୍ତ ହୋଇଥିବାବେଳେ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ମନରେ କିନ୍ତୁ କରୋନା ସଂକ୍ରମଣ ଭୟ ବସାବାନ୍ଧି ରହିଛି । ବିଶେଷକରି କରୋନା ସଂକ୍ରମିତ ବ୍ୟକ୍ତି ବି ନିର୍ଦ୍ଧିଷ୍ଟ ସମୟରେ ମତଦାନ କରିପାରିବେ ବୋଲି ଘୋଷଣା କରାଯାଇଥିବାରୁ ଏହି ଆଶଙ୍କା ରହିବା ସ୍ୱାଭାବିକ । ତେବେ ନିର୍ବାଚନ ପ୍ରଚାରବେଳେ କମିଶନଙ୍କ କଟକଣା ଓ କରୋନା ମାର୍ଗନିର୍ଦ୍ଦେଶିକାର ବ୍ୟାପକ ଖୋଲା ଉଲ୍ଲଙ୍ଘନ ହୋଇଥିବାବେଳେ ମତଦାନକେନ୍ଦ୍ରଗୁଡିକରେ କିନ୍ତୁ ଅଧିକ ସ୍ୱେଚ୍ଛାସେବୀ ମୁତୟନ କରି ମତଦାତାଙ୍କୁ ସାମାଜିକ ଓ ଶାରିରୀକ ଦୂରତା ସହ ଧାଡିରେ ରଖିବାକୁ ବ୍ୟବସ୍ଥା ହୋଇଛି ।

ଇତି ମଧ୍ୟରେ କରୋନା କଟକଣା ଉଲ୍ଲଙ୍ଘନ ପ୍ରସଙ୍ଗରେ ୫୦ରୁ ଅଧିକ ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ନିକଟରେ ରହିଥିବା ଜଣାପଡିଛି । ଭୋଟ ପ୍ରଚାର ନିଶାରେ ନିର୍ବାଚନମଣ୍ଡଳୀରେ ମାତିଥିବା ସମ୍ପୃକ୍ତ ଅଞ୍ଚଳର ଓ ବାହାରୁ ଆସିଥିବା ନେତା ଓ କର୍ମୀମାନେ ବି ସମ୍ଭାବ୍ୟ କରୋନା ସଂକ୍ରମଣ ଘେନି ଆତଙ୍କିତ ଅବସ୍ଥାରେ ଅଛନ୍ତି । କ୍ଷେତ୍ରରୁ ଫେରିବାପରେ ସେମାନଙ୍କ ମଧ୍ୟରୁ ଅନେକ ଏବେ ଏ ପ୍ରସଙ୍ଗରେ ଡାକ୍ତରଙ୍କ ସହ ଯୋଗାଯୋଗ କରୁଛନ୍ତି ।

ରବିବାର ମଧ୍ୟାହ୍ନରୁ ତିର୍ତ୍ତୋଲର ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ପୀଠ ଓ ଗୋରେଖନାଥ ମନ୍ଦିର ଆଦି ଅଞ୍ଚଳରେ ବହୁ ନେତାଙ୍କ ଗାଡି ବୁଲୁଥିବା ଦେଖାଯାଇଥିଲା । ସେହିପରି ରେମୁଣାରୁ ଖିରଚୋରା ଗୋପୀନାଥଙ୍କ ଠାରୁ ଆରମ୍ଭକରି ପଞ୍ଚଲିଙ୍ଗେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ତୀର୍ଥସ୍ଥଳୀ ଏବଂ ଚାନ୍ଦିପୁର ସମୁଦ୍ର ବେଳାଭୂମିରେ ଅନେକ ନେତାଙ୍କୁ ଦେଖିବାକୁ ମିଳିଛି । ମନ୍ଦିର ବନ୍ଦ ଥିଲେ ବି ସେମାନେ ଫାଟକ ବାହାରୁ ମୁଣ୍ଡିଆ ମାରି ଫେରିବାକୁ ବାଧ୍ୟ ହେଉଛନ୍ତି ।