Home Election ୩ଲକ୍ଷ ଟପି ଯିବେ ପଞ୍ଚାୟତ ପ୍ରାର୍ଥୀ

୩ଲକ୍ଷ ଟପି ଯିବେ ପଞ୍ଚାୟତ ପ୍ରାର୍ଥୀ

ଭୁବନେଶ୍ୱର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡିଶାରେ ପ୍ରାର୍ଥୀଙ୍କ ସଂଖ୍ୟା ୩ଲକ୍ଷ ଟପିଯାଇ ପାରେ । ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ତିନି ଦିନରେ ଯେତେ ସଂଖ୍ୟକ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ଶେଷ ଦୁଇ ଦିନରେ ଏହା ବହୁଗୁଣିତ ହେବବୋଲି ଆଶଙ୍କା କରାଯାଉଛି ।

ଏବେ ୩୦ଟି ଯାକ ଜିଲ୍ଲାରେ ପୂରା ଦମ୍‍ରେ ପ୍ରାର୍ଥୀପତ୍ର ଦାଖଲ ସହ ନିର୍ବାଚନ ଆଚରଣବିଧିର ଖୋଲା ଉଲ୍ଲଙ୍ଘନ କରାଯାଇ ଅନେକ ପ୍ରାର୍ଥୀ ବଡ ଧରଣର ଶୋଭାଯାତ୍ରାରେ ଆସୁଛନ୍ତି । ଏମାନେ କୋଭିଡ କଟକଣା ମଧ୍ୟ ମାନୁନାହାନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରୁ ଏଭଳି ଅବସ୍ଥା ଦେଖାଯାଉଥିବାବେଳେ ମତଦାନ ପୂର୍ବରୁ ପ୍ରଚାର ଶେଷହେବା ବେଳକୁ ସରଗରମ ବାତାବରଣରେ କିଏ କେତେ କଟକଣା ଉଲ୍ଲଙ୍ଘନ କରିବ ଓ କାହା ବିରୁଦ୍ଧରେ ସ୍ଥାନୀୟ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେଥିଘେନି ଅପେକ୍ଷା ।

ସମଗ୍ର ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ର୍ନିବାଚନ ପାଇଁ ମୋଟ୍‍ ୧,୦୬,୩୪୫ଟି ନିର୍ବାଚନମଣ୍ଡଳୀ ରହିଛି । ଏଥି ମଧ୍ୟରୁ ୯୧,୯୧୩ଟି ୱାର୍ଡ ମେମ୍ବରଙ୍କ ନିର୍ବାଚନମଣ୍ଡଳୀ ହୋଇଥିବାବେଳେ ୬୭୯୪ଟି ସରପଞ୍ଚ ଓ ୬୭୯୪ଟି ସମିତିସଭ୍ୟଙ୍କ ନିର୍ବାଚନମଣ୍ଡଳୀ ରହିଛି । ଏହି ତିନିଟି ପଦବୀ ପାଇଁ ଆଇନାନୁଯାୟୀ ବିନା ଦଳୀୟ ଚିହ୍ନରେ ଅଣରାଜନୈତିକ ଭିତ୍ତିରେ ର୍ନିବାଚନ ଲଢାଯିବା କଥା ।

କିନ୍ତୁ ସଂଖ୍ୟାଧିକ ସ୍ଥଳରେ ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଦସ୍ୟ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରା ଠାରୁ ଆରମ୍ଭ କରି ନିଜ ନିଜର ପ୍ରଚାର ସାମଗ୍ରୀରେ ଦଳୀୟ ଚିହ୍ନ ଓ ନେତାମାନଙ୍କ ଫଟୋଚିତ୍ର ବ୍ୟବହାର କରୁଛନ୍ତି । ତେବେ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ସଦସ୍ୟ ର୍ନିବାଚନମଣ୍ଡଳୀରେ ସମ୍ପୃକ୍ତ ଦଳର ପ୍ରାର୍ଥୀ ଦଳୀୟ ଟିକଟ ଆଧାରରେ ନିଜ ନିଜ ଦଳର ନିର୍ବାଚନ ଚିହ୍ନରେ ଏବଂ ଅନ୍ୟମାନେ ନିର୍ଦ୍ଦଳୀୟ ପ୍ରାର୍ଥୀଭାବେ ନିର୍ବାଚନ ଲଢିପାରିବେ ।

ଆସନ୍ତା ୨୧ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବ । ଏହାପରେ ପ୍ରାର୍ଥୀପତ୍ର ଯାଞ୍ଚ ସହିତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ ପାଇଁ ସମୟ ନିର୍ଘଣ୍ଟ ଜାରି ହୋଇଛି । ଏହାପରେ ୫ଟି ପର୍ଯ୍ୟାୟରେ ସମଗ୍ର ରାଜ୍ୟରେ ପଞ୍ଚାୟତ ର୍ନିବାଚନ ଆସନ୍ତା ଫେବୃୟାରୀ ମାସରେ ଅନୁଷ୍ଠିତ ହେବ । ମୋଟାମୋଟି ଭାବେ ପାଖାପାଖି ୨,୭୯,୩୫,୫୨୦ ଜଣ ମତଦାତା ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନରେ ଭୋଟଦାନ କରିପାରିବେ ।

ରାଜ୍ୟରେ ଗଣତନ୍ତ୍ରର ଏହି ସର୍ବବୃହତ୍‍ ଗଣପର୍ବ ପାଇଁ ବିଭିନ୍ନ ଦଳ ନିଜ ନିଜର ଦବଦବା ଜାହିର କରିବାଲାଗି ପ୍ରାର୍ଥୀ ଚୟନରେ ବ୍ୟସ୍ତ ଥିବାବେଳେ ଆଉ କେତେକ ସ୍ଥଳରେ ଅଣରାଜୈନତିକ ଭିତ୍ତିରେ ଯେଉଁ ସବୁ ପଦବୀଗୁଡିକ ପାଇଁ ନିର୍ବାଚନ ହେଉଛି ସେଗୁଡିକ ପାଇଁ ବି ବେସରକାରୀ ଭାବେ ପ୍ରାର୍ଥୀତ୍ୱ ଦଳର ସ୍ଥାନୀୟ ନେତାମାନେ ଘୋଷଣା କରୁଛନ୍ତି ।

ଇତି ମଧ୍ୟରେ କେଉଁଠି ସରପଞ୍ଚ, ୱାର୍ଡମେମ୍ବର ଆଦି ପଦବୀ ର୍ନିଦ୍ୱନ୍ଦରେ ବାଛିବାଲାଗି ନିଲାମ ଡକାଯାଉଛି ତ ଆଉ କେଉଁଠି ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ଦବାଇ ଦେବାଲାଗି ଧମଚ ଚମକ ସହ ମାଡ ମରାଯାଉଥିବା ଘେନି ବି ବିଭିନ୍ନ ଅଞ୍ଚଳରୁ ଅଭିଯୋଗମାନ ଆସୁଛି ।

ତିନି ଲକ୍ଷରୁ ଅଧିକ ସଂଖ୍ୟକ ପ୍ରାର୍ଥୀ ର୍ନିବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଯାଉଥିବାବେଳେ ସବୁ ପ୍ରାର୍ଥୀଙ୍କୁ ଜଗିବା ଏବଂ ଗାଁରୁ ଜିଲ୍ଲା ଓ ରାଜ୍ୟ ପର୍ଯ୍ୟନ୍ତ ଆଚରଣବିଧି ଉଲ୍ଲଙ୍ଘନକୁ ଅଟକାଇବା ପୁଲିସ୍‍, ପ୍ରଶାସନ ଏବଂ ରାଜ୍ୟ ର୍ନିବାଚନ କମିଶନଙ୍କ ପାଇଁ ଏକ ବଡ ଆହ୍ୱାନଭାବେ ଉଭା ହୋଇଛି । (ତଥ୍ୟ)