Home Agriculture ନଡିଆ, କଦଳୀ ଗଛକୁ କୀଟ ଆକ୍ରମଣ

ନଡିଆ, କଦଳୀ ଗଛକୁ କୀଟ ଆକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ନଡିଆ, କଦଳୀ ସମେତ ଅନ୍ୟାନ୍ୟ ଗଛ ପାଇଁ ଏବେ ଅତି ଛୋଟ ଛୋଟ କୀଟାମାନେ କାଳ ସାଜିଛନ୍ତି । ଏହି ପୋକମାନେ ଦଳ ଦଳ ହୋଇ ଆସି ନଡିଆ, କଦଳୀ, ଆମ୍ବ ଓ ଅନ୍ୟାନ୍ୟ ଗଛର ପତ୍ରରେ ବସିବା ସହିତ ଏକ ଅଠାଳିଆ ପଦାର୍ଥ ଛାଡୁଛନ୍ତି । ଏହାର ପ୍ରଭାବରେ କିଛିଦିନ ପରେ ପତ୍ରଝଡା ସହିତ ଗଛଟି ମରିଯାଉଛି ।

ସମଗ୍ର ଉପକୂଳରେ ଏହି କୀଟଙ୍କ ପ୍ରାର୍ଦୁଭାବ ଦେଖାଯାଇଥିବାବେଳେ ଭଦ୍ରକ ଜିଲ୍ଲାରେ ଏବେ ଏହା ଉତ୍କଟ ଆକାର ଧାରଣ କରିଛି । ଆରଡି, ଧୁଷୁରୀ, ଧାମନଗର ଆଦି ଅଞ୍ଚଳରେ ଗଛର ପତ୍ରଗୁଡିକ କଳା ପଡିଗଲାଣି । ନଡିଆ ଗଛର ପତ୍ର ନୀଳ ପରିବର୍ତ୍ତେ କଳାପଡିବା ସହିତ ଅଳ୍ପ ଦିନ ମଧ୍ୟରେ ବାହୁଙ୍ଗାରୁ ପତ୍ର ଝଡି ପଡୁଛି । ସେହିଭଳି କଦଳୀ ଗଛକୁ ଏହି କୀଟମାନେ ଆକ୍ରମଣ କରିବା ଯୋଗୁଁ ଲୋକେ କଦଳୀ ତ ଦୂରରକଥା କଦଳୀପତ୍ର ଖଣ୍ଡେ ପାଉନାହାନ୍ତି । କଦଳୀପତ୍ର କଳା ପଡିବା ସହିତ ଏହା ଶୁଖି ଯାଉଛି ।

ନଡିଆ, କଦଳୀ ଭଳି ଗଛ ସହିତ ଏହି କୀଟମାନେ ମାନେ ଦଳ ଦଳ ହୋଇ ଆମ୍ବ ଗଛକୁ ବି ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଏଥିଯୋଗୁଁ ଭଦ୍ରକ ଜିଲ୍ଲାର ଏହିସବୁ ଅଞ୍ଚଳରେ ଏଥର ଆମ୍ବ ଫଳିବ କି ନାହିଁ ସେଥିନେଇ ଲୋକେ ସନ୍ଦେହରେ ଅଛନ୍ତି । ସେହିଭଳି କେତେକ ସ୍ଥାନରେ ଏହି କୀଟମାନେ ଦଳ ଦଳ ହୋଇ ବିଭିନ୍ନ ପନି ପରିବା ଗଛର ପତ୍ରକୁ ବି ଆକ୍ରମଣ ଆରମ୍ଭ କରିଦେଇଛନ୍ତି ।

ପୁରୀ ଜିଲ୍ଲାରେ ବି ଏହି କୀଟଙ୍କ ପ୍ରାର୍ଦୁଭାବ ଦୀର୍ଘଦିନ ହେଲା ଜାରି ରହିଛି । ଚାଷୀଙ୍କ କହିବାକଥା ଯେ କବକ ପ୍ରଜାତିର ଏହି ଛୋଟ ଛୋଟ କୀଟ ଦଳ ଦଳ ହୋଇ ଆସିବା ସହିତ ନଡିଆ ପତ୍ରରେ ଲାଖି ରହୁଛନ୍ତି । ରାତି ବେଳା ଏହି କୀଟଗୁଡିକ ରେଡିୟମର ଭ୍ରମ ସୃଷ୍ଟି କରୁଛନ୍ତି । ଦିନ ବେଳା ଆଦୌ ଦୃଶ୍ୟମାନ ହେଉନାହାନ୍ତି । ତେବେ ଏମାନେ ଗଛର ପତ୍ରରେ ଛାଡୁଥିବା ଅଠାଳିଆ ପଦାର୍ଥ ଗଛର ପତ୍ରପାଇଁ କାଳ ହେଉଛି । ଏଥିଯୋଗୁଁ ନଡିଆ ଉତ୍ପାଦନ ହ୍ରାସ ପାଇବା ସହିତ କେତେକ ସ୍ଥାନରେ ଗଜା ନଡିଆ ଗଛ ମରିଯାଉଛି ।

ବର୍ତ୍ତମାନ ସୁଦ୍ଧା ଏହାର ନିରାକରଣ ପାଇଁ କୃଷି କିମ୍ବା ଉଦ୍ୟାନ ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ । ଚାଷୀମାନେ ଚାହିଁ ଲେ ବି ସୁଉଚ୍ଚ ଗଛରେ ଏହାର ମୁକାବିଲା କରିପାରୁ ନାହାନ୍ତି । କେଉଁ ଔଷଧ ପକାଇବେ ତାହା ବି ଜାଣିପାରୁ ନାହାନ୍ତି ।

ତେବେ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଉପଦ୍ରବ କରୁଥିବା ଏହି କବକ ପ୍ରଜାତିର କୀଟଙ୍କୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ନଡିଆ, କଦଳୀ ଓ ଆମ୍ବ ଫଳି ଫସଲ ସହ ପନିପରିବାକୁ ମଧ୍ୟ ଏମାନେ ପୂରା ମାତ୍ରାରେ ଉଜାଡିଦେବେ । ତେଣୁ କୃଷି ଓ ଉଦ୍ୟାଗ ବିଭାଗ ଏହାର ଅନୁଧ୍ୟାନ ସହିତ ପ୍ରତିକାର ପାଇଁ ଚାଷୀମାନେ ଦାବି କରୁଛନ୍ତି । (ତଥ୍ୟ)