Home News in Odia ପାଣିମିଟର ପାଇଁ ଟଙ୍କା ନେଇ ବନ୍ଧା ହେଲେ

ପାଣିମିଟର ପାଇଁ ଟଙ୍କା ନେଇ ବନ୍ଧା ହେଲେ

ଭୁବନେଶ୍ୱର : ୱାଟକୋ ନାଁରେ ବେଆଇନ୍‍ ଭାବେ ଅର୍ଥ ଆଦାୟ କରୁଥିବା ଜଣେ ଯୁବକକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ୍‍ । ସମ୍ପୃକ୍ତ ଯୁବକ ଏଭଳି ଅର୍ଥ ଆଦାୟ କରୁଥିବାର ଅଭିଯୋଗ ୱାଟକୋ ନିକଟରେ ପହଞ୍ଚିବା ପରେ ଏ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରର ପ୍ଲଟ ନମ୍ବର ୩୧୭/ଏ ରେ ଦ୍ୱିତୀୟ ପାଣି ମିଟର ଲଗାଇବାପାଇଁ ପ୍ଲଟ ମାଲିକଙ୍କ ଠାରୁ ସତ୍ୟଦୀପ ମହାନ୍ତି ୪୨୦୦ ଟଙ୍କା ନେଇଥିଲେ । ଏହି ଅର୍ଥ ୱାଟକୋ ପାଇଁ ଆଦାୟ ହେଉଥିବା ଦର୍ଶାଇଥିଲେ ।

ଦ୍ୱିତୀୟ ପାଣିମିଟର ଲଗାଇବା ଓ ଏଭଳି ଅର୍ଥ ଆଦାୟ ସମ୍ପୂର୍ଣ୍ଣ ବେଆଇନ୍‍ ବୋଲି ଜାଣିବାପରେ ଘର ମାଲିକ ତୁରନ୍ତ ଏ ସଂକ୍ରାନ୍ତରେ ନୀଳାଦ୍ରୀବିହାରର ଥିବା ୱାଟ୍‍କୋ ଡିଭିଜନକୁ ଅବଗତ କରିଥିଲେ ।

ୱାଟକୋ ନାଁରେ ଏଭଳି ବେଆଇନ୍‍ ଅର୍ଥ ଆଦାୟର ସୂଚନା ପାଇବାପରେ ୱାଟକୋର ସହକାରୀ ପରିଚାଳକ ତୁରନ୍ତ ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ ଦରଜ କରିଥିଲେ । ଥାନା ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସମ୍ପୃକ୍ତ ଯୁବକଙ୍କୁ ଗତକାଲି ଗିରଫ କରି ଜେଲ୍‍ ପଠାଇଛନ୍ତି ।

ଉଲ୍ଲେଖନୀୟ ଯେ ଗିରଫ ହୋଇଥିବା ସତ୍ୟଦୀପ ମହାନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳରେ ୱାଟକୋ ପ୍ରତ୍ୟେକ ଘରେ ପାଣି ମିଟର ଲଗାଇବା କାମ ନେଇଥିବା ଠିକାଦାର ପ୍ରମୋଦ କୁମାର ରାଉତଙ୍କ ନିକଟରେ କାର୍ଯ୍ୟ କରୁଥିଲେ ।