Home Banking ଋଣ ଦେଉନାହାନ୍ତି ବ୍ୟାଙ୍କ୍‍

ଋଣ ଦେଉନାହାନ୍ତି ବ୍ୟାଙ୍କ୍‍

ଓଡିଶାରୁ ବ୍ୟାଙ୍କ୍‍ଗୁଡିକ ଯେତିକି ଜମା ସଂଗ୍ରହ କରୁଛନ୍ତି ତାହା ତୁଳନାରେ ଢେର କମ୍‍ ପରିମାଣ ଋଣ ଦେଉଥିବାରୁ ଏହା ଉଦ୍‍ବେଗଜନକ ପରିସ୍ଥିତି ସୃଷ୍ଟି କରିବା ସହିତ ରାଜ୍ୟର ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ବର୍ଷକୁ ବର୍ଷ କ୍ରେଡିଟ-ଡିପୋଜିଟ୍‍ (ସିଡି) ଅନୁପାତ ହ୍ରାସ ପାଉଥିବାବେଳେ କୋଭିଡ ମହାମାରୀ ସମୟରେ ଲୋକଙ୍କୁ ଅଧିକ ପରିମାଣରେ ଋଣ ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ କମ୍‍ ଋଣ ପ୍ରଦାନକୁ ନେଇ ରାଜ୍ୟ ସରକାର ଉଦ୍‍ବେଗପ୍ରକାଶ କରିଥିଲେ । ଚଳିତବର୍ଷ ଜୁନ୍‍ ୩୦ ତାରିଖ ସୁଦ୍ଧା ଓଡିଶାରେ ସିଡି ଅନୁପାତ ୫୫.୭୯ ପ୍ରତିଶତକୁ ପାଇଛି ଯାହାକି ଗତବର୍ଷ ଜୁନ୍‍ ଶେଷସୁଦ୍ଧା ୬୨.୪୩ ପ୍ରତିଶତ ରହିଥିଲା । ଜାତୀୟ ସ୍ତରରେ ଏହା ୭୪ ପ୍ରତିଶତ ରହିଛି ।

ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ମୋଟ୍‍ ଜମା ୩,୫୮,୫୩୧କୋଟି ୩୩ଲକ୍ଷ ଟଙ୍କା ହୋଇଥିବାବେଳେ ଏଥିରୁ ରାଜ୍ୟରେ ୨,୦୦,୦୩୪କୋଟି ୦୭କୋଟି ଟଙ୍କା ବ୍ୟବହାର ହୋଇଥିଲା । ତେବେ ମାର୍ଚ୍ଚ ୨୦୧୮ରେ ମୋଟ୍‍ ୨,୭୫,୫୧୧କୋଟି ୮ଲକ୍ଷ ଟଙ୍କା ମଧ୍ୟରୁ ୧,୯୨,୧୧୩କୋଟି ୬୬ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ବ୍ୟବସାୟିକ ବ୍ୟାଙ୍କ୍‍ଗୁଡିକ ରାଜ୍ୟରୁ ମୋଟା ଆକାରର ଜମା ସଂଗ୍ରହ କରୁଥିବାବେଳେ ସେହି ଅନୁଯାୟୀ ଋଣ ପ୍ରଦାନ କରୁନଥିବାରୁ ସିଡି ଅନୁପାତ କମିବାରେ ଲାଗିଛି । ବ୍ୟାଙ୍କଗୁଡିକର ଜମା ସଂଗ୍ରହ ପରିମାଣ ୪୧,୫୯୬କୋଟି ୩ଲକ୍ଷ ଟଙ୍କା ବୃଦ୍ଧି ପାଇଥିବାବେଳେ ଋଣ ପ୍ରଦାନରେ ମାତ୍ର ୨୧୬୭କୋଟି ୬୮ଲକ୍ଷ ଟଙ୍କା ବୃଦ୍ଧିପାଇଛି । ଫଳରେ ସିଡି ଅନୁପାତ ୬୨.୪୩ ପ୍ରତିଶତରୁ ୫୫.୭୯ ପ୍ରତିଶତକୁ ହ୍ରାସ ପାଇଛି ।

ରାଜ୍ୟର ମାତ୍ର ୩ଟି ଜିଲ୍ଲା ଝାରସୁଗୁଡା, ଯାଜପୁର ଓ ବୌଦରେ ସିଡି ଅନୁପାତ ୬୦ପ୍ରତିଶତ ଉପରେ ରହିଥିବାବେଳେ ୧୨ଟି ଜିଲ୍ଲାରେ ଏହା ୪୦ପ୍ରତିଶତ ତଳେ ରହିଛି । ଏହିସବୁ ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଦେବଗଡ, ସମ୍ବଲପୁର, କନ୍ଧମାଳ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡା, ଜଗତ୍‍ସିଂହପୁର, କେନ୍ଦୁଝର ଏବଂ ମୟୁରଭଞ୍ଜ । କୃଷି ପ୍ରଧାନ ରାଜ୍ୟ ଓଡିଶାର ୬୩ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବାବେଳେ ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ଏହି କ୍ଷେତ୍ରକୁ ମାତ୍ର ୫୯,୮୧୧କୋଟି ୮ଲକ୍ଷ ଟଙ୍କାର ଋଣ ଯୋଗାଯାଇଛି । ସମବାୟ ବ୍ୟାଙ୍କ୍‍ ଗୁଡିକ ସେମାନଙ୍କ ଜମା ସଂଗ୍ରହ ତୁଳନାରେ ଅଧିକ କୃଷିଋଣ ଦେଉଥିବାବେଳେ ବ୍ୟବସାୟିକ ବ୍ୟାଙ୍କ୍‍ଗୁଡିକର ପ୍ରଦର୍ଶନ ଏ କ୍ଷେତ୍ରରେ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି ।

ସମବାୟ ବ୍ୟାଙ୍କ୍‍ ଗୁଡିକ ସଂଗ୍ରହ କରୁଥିବା ଜମାର ୧୨୩.୦୭ ପ୍ରତିଶତ ଋଣ ଦେଉଥିବାବେଳେ ବ୍ୟବସାୟିକ ବ୍ୟାଙ୍କ୍‍ର ଏହି ହାର ୪୭.୩୫ ପ୍ରତିଶତ ରହିଛି । କୋଭିଡ ମହାମାରୀ ସମୟରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିବାବେଳେ ଏହି କ୍ଷେତ୍ରକୁ ଯେତିକି ଋଣ ମିଳିବାକଥା ତାହା ମିଳୁନାହିଁ । କିନ୍ତୁ ବ୍ୟାଙ୍କ୍‍ଗୁଡିକ ସରକାରୀ ସଂସ୍ଥାରୁ କିଭଳି ଅଧିକ ଜମା ସଂଗ୍ରହ କରିବେ ସେଥିପାଇଁ ଲାଗିପଡିଛନ୍ତି । ବ୍ୟାଙ୍କରେ ୧୦ହଜାର କୋଟି ଟଙ୍କାରୁ ଅଧିକ ସରକାରୀ ଅର୍ଥ ପଡି ରହିଥିବାବେଳେ ତାହାକୁ ଉନ୍ନୟନ କାର୍ଯ୍ୟରେ ବିନିଯୋଗ ଲାଗି ଅର୍ଥ ବିଭାଗ ପକ୍ଷରୁ ଡିଡିଓମାନଙ୍କୁ କୁହାଯାଇଛି । ତେବେ ଏଥିରୁ ପ୍ରାୟ ୩୫୦୦କୋଟି ଟଙ୍କା ଉଠାଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିନିଯୋଗ ହୋଇଥିବା ଜଣାଯାଇଛି ।