Home General ନିଶା କାରବାର ପାଇଁ ପ୍ରଶାସନର ମୁଣ୍ଡବିନ୍ଧା

ନିଶା କାରବାର ପାଇଁ ପ୍ରଶାସନର ମୁଣ୍ଡବିନ୍ଧା

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ କିସମର ନିଶା କାରବାର ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଲଗାମଛଡ଼ା ଭାବେ ବଢ଼ି ଚାଲିଥିବା ବେଳେ ଚୋରା ନିଶା ବେପାରୀମାନେ ବାରମ୍ବାର ପୁଲିସ ଉପରେ ଆକ୍ରମଣ କରିବା ଘଟଣା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

ଇତିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଚୋରା ମଦ ଧରିବାକୁ ଯାଇଥିବା ଜଣେ ପୁଲିସ ଅଧିକାରୀ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଚିକିତ୍ସାଧୀନ ଅଛନ୍ତି । ଧରାପଡ଼ିବାରୁ ବର୍ତ୍ତିବା ପାଇଁ ଚୋରା ମଦ ବେପାରୀମାନେ ତାଙ୍କ ଉପରକୁ ତୀରମାଡ଼ କରିବାରୁ ଶର ପେଟ ଭିତରକୁ ଗଳି ଯାଇଥିଲା ।

ସେହିପରି ଫୁଲବାଣୀ ଜିଲ୍ଲାରେ ଚୋରା ଗଞ୍ଜେଇ ଧରିବା ପାଇଁ ଯାଇଥିବା ଷ୍ଟ୍ରାଇକିଂ ଫୋର୍ସ ଉପରେ ନିଶା ବେପାରୀମାନେ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛନ୍ତି । ଅବଶ୍ୟ ଏଥିରେ ଷ୍ଟ୍ରାଇକଂ ଫୋର୍ସର ପୁଲିସମାନେ ଦୈବାତ୍‍ ବଞ୍ଚିଯାଇଛନ୍ତି । କେବଳ ସୁନ୍ଦରଗଡ଼ କି ଫୁଲବାଣୀ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବେ ଚୋରା ନିଶା ବେପାରୀ ଏକପ୍ରକାର ରକ୍ତମୁଖା ହୋଇପଡ଼ିଛନ୍ତି ।

ବର୍ଷକ ମଧ୍ୟରେ ପୁଲିସ ୧୫ ଟନ୍‍ରୁ ଅଧିକ ଗଞ୍ଜେଇ ଜବତ ସହ ଏହାର ପରିବହନ କ୍ଷେତ୍ରରେ ନିୟୋଜିତ ଅନେକ ନାମୀଦାମୀ ଗାଡ଼ି ମଧ୍ୟ ଧରିଛନ୍ତି । ଏ ପରିପ୍ରେକ୍ଷୀରେ ଚୋରା ଗଞ୍ଜେଇ ବେପାରୀମାନେ ସେମାନଙ୍କ ତରିକା ବଦଳାଉଛନ୍ତି । ଓଡ଼ିଶା ଏବେ ଦେଶର ଚୋରା ଗଞ୍ଜେଇ ଉତ୍ପାଦନ ଓ ଚାଲାଣର ଏକପ୍ରକାର ପେଣ୍ଠସ୍ଥଳୀ ପାଲଟିଛି । ମଝିରେ ମଝିରେ ପୁଲିସ ଚଢ଼ାଉ କରି ଅବଶ୍ୟ କୋଟି କୋଟି ଟଙ୍କାର ଗଞ୍ଜେଇ କ୍ଷେତ ନଷ୍ଟ କରୁଛି ।

ତେବେ ଯେତେ ପରିମାଣର ଗଞ୍ଜେଇ କ୍ଷେତ ନଷ୍ଟ ହେଉଛି ବାସ୍ତବରେ ତାହା ତୁଳନାରେ ଢେର୍‍ ଅଧିକ ପରିମାଣର ଗଞ୍ଜେଇ ରାଜ୍ୟ ଭିତରେ ଓ ବାହାରେ କାରବାର ହେଉଛି । ଅଧିକାଂଶ ଜିଲ୍ଲାରେ ଚୋରା ଓ ନକଲି ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତ ହେଉଛି । ସୀମିତ ସଂଖ୍ୟକ ଅବକାରୀ ପୁଲିସ ଏହା ନିୟନ୍ତ୍ରଣ କରିବା ଭଳି ମନେ ହେଉନଥିଲେ ମଧ୍ୟ ପୁଲିସ କିନ୍ତୁ କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ରଖିଛି । ତେବେ ଚୋରା ନିଶା କାରବାରରେ ଦଣ୍ଡବିଧାନ ହାର ୨ରୁ ୮ ପ୍ରତିଶତ ମଧ୍ୟରେ ସୀମିତ ରହୁଥିବା ଏବଂ ବର୍ଷ ବର୍ଷ ଧରି ଏହି ମାମଲା ଗଡ଼ୁଥିବାରୁ ଜାମିନ୍‍ରେ ଆସି ପୁଣି ଏହି ବେପାରରେ ଚୋରା ବେପାରୀ ଲାଗିଯାଉଛନ୍ତି ।

ଓଡ଼ିଶାରେ ଯେଉଁ ପରିମାଣର ବ୍ରାଉନ୍‍ ସୁଗାର ଜବତ ହେଉଥିବା ଘେନି ଖବର ପ୍ରକାଶ ପାଉଛି ସେଥିରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ବ୍ରହ୍ମପୁର, ନୟାଗଡ଼, ପୁରୀ ଆଦି ଜିଲ୍ଲାରେ ବ୍ରାଉନ୍‍ ସୁଗାର ବେପାରୀମାନେ ଜାଲ ବିଛେଇଥିବା ଭଳି ମନେ ହେଉଛି । ବ୍ରାଉନ୍‍ ସୁଗାର ସାଙ୍ଗକୁ ଗଞ୍ଜେଇ ସିଗାରେଟ୍‍ ଏବଂ ହାତ ପାଆନ୍ତାରେ ମଦ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ବିଗାଡ଼ୁଥିବା ବେଳେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ଓ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏ ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମନ୍ୱୟ ଓ ସହଯୋଗ ଭିତ୍ତିରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କଲେ ଆଉକିଛି ବର୍ଷ ଭିତରେ ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିବ ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ସରକାରଙ୍କୁ ଚେତାଇ ଦିଆଯାଇଛି ।