Home General ପରମ୍ପରାରେ ସାମାନ୍ୟ ପରିବର୍ତ୍ତନ

ପରମ୍ପରାରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର : ଚଳିତ ବିଧାନସଭା ଅଧିବେଶନରେ ପରମ୍ପରାରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ବିୟୋଗରେ ଗୃହକାର୍ଯ୍ୟ ଗୋଟିଏ ଦିନ ପାଇଁ ମୁଲତବି ରହିବାର ବିଧି ଥିବାବେଳେ ସେଥିରେ ସାମୟିକ ପରିବର୍ତ୍ତନ କରାଯାଇ ତାହାକୁ କେବଳ ଗୋଟିଏ ବେଳାରେ ସୀମିତ ରଖିାଯାଇଛି । ତେବେ ଏହାକୁ ଗୃହର ପରମ୍ପରା ଭାବେ ଗ୍ରହଣ କରାଯିବ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ପଷ୍ଟ କରିଛନ୍ତି ।

ଆଜି ବିଧାନସଭାର ବଜେଟ୍‍ ଅଧିବେଶନ କାର୍ଯ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା । ରାଜ୍ୟପାଳଙ୍କ ଭାଷଣ ପରେ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ସଦସ୍ୟମାନଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଆଗତ କରିଥିବା ଶୋକ ପ୍ରସ୍ତାବରେ ପୂର୍ବତନ ବାଚସ୍ପତି କିଶୋର କୁମାର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ ସଦସ୍ୟ ସର୍ବଶ୍ରୀ ରାମକୃଷ୍ଣ ପଟ୍ଟନାୟକ, ଦୂର୍ଯ୍ୟୋଧନ ମାଝି, ଦେବରାଜ ସାହୁ, ଉଦୟ ନାରାୟଣ ଦେବ, ବିଜୟ କୁମାର ଜେନା, କାଙ୍ଗାଳି ଚରଣ ପଣ୍ଡା, ଶ୍ରୀମତୀ ରୋଶନୀ ସିଂହଦଓ, ଅଜିତ ଦାସ ଓ ରାଜୀବ ଲୋଚନ ହୋତାଙ୍କ ସମେତ କରୋନା ଯୋଦ୍ଧା ଆଦି ରହିଥିଲେ ।

ଶୋକ ପ୍ରସ୍ତାବ ଉପରେ ବିଜେପି ଦଳର ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକଦଳର ନେତା ନରସିଂହ ମିଶ୍ର ଓ ସିପିଆଇର ଲକ୍ଷ୍ମଣ ମୁଣ୍ଡା ନିଜ ନିଜର ବକ୍ତବ୍ୟ ରଖିବାପରେ ବାଚସ୍ପତି ଡକ୍ଟର ପାତ୍ର ଶୋକ ପ୍ରକାଶ କରିଥିଲେ । ଏହାପରେ ଗୃହରେ ଏ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା ।

ପରେ ବାଚସ୍ପତି କହିଥିଲେ ଯେ ଗୃହର ବିଧି ଅନୁଯାୟୀ ପୂର୍ବତନ ବାଚସ୍ପତି କିମ୍ବା ମୁଖ୍ୟମନ୍ତ୍ରୀଙ୍କର ଦେହାନ୍ତ ହୋଇଥିଲେ ଶୋକ ପ୍ରସ୍ତାବ ପାରିତ ପରେ ଗୃହକାର୍ଯ୍ୟ ସେହିଦିନ ପାଇଁ ମୁଲତବି ରହିଥାଏ । ହେଲେ ଚଳିତ ଅଧିବେଶନ ସମୟରେ କୋଭିଡ କଟକଣା ଓ ସ୍ୱଳ୍ପ ସମୟକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଇଛି । ଗୃହ କାର୍ଯ୍ୟ ଗୋଟିଏ ଦିନ ପରିବର୍ତ୍ତେ କେବଳ ପୂର୍ବାହ୍ନ ଅଧିବେଶନରେ କୌଣସି କାର୍ଯ୍ୟ ହେବନାହିଁ । ତେବେ ଏହାକୁ ଗୃହର ପରମ୍ପରା ଭାବେ ଧରାଯିବ ନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।