Home News in Odia ପାଞ୍ଚ ବର୍ଷରେ ଗରିବୀ ୧୦ ପ୍ରତିଶତକୁ ହ୍ରାସ କରିବୁ

ପାଞ୍ଚ ବର୍ଷରେ ଗରିବୀ ୧୦ ପ୍ରତିଶତକୁ ହ୍ରାସ କରିବୁ

ଭୁବନେଶ୍ୱର : ରାଜ୍ୟରେ ଏବେ ୨୯% ଅଛନ୍ତି । ରାଜ୍ୟରେ ୮୦ଲକ୍ଷ ଲୋକ ଗରିବୀ ସୀମାରେଖା ଉପରକୁ ଉଠିଛନ୍ତି । ଆଗାମୀ ୫ବର୍ଷରେ ରାଜ୍ୟର ଗରିବୀ ୧୦ ପ୍ରତିଶତକୁ ହ୍ରାସ କରାଯିବ । ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଏହା କହିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଚିଶ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଯାଇଛି ।

ଓଡ଼ିଶାବାସୀଙ୍କ ଆଶିର୍ବାଦରେ ଦିନକୁ ଦିନ ବଢ଼ି ଚାଲିଛି । ବିଜୁ ଜନତା ଦଳ ହେଉଛି ଦେଶର ଏକମାତ୍ର ଦଳ, ଯାହାର ଲୋକପ୍ରୀୟତା ପ୍ରତି ବର୍ଷ ବଢ଼ିଚାଲିଛି । ଏଥି ପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠାକୁ ମୁଁ ସମ୍ମାନ ଜଣାଉଛି । ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ ।

୨୦୦୦ ମସିହାର ଓଡ଼ିଶା, ଓ ଆଜିର ଓଡ଼ିଶା ଭିତରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି । ଗରିବି କମ୍‍ କରିବାରେ ଆମ ରାଜ୍ୟ ସାରା ଦେଶରେ ଆଗରେ ରହିଛି । ଓଡ଼ିଶାରେ ଗରିବି ୬୩%ରୁ ୨୯%କୁ କମିଛି । ଅଶି ଲକ୍ଷ ଲୋକ ଗରିବି ରେଖା ଉପରକୁ ଆସିଛନ୍ତି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବିକୁ ୧୦%କୁ କମ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥି ପାଇଁ ଯାହା ଦରକାର ଆମ ସରକାର ସେ ସବୁ ପଦକ୍ଷେପ ନେବ ।

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଜାତିସଂଘ ଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ପ୍ରଶଂସା ପାଇଛି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଖାଇଛି ।

ଦିନ ଥିଲା ଆମେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । କିନ୍ତୁ ଆଜି ସେ ପରିସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ତିନି ନମ୍ବରରେ ଅଛି । ଏହାର ସବୁ ଶ୍ରେୟ ଆମର ଚାଷୀ ଭାଇମାନଙ୍କର ।

ମହିଳା ସଶକ୍ତିକରଣରେ ଓଡ଼ିଶା ଆଜି ଆଗରେ । ମା ମାନଙ୍କ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳରେ ୫୦% ସ୍ଥାନ ସଂରକ୍ଷଣରେ ମଧ୍ୟ ଓଡ଼ିଶା ଆଗରେ ଅଛି । ସଂସଦରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ହିଁ ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମା ମାନଙ୍କ ହକ୍‍ ପାଇଁ ଆମର ଆନ୍ଦୋଳନ ଜାରି ରହିବ ।

ମିଶନ ଶକ୍ତି ଆଜି ଓଡ଼ିଶାର ପ୍ରତି ଘରର ମା ମାନଙ୍କୁ ସଶକ୍ତ କରିଛି । ୭୦ ଲକ୍ଷ ମା ମାନଙ୍କ ଏହି ବିରାଟ ଆନ୍ଦୋଳନ ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ତଫସିଲ୍‍ଭୁକ୍ତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ ଭାଇ ଭଉଣୀଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି ।

କରୋନା ସମୟରେ ସବୁଠାରୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିଛି । ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିଛି । ଏହା ସାରା ଦେଶରେ ସବୁଠାରୁ ଅଧିକ । ଆମର ଯୁବ ପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି ।

କରୋନା ସମୟରେ ମାଗଣା ଚିକିତ୍ସା ଦେଇଛି ଓଡ଼ିଶା ସରକାର । ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛି ଓଡ଼ିଶା ସରକାର । ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇଛି ଓଡ଼ିଶା ସରକାର । ଲୋକଙ୍କ ଭିତରେ ଭରସା ସୃଷ୍ଟି

କରିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‍ଥ କାର୍ଡ଼ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଏକ ବି ୍ଳବ ଆଣିଛି । ୫ଟି ସ୍କୁଲ୍‍ ଟ୍ରାନ୍ସଫରମେଶନ ଆଜି ଆମ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି । ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ସୃଷ୍ଟି କରିଛି । ସେ ଶିକ୍ଷା ହେଉ ବା କ୍ରୀଡ଼ା ବା ସ୍ୱାସ୍ଥ୍ୟ ବା କୃଷି – ସବୁ କ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ୁଛି ।

ବିଜୁ ଜନତା ଦଳର ବସ୍‍ ହେଉଛନ୍ତି ଓଡ଼ିଶାବାସୀ । ଆମର ଦିଲ୍ଲୀରେ କେହି ବସ ନାହିଁ । ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ, ଓଡ଼ିଶବାସୀଙ୍କ ଇଛାରେ । ଓଡ଼ିଶାର ହକ୍‍ ପାଇଁ । ଆମ କାମ ପାଇଁ, ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ହିଁ ଉତ୍ତର ଦାୟୀ ।

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶିର୍ବାଦରେ ବିଜୁ ଜନତା ଦଳ ଆଜି ଏକ ସାମାଜୀକ ଆନ୍ଦୋଳନରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ସଫଳତା ପଛରେ ଅଛନ୍ତି ଏକ ସମୃଦ୍ଧ, ସଶକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟକ ଓଡ଼ିଶାବାସୀ । ସେହିମାନଙ୍କୁ ସାଥିରେ ଧରି ବିଜୁ ଜନତା ଦଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିଚାଲିବ ।