Home News in Odia ପିପିଲିରେ ପ୍ରାର୍ଥୀଙ୍କ ଉପରେ ଚାପ ବଢୁଛି

ପିପିଲିରେ ପ୍ରାର୍ଥୀଙ୍କ ଉପରେ ଚାପ ବଢୁଛି

ଭୁବନେଶ୍ୱର : ସ୍ଥଗିତ ରହିଥିବା ପିପିଲି ବିଧାନସଭା କ୍ଷେତ୍ର ଉପର୍ନିବାଚନ କେବେ ହେବ ତାହା ଅନିଶ୍ଚିତତା ଘେରରେ ରହିଥିବାବେଳେ ଏବେ ସ୍ଥାନୀୟ କର୍ମୀ ଓ ନେତାମାନଙ୍କୁ ମନେଇ ରଖିବା ଦିଗରେ ପ୍ରାର୍ଥୀମାନେ ସାଂଘାତିକ ଚାପର ସମ୍ମୁଖୀନ ହେଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନଟି ଖାଲି ପଡିଥିଲା ଏବଂ ଏଠାରେ ଉପନିର୍ବାଚନ ଘୋଷଣା ବିଳମ୍ବ ହେବାରୁ ହାଇକୋର୍ଟରେ ବି ମାମଲା ରୁଜୁ ହୋଇଥିଲା । ପରେ ଉପନିର୍ବାଚନ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଭୋଟ ଗ୍ରହଣର ତିନିଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହେବାରୁ ଏଠି ନିର୍ବାଚନ ସ୍ଥଗିତ ରହିଥିଲା ।

ନିର୍ବାଚନ କମିଶନ ସାନି ତାରିଖ ଘୋଷଣା କରିବାପରେ କଂଗ୍ରେସ ତାହାର ନୂଆ ପ୍ରାର୍ଥୀଙ୍କୁ ଛିଡା କରାଇଥିଲା ଏବଂ ପ୍ରଚାର ଅଭିଯାନ ବି ବିଭିନ୍ନ ଦଳ ପକ୍ଷରୁ ଧୂମ୍‍ ଧାମ୍‍ରେ ଚାଲିଥିଲା । କିନ୍ତୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ କୋଭିଡ କଟକଣା ଖୋଲା ଉଲ୍ଲଙ୍ଘନ କରିବା ପରିପ୍ରେକ୍ଷୀରେ କରୋନା ସଂକ୍ରମଣ ଓ ତଦ୍‍ଜନିତ ମୃତ୍ୟୁ ଉଦ୍‍ବେଗଜନକ ଭାବେ ବଢିବାରୁ ଅଦାଲତ ବିରକ୍ତ ହୋଇ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ କାହିଁକି ନରହତ୍ୟା ମାମଲା ରୁଜୁ କରାଯିବନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ ।

ଏତିକିବେଳକୁ କରୋନାର ଦ୍ୱିତୀୟ ଲହର ପୁଣି ତାହାର କରାଳ କାୟା ବିସ୍ତାର କରିବା ଫଳରେ ପିପିଲି ସମେତ ଅନ୍ୟ ଯେଉଁ କେତେକ ରାଜ୍ୟରେ ଉପନିର୍ବାଚନ ଚାଲିଥିଲା ତାହାକୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିର୍ବାଚନ କମିଶନ ଅନିର୍ଦ୍ଧିଷ୍ଟ କାଳପାଇଁ ସ୍ଥଗିତ ରଖିଛନ୍ତି । ଏହା ଫଳରେ ପିପିଲିରେ ଡେରା ମାରିଥିବା ବିଭିନ୍ନ ଦଳର ପ୍ରଭାରୀ ଓ ଅନ୍ୟ ନେତାମାନେ ଫେରି ଆସିଛନ୍ତି ।

ଏବେ କରୋନାର ପ୍ରଭାବ ସମଗ୍ର ଦେଶ ତଥା ରାଜ୍ୟରେ ହ୍ରାସ ପାଉଥିବାବେଳେ ପିପିଲି-ଡେଲାଙ୍ଗ ଅଞ୍ଚଳରେ କିନ୍ତୁ କରୋନା ସଂକ୍ରମଣ କମୁଥିଲେ ମଧ୍ୟ କାଁ ଭାଁ କରୋନା ଜନିତ ମୃତ୍ୟୁ ଘଟୁଛି । ତେଣେ କରୋନାର ତୃତୀୟ ଲହର ସହିତ ନୂଆ ଭାରିଆଣ୍ଟ ଡେଲଟା ପ୍ଲସର ଆଶଙ୍କା ବି ରହିଛି । ଏଭଳି ସ୍ଥିତିରେ ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ନିକଟରେ କରାଯିବା ସମ୍ଭାବନା କ୍ଷୀଣ ।

ନିର୍ବାଚନ ପୂର୍ବରୁ ଲୋକଙ୍କୁ ମନାଇବାପାଇଁ ଏବଂ କର୍ମୀ ଓ ସ୍ଥାନୀୟ ନେତାଙ୍କୁ ହାତରେ ରଖିବାକୁ ବିଭିନ୍ନ ଦଳ ପକ୍ଷରୁ ପ୍ରୟୋଗ କରାଯାଇଥିବା କଳା କୌଶଳ ଏବେ ସେହି ଦଳଗୁଡିକର ସ୍ଥାନୀୟ ନେତାମାନଙ୍କୁ ଅସୁବିଧାରେ ପକାଉଛି । କରୋନା ଯୋଗୁଁ ରୋଜଗାର ମାଡ ଖାଇଥିବା ପରିପ୍ରେକ୍ଷୀରେ ଆର୍ଥିକ ସହାୟତା ପାଇଁ ବହୁ ମଧ୍ୟସ୍ଥ ଲୋକ ପ୍ରତିଦିନ ସ୍ଥାନୀୟ ନେତାମାନଙ୍କ ଦୁଆରେ ଆର୍ଥିକ ସହାୟତା ଲାଗି ଭିଡ କରୁଛନ୍ତି । ସମସ୍ତଙ୍କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏଭଳି ସହାୟତା ଯୋଗାଇବା ଦଳ ମତ ନିର୍ବିଶେଷରେ ସ୍ଥାନୀୟ ନେତାମାନଙ୍କ ପକ୍ଷରେ ସମ୍ଭବ ହେଉନଥିବାରୁ ସେମାନେ ଆତ୍ମଗୋପନ କରିବାକୁ ବାଧ୍ୟ ହେଉଛନ୍ତି ।

ସରଗରମ ନିର୍ବାଚନ ପ୍ରଚାର ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଅସ୍ଥାୟୀ ଦପ୍ତର ଏବଂ ପ୍ରଚାର ଆଦି ଲାଗି ବହୁ ଅର୍ଥ ଶୁଝିବାକୁ ବାକି ପଡିଛି । ସମ୍ପୃକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ପ୍ରଭାରୀମାନେ ନିର୍ବାଚନ ସ୍ଥଗିତ ରହିବାପରେ ତୁରନ୍ତ ସ୍ଥାନ ଛାଡି ପଳାଇଛନ୍ତି । ସ୍ଥାନୀୟ ନେତାମାନଙ୍କ ଦୁଆରେ ବାକି ଅର୍ଥ ପାଇବାପାଇଁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଗହଳି ଲଗାଉଥିବାବେଳେ ପାର୍ଟି ଅଫିସକୁ ଟଙ୍କା ଫେରାଇ ଦେଇଥିବାରୁ ସେମାନେ କିଛି କରିପାରିବେ ନାହିଁ ବୋଲି ହାତଟେକି ଦେଉଛନ୍ତି । ଏହା ଏକ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରୁଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here