Home Finance ସରକାରୀ ଅର୍ଥ ଟ୍ରାକିଂ ପାଇଁ ଏସ୍‍ବିଏଏମ୍‍ଏସ୍‍

ସରକାରୀ ଅର୍ଥ ଟ୍ରାକିଂ ପାଇଁ ଏସ୍‍ବିଏଏମ୍‍ଏସ୍‍

ଭୁବନେଶ୍ୱର : ବ୍ୟାଙ୍କରେ ଗଚ୍ଛିତ ଥିବା ସରକାରୀ ଅର୍ଥର ସ୍ଥିତି ଜାଣିବାପାଇଁ ରାଜ୍ୟ ସରକାର ‘ମନିଟରିଂ ମେକାନିଜିମ୍‍’ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏହାଦ୍ୱାରା କେଉଁ ବ୍ୟାଙ୍କ୍‍ରେ କେତେ ସରକାରୀ ଅର୍ଥ ରହିଛି ତାହା ବିଭାଗମାନେ ସହଜରେ ଜାଣିପାରିବେ ।

ସରକାରୀ ସଂସ୍ଥାଗୁଡିକ ବିଭିନ୍ନ ବ୍ୟାଙ୍କ୍‍ରେ ବିପୁଳ ପରିମାଣର ଅର୍ଥ ଜମା ରଖିଛନ୍ତି । ଏ ସଂକ୍ରାନ୍ତରେ ଜାଣିବାପାଇଁ ରାଜ୍ୟ ସରକାର ସ୍କିମ୍‍ ବ୍ୟାଙ୍କ୍‍ ଆକାଉଣ୍ଟ ମନିଟରିଂ ସିଷ୍ଟମ (ଏସ୍‍ବିଏଏମ୍‍ଏସ୍‍) ସ୍ଥାପନ କରିବେ । ଏହାଦ୍ୱାରା ବ୍ୟାଙ୍କ୍‍ରେ ଗଚ୍ଛିତ ଥିବା ସରକାରୀ ଅର୍ଥକୁ ଠିକଣା ଭାବେ ମନିଟରିଂ କରାଯାଇ ପାରିବ । ଅଧିକାରୀମାନଙ୍କ କହିବାକଥା ଯେ ଉନ୍ନୟନ ଯୋଜନା ଚଳାଇବାପାଇଁ ଅଧିକ ଅର୍ଥ ଆବଶ୍ୟକ ପଡୁଥିବାବେଳେ ବିଭିନ୍ନ ବ୍ୟାଙ୍କ୍‍ରେ ଏବେ ୧୧ହଜାର କୋଟିରୁ ଅଧିକ ଅର୍ଥ ଗଚ୍ଛିତ ରହିଛି । ଏଥିରେ ଉନ୍ନୟନ କାର୍ଯ୍ୟ ଚଳାଇବା ଜରୁରୀ ହୋଇପଡିଛି ।

କରୋନା ମାଡରେ ରାଜ୍ୟ ଅର୍ଥନୀତି ଦୋହଲି ଯାଇଥିବାବେଳେ ବିଭିନ୍ନ ବିଭାଗର ଅର୍ଥ ବ୍ୟୟ ଧିମେଇ ଯାଇଛି । ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଥିବାରୁ ରାଜ୍ୟ ସରକାର ଉନ୍ନୟନ କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି ଯେଉଁଥିପାଇଁ ଅଧିକ ଅର୍ଥର ଆବଶ୍ୟକ ପଡୁଚି । ରାଜ୍ୟ ସରକାର ଏବେ ବ୍ୟାପକ ଉନ୍ନୟନ କାର୍ଯ୍ୟପାଇଁ ଅଧିକ ଅର୍ଥର ଆବଶ୍ୟକତା କରୁଥିବାବେଳେ ବ୍ୟାଙ୍କ୍‍ରେ ଗଚ୍ଛିତ ରହିଥିବା ସରକାରୀ ଅର୍ଥ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଛି ।

ତେବେ ବ୍ୟାଙ୍କ୍‍ରେ ମୋଟ୍‍ କେତେ ପରିମାଣର ଅର୍ଥ ଜମା ରହିଛି ତାହାର ସଠିକ ହିସାବ ରାଜ୍ୟ ପ୍ରଶାସନ ନିକଟରେ ନାହିଁ । ଅନ୍ୟପକ୍ଷରେ ବ୍ୟାପକ ତର୍ଜମା ପରେ ଏହି ଅର୍ଥ ପରିମାଣ ୧୧ହଜାର କୋଟି ଟଙ୍କାରୁ ଅଧିକ ହେବବୋଲି ନଜରକୁ ଆସିଛି । ଏ ସଂକ୍ରାନ୍ତରେ ଅଧିକ ଅନୁଧ୍ୟାନ ସହିତ ବ୍ୟାଙ୍କ୍‍ରେ ଗଚ୍ଛିତ ଥିବା ଅର୍ଥକୁ ବ୍ୟବସ୍ଥିତ ଭାବେ ପରିଚାଳନା ଲାଗି ରାଜ୍ୟସରକାର ଏସ୍‍ବିଏଏମ୍‍ଏସ୍‍ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।

ପ୍ରଶାସନିକ ବିଭାଗ ସହୟତାରେ ଏସ୍‍ବିଏଏମ୍‍ଏସ୍‍ ଦ୍ୱାରା ଯୋଜନା ୱାରୀ ଖର୍ଚ୍ଚ ଓ ସରକାରୀ ଟ୍ରେଜେରୀ ବାହାରେ ବ୍ୟାଙ୍କ୍‍ରେ ଜମା ଥିବା ଅର୍ଥକୁ ଟ୍ରାକିଂ କରାଯାଇ ପାରିବ । ଏସ୍‍ବିଏଏମ୍‍ଏସ୍‍ ସହାୟତାରେ କେଉଁ ବ୍ୟାଙ୍କ୍‍ରେ କେଉଁ ଆକାଉଣ୍ଟରେ କେତେ ଅର୍ଥ କେବେ ରହିଛି ତାହାର ସଠିକ ସୂଚନା ମିଳିପାରିବ । ଏଥି ସହିତ ସରକାରୀ ପାଣ୍ଠିକୁ ବ୍ୟାଙ୍କ୍‍ମାନେ କିଭଳି ସରକାରୀ ଯୋଜନା ପାଇଁ ଦେଉଛନ୍ତି ତାହା ମଧ୍ୟ ଜଣାପଡିବ ।

ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ସହାୟତା ଓ ଅନୁଦାନ ହ୍ରାସ ଯୋଗୁଁ ରାଜ୍ୟ ସରକାର ବିଭିନ୍ନ କେନ୍ଦ୍ରୀୟ ସହାୟତା ପ୍ରକଳ୍ପ ଜାରି ରଖିବା ଲାଗି ଅର୍ଥ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ କର୍ତ୍ତୃପକ୍ଷଙ୍କ ଅଧିକରୁ ଅଧିକ ଖୋଲାବଜାର ଋଣ କରିବାକୁ ପଡୁଛି । ଏଭଳି ସ୍ଥିତିରେ ବ୍ୟାଙ୍କ୍‍ରେ ଖର୍ଚ୍ଚ ନହୋଇ ପଡିଥିବା ଅର୍ଥ ଦ୍ୱାରା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ ।

ଏସ୍‍ବିଏଏମଏସ୍‍ ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ଚଳିତମାସ ଶେଷସୁଦ୍ଧା ପ୍ରମୁଖ ବ୍ୟାଙ୍କ୍‍ଗୁଡିକ ଏହି ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବେ । ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ୍‍ଗୁଡିକରୁ ୨୮୦୦ କୋଟି ଟଙ୍କା ଫେରାଇ ଅଣାଯାଇଥିବେଳେ ଆଗାମୀ ଦିନରେ ଅଧିକ ଅର୍ଥ ଫେରିବ ବୋଲି ଅଧିକାରୀମାନେ ମତ ଦେଉଛନ୍ତି ।