Home News in Odia ନଇଁଲେ କେନ୍ଦ୍ର ସରକାର

ନଇଁଲେ କେନ୍ଦ୍ର ସରକାର

ଭୁବନେଶ୍ୱର : କୃଷକ ଆନ୍ଦୋଳନ ଆଗରେ କେନ୍ଦ୍ର ସରକାର ନଇଁଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଲାଗୁ ହୋଇଥିବା ତିନି କୃଷି ଆଇନ୍‍ ପ୍ରତ୍ୟାହାର ପାଇଁ ସୂଚନା ଦେବା ସହିତ ଚଳିତ ମାସରେ ବସିବାକୁ ଯାଉଥିବା ସଂସଦ ଅଧିବେଶନରେ ଏହା ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କହିଛନ୍ତି ।

ଏହି ଘୋଷଣା ସହିତ ଆନ୍ଦୋଳନରତ କୃଷକମାନେ ଘରକୁ ଫେରିବାପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକମାନଙ୍କ କଲ୍ୟାଣ ପାଇଁ ତିନିଟି କୃଷି ଆଇନ୍‍ ଆଣିଥିଲୁ । ହେଲେ ଏହା ବିରୁଦ୍ଧରେ କିଛି ଗୋଷ୍ଠି ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ତିନି ଆଇନ୍‍ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ୮୦ଭାଗ ଲୋକ କୃଷି ସହିତ ଜଡିତ । ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସରକାର ପ୍ରାକୃତିକ କୃଷିକୁ ବଢାଇବା, କୃଷି ଢାଞ୍ଚାକୁ ବୈଜ୍ଞାନିକ ପଦ୍ଧିତିରେ ବଦଳାଇବା ସହିତ ଏମ୍‍ଏସ୍‍ପିକୁ ଅଧିକ ପାରଦର୍ଶିତା କରିବାପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିବେ । ଏହି କମିଟିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି, ଚାଷୀ, କୃଷି ବୈଜ୍ଞାନିକ, କୃଷି ଅର୍ଥଶାସ୍ତ୍ରୀ ଆଦି ରହିବେ ।

କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ସବୁବେଳେ କାର୍ଯ୍ୟ କରୁଛନ୍ତି ଏବଂ ଏହା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଆନ୍ଦୋଳନରତ କୃଷକ ସଂଗଠନମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ମଧ୍ୟ ସଂସଦରେ କୃଷି ଆଇନ୍‍ ପ୍ରତ୍ୟାହାର ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।