Home Administration ନୂଆ କ୍ୟାଡର ଏକ୍‍ଜିକ୍ୟୁଟିଭ ଆସିଷ୍ଟାଣ୍ଟ

ନୂଆ କ୍ୟାଡର ଏକ୍‍ଜିକ୍ୟୁଟିଭ ଆସିଷ୍ଟାଣ୍ଟ

ଭୁବନେଶ୍ୱର : ଲୋକସେବା ଭବନରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର, ଷ୍ଟେନୋଗ୍ରାଫର, ପି.ଏ ଓ ପି.ଏସ୍‍ ମାନଙ୍କର ଗୋଟିଏ କ୍ୟାଡର ହେବ । ନୂଆ କ୍ୟାଡରର ନାମ ହେବ ‘ଏକ୍‍ଜିକ୍ୟୁଟିଭ ଆସିଷ୍ଟାଣ୍ଟ’ । ଏଥିରେ ଉପରୋକ୍ତ ଦୁଇ କର୍ମଚାରୀଙ୍କ କ୍ୟାଡର ବିଲୟ ପାଇଁ ନିଷ୍ପତ୍ତି ହୋଇଛି । ଗୃହ ବିଭାଗ ପକ୍ଷରୁ ଏହି ନୂତନ କ୍ୟାଡର ପ୍ରସ୍ତୁତ ହେବ ।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବରୁ ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଡିଇଓ କ୍ୟାଡର ରହିଥିବାବେଳେ ପି.ଏ ଓ ପି.ଏସ୍‍ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କ୍ୟାଡର ଥିଲା । ତେବେ ବର୍ତ୍ତମାନ ଏହି ତିନି ବର୍ଗର କର୍ମଚାରୀଙ୍କୁ ଗୋଟିଏ କ୍ୟାଡର ଅଧିନକୁ ଅଣାଯିବ ।

ଉଲ୍ଲେଖନୀୟ ଯେ ୨୦୧୦-୧୧ ବର୍ଷରେ ଟାଇପିଷ୍ଟ କ୍ୟାଡରକୁ ଉଚ୍ଛେଦ କରି ଡାଟା ଏଣ୍ଟ୍ରି କ୍ୟାଡର ସୃଷ୍ଟି କରାଯାଇଥିଲା । ଟାଇପିଷ୍ଟମାନଙ୍କ କାମ ଡାଟା ଏଣ୍ଟ୍ରି ଅପରେଟରମାନେ କରିବା ସହିତ ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ହୋଇଥିଲା । ଏଥି ସହିତ ଟାଇପିଷ୍ଟ କ୍ୟାଡରରେ ଡାଟା ଏଣ୍ଟ୍ରି କ୍ୟାଡରକୁ ମିଶାଇ ଦିଆଯାଇଥିଲା । ତେବେ ପି.ଏ ଓ ପି.ଏସ୍‍ କ୍ୟାଡର ଅଲଗା ରହିଥିଲା ।

ଲୋକସେବାଭବନର କିଛି ବରିଷ୍ଠ ଅଧିକାରୀଙ୍କ କହିବାକଥା ଯେ ପି.ଏ ଓ ପି.ଏସ୍‍ ଦାୟିତ୍ୱ ତୁଲାଉଥିବା କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଆଦି ବରିଷ୍ଠ ଅଧିକାରୀଙ୍କ ନିକଟରେ କାର୍ଯ୍ୟ କରିଥାନ୍ତି । ଏମାନେ ଅତି ଗୋପନୀୟ ନଥିପତ୍ର କାର୍ଯ୍ୟ କରୁଥିବାରୁ ଏମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଥାଏ । ଏମାନଙ୍କ କ୍ୟାଡର ସ୍ୱତନ୍ତ୍ର । ତେଣୁ ଏମାନଙ୍କୁ ଗୋଟିଏ କ୍ୟାଡରକୁ ଆଣିବା ବଦଳରେ ସେମାନଙ୍କ ଭିନ୍ନ କ୍ୟାଡରରେ ରଖାଯାଇ ପାରିଥାନ୍ତା ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଏବେ ଦୁଇଶହରୁ ଅଧିକ ଡାଟା ଏଣ୍ଟ୍ରି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଚୂଡାନ୍ତ କରିଥିବାବେଳେ ଖୁବ୍‍ଶୀଘ୍ର ନୂଆ କର୍ମଚାରୀ ନିଯୁକ୍ତ ହେବେ । ଏମାନଙ୍କ ପାଇଁ ସମସ୍ତ ପ୍ରକାର ଚୟନ ପ୍ରକ୍ରିୟା ଶେଷ ହୋଇଛି । ସେହିଭଳି ଦୀର୍ଘଦିନ ଧରି ଲୋକସେବା ଭବନରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ପାଇଁ ମଧ୍ୟ ଅଦାଲତି ନିର୍ଦ୍ଦେଶନାମା ରହିଛି । ତେବେ ଡାଟା ଏଣ୍ଟ୍ରି ନିଯୁକ୍ତି ପରେ ନୂତନ ଭାବେ ସୃଷ୍ଟି ହେବାକୁ ଯାଉଥିବା କ୍ୟାଡରରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ । (ତଥ୍ୟ)

LEAVE A REPLY

Please enter your comment!
Please enter your name here