Home Environment ରାଜ୍ୟରେ କମ୍‍ ବର୍ଷା

ରାଜ୍ୟରେ କମ୍‍ ବର୍ଷା

ଭୁବନେଶ୍ୱର: ଚଳିତ ମୌସୁମୀ ଋତୁରେ ଆଜିସୁଦ୍ଧା ରାଜ୍ୟରେ ୧୬୯.୬ ମିଲିମିଟର ବର୍ଷା ହୋଇଛି ଯାହା ସାଧାରଣ ହାରାହାରି ବୃଷ୍ଟିପାତ ଠାରୁ ୩ ପ୍ରତିଶତ କମ୍ ଅଟେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ।

ଜୁନ୍ ୧ ରୁ ଜୁନ୍ ୨୬ ମଧ୍ୟରେ ସୁନ୍ଦରଗଡ ଜିଲ୍ଲା ସର୍ବାଧିକ ୨୫୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୭୯.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଚଳିତ ମୌସୁମୀ ସମୟରେ ୩୦ ଟି ଜିଲ୍ଲା ମଧ୍ୟରୁ ଅତି କମରେ ୧୧ ଟିରେ ସ୍ୱଳ୍ପ ବର୍ଷା ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି – ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବୌଦ, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଏବଂ ନବରଙ୍ଗପୁର । ଏହି ସମୟ ମଧ୍ୟରେ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷ ରେକର୍ଡ କରିଛି ବୋଲି ଆଇଏମଡି କହିଛି ।

ଭଦ୍ରକ ଜିଲ୍ଲାରେ ସର୍ବାଧିକ ୪୯ ପ୍ରତିଶତ ନିଅଣ୍ଟିଆ ବର୍ଷ ରେକର୍ଡ ହୋଇଥିବାବେଳେ ଗଞ୍ଜାମ ଏବଂ ଗଜପତି (୪୬ ପ୍ରତିଶତ), କନ୍ଧମାଳ (୩୫ ପ୍ରତିଶତ), ଯାଜପୁର (୩୪ ପ୍ରତିଶତ), କେନ୍ଦୁଝର (୨୭ ପ୍ରତିଶତ), ବଲାଙ୍ଗୀର (୨୬ ପ୍ରତିଶତ) ରହିଛି । ଏଥିରେ କୁହାଯାଇଛି ଯେ ନବରଙ୍ଗପୁର (୨୫ ପ୍ରତିଶତ) ଏବଂ ମୟୂରଭଞ୍ଜ, ରାୟଗଡା ଏବଂ ବୌଦ (୨୪ ପ୍ରତିଶତ) କମ୍‍ ବର୍ଷା ହୋଇଛି ।

କେବଳ ପୁରୀ ଜିଲ୍ଲାରେ ସାଧାରଣ ବୃଷ୍ଟିପାତ ଅପେକ୍ଷା ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ଜିଲ୍ଲାରେ ୨୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା କି ସାଧାରଣ ବର୍ଷା ଠାରୁ ୬୬ ପ୍ରତିଶତ ଅଧିକ ।

ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସୋନପୁର, ନୁଆପଡା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କୋରାପୁଟ ଭଳି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି ।

ଅବଶିଷ୍ଟ ନଅଟି ଜିଲ୍ଲାରେ ୨୬ ଦିନ ମଧ୍ୟରେ ସାଧାରଣ ବୃଷ୍ଟିପାତ ହୋଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି – ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ନୟାଗଡ଼, ଖୋର୍ଦ୍ଧା, କାଲାହାଣ୍ଡି ଏବଂ ମାଲକାନଗିରି ।