Home Covid ପୁଣି ଲାଗୁ ହୋଇପାରେ କଟକଣା

ପୁଣି ଲାଗୁ ହୋଇପାରେ କଟକଣା

ଭୁବନେଶ୍ୱର : କରୋନାର ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣକୁ ଆଖିଆଗରେ ରଖି ପୁଣି କଟକଣା ଜାରି କରାଯାଇପାରେ । ଏଥିଲାଗି ବିଭାଗୀୟ କର୍ତ୍ତୃପକ୍ଷ ସଜାଗ ଦୃଷ୍ଟି ରଖିଛନ୍ତି ।

ଓଡିଶାରେ କରୋନା ସ୍ଥିତି ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଭଳି ରାଜ୍ୟ ତୁଳନାରେ ବେଶ୍‍ ଭଲ ଥିବା ଦୃଷ୍ଟିରୁ ବାସ୍ତବ ସ୍ଥିତିକୁ ଆଖିଆଗରେ ରଖି ପର୍ଯ୍ୟାୟକ୍ରମେ ପ୍ରଶାସନ ଅନେକ କଟକଣା କୋହଳ କରିଛି । କିନ୍ତୁ ଏବେ ଦେଖାଯାଉଛି ଯେ ସାମାଜିକ ଦୂରତା ଠାରୁ ଆରମ୍ଭ କରି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର, ହାତ ଧୋଇବା, ବାହାରେ ଛେପ ନପକାଇବା ଆଦି ଯେତେସବୁ କଟକଣା ରହିଛି ତାହାର ଖୋଲା ଉଲ୍ଲଙ୍ଘନ ହେଉଛି ।

ଅନେକ ଧର୍ମାନୁଷ୍ଠାନ ଠାରୁ ଆରମ୍ଭକରି ଦୋକାନ ବଜାର ପର୍ଯ୍ୟନ୍ତ ସାଂଘାତିକ ଗହଳି ଦେଖାଯାଉଛି । ଏଯାବତ୍‍ କରୋନା ସମ୍ପୂର୍ଣ୍ଣ ଭାବେ ଦୂର ହୋଇନାହିଁ । ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ତୃତୀୟ ଲହରର ଆଶଙ୍କା ଝଡ ପୂର୍ବରୁନ ନିରବତା ଭଳି ରହିଛି । ୨୦୨୦ ମାର୍ଚ୍ଚ ୧୫ତାରିଖରେ ଓଡିଶାରେ ପ୍ରତମ କରୋନା ରୋଗୀ ଚିହ୍ନିତ ହୋଇଥିଲେ । ତେବେ କଡା କଟକଣା ସହ ବ୍ୟାପକ ପ୍ରତିଷେଧମୂଳକ ଓ ଚିକିତ୍ସା ସୁବିଧା ଯୋଗୁଁ ବହୁ ମାତ୍ରାରେ କରୋନା ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇଥିଲା । କିନ୍ତୁ କରୋନା ସଂକ୍ରମଣ ବହୁଳ ରାଜ୍ୟମାନଙ୍କରୁ ଓଡିଶାକୁ ଫେରୁଥିବା ଲୋକଙ୍କ ଯୋଗୁଁ ପୁଣି ସଂକ୍ରମଣ ବୃଦ୍ଧି ପାଇଥିଲା ।

ସରକାରୀ ତଥ୍ୟ ଅନୁଯାୟୀ ଏଯାବତ୍‍ ଓଡିଶାରେ କରୋନାରେ ୭୭୦୦ରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି ଏବଂ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ଟପି ସାରିଲାଣି । ତେବେ ସଂଖ୍ୟାଧିକ ସଂକ୍ରମିତ ସୁସ୍ଥ ହେଉଥିବାରୁ ମୃତ୍ୟୁସଂଖ୍ୟା ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଆଦି ତୁଳନାରେ ଢେର କମ୍‍ ଥିଲେ ମଧ୍ୟ କରୋନାରୁ ସୁସ୍ଥ ହୋଇଥିବା ଅନେକ ଲୋକ ପରବର୍ତ୍ତୀ ସମୟରେ ବିଭିନ୍ନ ରୋଗବ୍ୟାଧିର ଶିକାର ହେଉଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ ଏଯାବତ୍‍ ଓଡିଶାରେ ପ୍ରାୟ ୨କୋଟି ୨୦ଲକ୍ଷ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆସରିଛି । ଏମାନଙ୍କ ମଧ୍ୟରେ ପ୍ରାୟ ୫୦ଲକ୍ଷ ଲୋକ ଦୁଇଟି ଯାକ ଡୋଜ୍‍ ଟିକା ନେଇସାରିଛନ୍ତି । ଟିକା ନେବାପରେ ବି କେତେକଙ୍କ ଠାରେ କରୋନା ସଂକ୍ରମଣ ଦେଖା ଦେଇଥିଲେ ମଧ୍ୟ ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ କରୋନା ମୃତ୍ୟୁହାର ଢେର କମ୍‍ ରହୁଛି ।

ଏବେ ପର୍ଯ୍ୟାୟ କ୍ରମେ ଧର୍ମାନୁଷ୍ଠାନମାନ ଖୋଲୁଛି । ଗଣେଶପୂଜା ଠାରୁ ପାର୍ବଣଋତୁ ମଧ୍ୟ ଆରମ୍ଭ ହୋଇଯାଉଛି । କେରଳରେ ଓନମ ପର୍ବ ପରଠାରୁ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଣେ ଦେଶ ବିଦେଶର ବୈଜ୍ଞନିକମାନେ ତୃତୀୟ ଲହରର ସୂଚନା ଦେଲେଣି । ଆମେରିକା ୟୁରୋପ ଭଳି ରାଷ୍ଟ୍ରରେ ନୂଆ ଲହର ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ ଏବେ ବି ଆଇସିୟୁ ବେଡ୍‍ ମିଳୁନାହିଁ । ତୃତୀୟ ଲହରରେ ଭାରତରେ ସଂକ୍ରମଣ ସଂଖ୍ୟା ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି ।

ଯେଉଁମାନେ ଏହି ସତର୍କ ସୂଚନା ଦେଉଛନ୍ତି ସେମାନେ ମଧ୍ୟ ଯଥେଷ୍ଟ ପୂର୍ବରୁ ଦ୍ୱିତୀୟ ଲହର ସଂକ୍ରାନ୍ତରେ ଚେତାଇ ଦେଇଥିଲେ । ଏବେ ରାଜ୍ୟରେ ଶିକ୍ଷାନୁଷ୍ଠାନମାନ ଖୋଲିବାରେ ଲାଗିଥିବାବେଳେ ସଭା, ସମିତି, ଶୋଭାଯାତ୍ରା ଆଦି ଆରମ୍ଭ ହୋଇଗଲାଣି । ଏ ସବୁକୁ ପୁଣି କଟକଣାଭୁକ୍ତ କରାନଗଲେ ରାଜ୍ୟରେ ତୃତୀୟ ଲହର ସଂକ୍ରମଣ ଲଗାମଛଡା ହୋଇପାରେ ବୋଲି ଚିକିତ୍ସା ବିଜ୍ଞାନିମାନେ ମତ ଦେଉଛନ୍ତି । (ତଥ୍ୟ)