Home Environment ୪୦୦ ହେକ୍ଟର ଜଙ୍ଗଲ ପଦା

୪୦୦ ହେକ୍ଟର ଜଙ୍ଗଲ ପଦା

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ୪୦୦ ହେକ୍ଟର ଜଙ୍ଗଲ କଟାଯାଇଛି । ତେବେ କଟାଯାଇଥିବା ଜଙ୍ଗଲ ବଦଳରେ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ୩ କୋଟି ୭୧ ଲକ୍ଷ ଟଙ୍କା ଶିଳ୍ପ ସଂସ୍ଥାମାନେ ପୈଠ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୪ ହେକ୍ଟର ଜଙ୍ଗଲ କିସମ ଜମି ଓ ୩୧୬ ହେକ୍ଟର ପରିମିତ ଅଣଜଙ୍ଗଲ କିସମ ଜମିରେ କ୍ଷତିପୂରକ ବନୀକରଣ କାର୍ଯ୍ୟ ସମାପ୍ତ ହୋଇଛି ।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଯେଉଁସବୁ କାରଖାନା ଲାଗି ଜଙ୍ଗଲ କଟାଯାଇଛି ସେଗୁଡ଼ିକ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଜିନ୍ଦଲ କାରଖାନା ଲାଗି ୧୬୮ ହେକ୍ଟର, ସମ୍ବଲପୁର ଜିଲ୍ଲାରେ ଶ୍ୟାମ ଡିଆର୍‍ଆଇ ପାୱାର ପାଇଁ ୩୮ ହେକ୍ଟର ଜଙ୍ଗଲ କଟାଯାଇଛି ।

ସେହିଭଳି ସମ୍ବଲପୁରର ଆଦିତ୍ୟ ଆଲୁମିନିୟମ୍‍ ପାଇଁ ୧୧୯ ହେକ୍ଟର ଜଙ୍ଗଲ କଟାଯାଇଥିବା ବେଳେ ରାଉରକେଲାରେ ଆଧୁନିକ ମେଟାଲିକ୍ସ ପାଇଁ ୨୪ ହେକ୍ଟର କଟାଯାଇଛି । କେନ୍ଦୁଝର ଜିଲ୍ଲାରେ ବ୍ରାହ୍ମଣୀ ରିଭର୍‍ ପେଲେଟ୍ସ ଲିମିଟେଡ୍‍ ପାଇଁ ୨୨ ହେକ୍ଟର,, କଟକ ଜିଲ୍ଲାରେ ଓସିଏଲ୍‍ ଇଣ୍ଡିଆ ପାଇଁ ପ୍ରାୟ ୫ ହେକ୍ଟର, ଢେଙ୍କାନାଳ ଜିଲ୍ଲାରେ ରୁଙ୍ଗ୍‍ଟା ମାଇନ୍ସ ପାଇଁ ୩ ହେକ୍ଟର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଏସ୍‍ଏମ୍‍ସି ପାୱାର ଜେନେରେସନ୍‍ ପାଇଁ ପ୍ରାୟ ୧୮ ହେକ୍ଟର ଜଙ୍ଗଲ ଜମିର କିସମ ବଦଳିଛି ।

ତେବେ ଏହି କ୍ଷତିଭରଣା ଲାଗି ୧୦୪ ହେକ୍ଟର ଜଙ୍ଗଲ ଜମି ଓ ୩୯୮ ହେକ୍ଟର ଅଣଜଙ୍ଗଲ ଜମିରେ କ୍ଷତିପୂରକ ବନୀକରଣ ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା । ଏଥିଲାଗି ମୋଟ୍‍ ୩କୋଟି ୭୧ ଲକ୍ଷରୁ ଅଧିକ ଟଙ୍କା ଦାଖଲ କରାଯାଇଥିବା ବେଳେ ସେହିସବୁ ଅର୍ଥରେ ବିଭିନ୍ନ ସ୍ଥାନରେ ବନୀକରଣ କାର୍ଯ୍ୟକ୍ରମ ଚଳାଯାଇଛି ।