Home General ପାକିସ୍ତାନ ଅପେକ୍ଷା ଓଡ଼ିଶାରେ ପେଟ୍ରୋଲ ମହଙ୍ଗା

ପାକିସ୍ତାନ ଅପେକ୍ଷା ଓଡ଼ିଶାରେ ପେଟ୍ରୋଲ ମହଙ୍ଗା

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ସହର ମଧ୍ୟରେ ମାଲକାନଗିରିରେ ପେଟ୍ରୋଲ ଓ ଡିଜେଲ ଦର ସର୍ବାଧିକ ରହିଛି । ଓଡ଼ିଶାର ଲୋକ ଲିଟର ପିଛା ଯେଉଁ ଦରରେ ପେଟ୍ରୋଲ କିଣୁଛନ୍ତି ତାହା ମାଲେସିଆ, ଆଫଗାନିସ୍ତାନ, ରୁଷିଆ, ନେପାଳ, ଶ୍ରୀଲଙ୍କା, ଭୁଟାନ, ଚୀନ, ବାଂଲାଦେଶ ଏମିତିକି ପାକିସ୍ତାନଠାରୁ ଢେର୍‍ ଅଧିକ । ପେଟ୍ରୋଲ ଓ ଡିଜେଲ ଦର ବେସ୍‍ ପ୍ରାଇସ୍‍ ଯାହା ରହିଛି ବାସ୍ତବରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଟିକସ ଏବଂ ଡିଲର କମିଶନ ଆଦିର ପରିମାଣ ବସ୍ତୁତଃ ପେଟ୍ରୋଲ ଓ ଡିଜେଲ ମୂଳ ଦରର ଦେଢରୁ ଦୁଇଗୁଣ ପର୍ଯ୍ୟନ୍ତ ରହୁଥିବାରୁ ଏହାର ଦର ଅଧିକ ହେଉଛି ।

୨୦୨୧ ମାର୍ଚ୍ଚ ୨୩ରେ ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ଦର ୯୬ ଟଙ୍କା ୩୧ ପଇସା ଥିବା ବେଳେ ନବରଙ୍ଗପୁରରେ ୯୫ ଟଙ୍କା ୫୧ପାଇସା, ରାୟଗଡ଼ାରେ ୯୫ ଟଙ୍କା ୧୧ ପଇସା, କୋରାପୁଟରେ ୯୫ ଟଙ୍କା ୫୧ ପଇସା, କଳାହାଣ୍ଡିରେ ୯୪ ଟଙ୍କା ୧୩ ପଇସା ଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ଏହା ଅପେକ୍ଷାକୃତ ଶସ୍ତା ଦରରେ ଲିଟର ପିଛା ୯୧ ଟଙ୍କା ୬୬ ପଇସାରେ ଉପଲବ୍ଧ ହେଉଛି ।

ସେହିପରି ଆଜିର ଦିନରେ ମାଲକାନଗିରିରେ ଡିଜେଲ ଲିଟର ପିଛା ଦର ୯୩ ଟଙ୍କା ୧୩ ପଇସା ଥିବା ବେଳେ ରାୟଗଡ଼ାରେ ୯୧ ଟଙ୍କା ୯୫ ପଇସା, ନବରଙ୍ଗପୁର ଓ କୋରାପୁଟରେ ୯୨ ଟଙ୍କା ୩୬ ପଇସାକରି, କଳାହାଣ୍ଡିରେ ୯୧ ଟଙ୍କା ୦୩ ପଇସା ଓ ଭୁବନେଶ୍ୱରରେ ୯୦ ଟଙ୍କା ୧୩ ପଇସା ରହିଛି ।

ହିସାବ ଅନୁଯାୟୀ ଆଜିର ଦିନରେ ପେଟ୍ରୋଲର ବେସ୍‍ ପ୍ରାଇସ ବା ମୂଳ ଦର ଲିଟର ପିଛା ୩୩ ଟଙ୍କା ୬୮ ପଇସା ରହିଥିବା ବେଳେ ଏହା ଉପରେ କେନ୍ଦ୍ର ସରକାର ୩୨ ଟଙ୍କା ୯୦ ପଇସା ଓ ରାଜ୍ୟ ସରକାର ୨୧ ଟଙ୍କା ୪୦ ପଇସା ଟିକସ ନେଉଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୪ ମଇ ମାସ ବେଳକୁ ଦିଲ୍ଲୀରେ ତୈଳ ଦରର ବେସ୍‍ ପ୍ରାଇସ୍‍ ୪୭ ଟଙ୍କା ୧୨ ପଇସା ଥିବା ବେଳେ ଏହା ଉପରେ କେନ୍ଦ୍ରୀୟ ଟିକସ ୧୦ ଟଙ୍କା ୩୯ ପଇସା, ରାଜ୍ୟ ଟିକସ ୧୧ ଟଙ୍କା ୯୦ ପଇସା ଓ ଡିଲର କମିଶନ୍‍ ୨ ଟଙ୍କାକୁ ମିଶାଇ ଖୁଚୁରା ବିକ୍ରି ଦାମ୍‍ ଲିଟର ପିଛା ୭୧.୪୧ ପଇସା ଥିଲା । ତେବେ ବର୍ତ୍ତମାନ କେନ୍ଦ୍ରୀୟ ଓ ରାଜ୍ୟ ଟିକସ ପ୍ରତି ଲିଟର ପେଟ୍ରୋଲ ଉପରେ ପାଖାପାଖି ୫୫ ଟଙ୍କା ହୋଇଥିବା ବେଳେ ଡିଲର କମିଶନ୍‍ ବି ୩ ଟଙ୍କା ୬୦ ପଇସାରୁ ଅଧିକ ରହୁଛି ।

ସେହିପରି ଏବେ ପେଟ୍ରୋଲ ଓ ଡିଜେଲ ଦର ଯେଭଳି ବଢ଼ୁଛି ତାହା ଅବ୍ୟାହତ ରହିଲେ କିଛିଦିନ ଭିତରେ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କାକୁ ଟିପିଯିବା ଆଶଙ୍କା କରାଯାଉଛି । ଗୋଟିଏ ପଟେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ପେଟ୍ରୋଲ ଓ ଡିଜେଲରୁ ମିଳୁଥିବା ଟିକସ ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ବିନିଯୋଗ ହେଉଥିବା ଦର୍ଶାଉଥିବା ବେଳେ ବିଜେଡି ପକ୍ଷରୁ କୁହାଯାଉଛି ଯେ କେନ୍ଦ୍ର ଅପେକ୍ଷା ରାଜ୍ୟ ସରକାର କମ୍‍ ଟିକସ ଆଦାୟ କରୁଛନ୍ତି । ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ୩୦ରୁ ୩୫ ଟଙ୍କା ମଧ୍ୟରେ ସୀମିତ ଥିବା ବେଳେ ବସ୍ତୁତଃ ଟିକସ ବୋଝ ଯୋଗୁ ଏହା ଖାଉଟିଙ୍କ ପାଇଁ ସାଙ୍ଘାତିକ ମାଡ଼ ଭଳି ହେଉଛି ।

ଆଜିର ଦିନରେ ପାକିସ୍ତାନରେ ଲିଟର ପିଛା ପେଟ୍ରୋଲ ଦର ୫୧ ଟଙ୍କା ୬୪ ପଇସା ଥିବା ବେଳେ ଶ୍ରୀଲଙ୍କାରେ ୬୩ ଟଙ୍କା ୭୭ ପଇସା, ଭୁଟାନରେ ୫୭ ଟଙ୍କା ୨ ପଇସା, ନେପାଳରେ ୬୮ ଟଙ୍କା ୭୪ ପଇସା, ବାଂଲାଦେଶରେ ୭୧ ଟଙ୍କା ୬୯ ପଇସା, ଚୀନ୍‍ରେ ୮୦ ଟଙ୍କା ୯୦ପଇସା, ମାଲେସିଆରେ ୩୭ ଟଙ୍କା ୭୨ ପଇସା ଓ ଆଫଗାନିସ୍ତାନରେ ୪୬ ଟଙ୍କା ୫୪ ପଇସା ରହିଛି । ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ତୁଳନାରେ ଭାରତ ବିଶେଷ କରି ଓଡ଼ିଶା ବଜାରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ଥିବା ମୂଲ୍ୟସୂଚୀ ବିଶ୍ଳେଷଣରୁ ଜଣାପଡ଼ିଛି ।