Home Energy ସ୍ଥାୟୀ ଶକ୍ତି ଭିତ୍ତିଭୂମି ପାଇଁ କେନ୍ଦ୍ରକୁ ଅନୁରୋଧ

ସ୍ଥାୟୀ ଶକ୍ତି ଭିତ୍ତିଭୂମି ପାଇଁ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ୱର : ବିଶ୍ୱ ତାପମାନ ବୃଦ୍ଧି ଦ୍ୱାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସ୍ଥାୟୀ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ବାତ୍ୟା ଏବଂ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡିଶା ଅସୁରକ୍ଷିତ ଥିବାବେଳେ ଗ୍ଲୋବାଲ ୱାର୍ମିଂ ହେତୁ ଏହାର ପ୍ରକୋପ ବଢୁଛି ଏବଂ ଏଥିପାଇଁ ଓଡିଶା ବହୁ କ୍ଷତି ସହୁଛି । ବିପର୍ଯ୍ୟୟର ସଫଳ ପରିଚାଳାନାରେ ଓଡିଶାର ନିରନ୍ତର ପ୍ରୟାସ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଏବଂ ଜୀବିକା ରକ୍ଷା କରିପାର ବିଶ୍ୱ ମାନ୍ୟତା ହାସଲ କରିଛି । ତଥାପି, ସାର୍ବଜନୀନ ଭିତ୍ତିଭୂମି, ବିଶେଷ କରି ଶକ୍ତି ଭିତ୍ତିଭୂମିରେ ହୋଇଥିବା କ୍ଷୟ କ୍ଷତିକୁ ହ୍ରାସ କରିବା ପାଇଁ ଏକ ବୃହତ ଯୋଜନା ଆବଶ୍ୟକ ଯାହାକି କେବଳ କେନ୍ଦ୍ର ସରକାରଙ୍କ ସାହାଯ୍ୟରେ କରାଯାଇ ପାରିବ ।

ନିକଟରେ ଭିତ୍ତିଭୂମି, ପୁଞ୍ଜି ବିନିଯୋଗ ଏବଂ ଅଭିବୃଦ୍ଧି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିବାବେଳେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ସ୍ମାରକପତ୍ର ଉପସ୍ଥାପନ କରି ଭିତ୍ତିଭୂମି, ପୁଞ୍ଜି ବିନିଯୋଗ ଏବଂ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ ଓଡିଶା ସରକାର ସ୍ୱତନ୍ତ୍ର କେନ୍ଦ୍ରୀୟ ଯୋଜନା ପାଇଁ ଅନୁରୋଧ କରିଛନ୍ତି ।

ତଦନୁଯାୟୀ, ବିପର୍ଯ୍ୟୟ ମୁକାବିଲା ପାଇଁ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଯୋଜନା ଆରମ୍ଭ କରିବାକୁ ରାଜ୍ୟ ସରକାର ଶକ୍ତି ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ଏବ ପ୍ରଧାନମନ୍ତ୍ରୀ ଉପକୂଳ ଓଡିଶାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ପରିଦର୍ଶନରେ ଆସିଥିବାବଳେ ତାଙ୍କ ସମ୍ମୁଖରେ ଦୁଇ ଦୁଇ ଥର ଏହି ପ୍ରସଙ୍ଗ ଉଠାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଭଳି ଓଡ଼ିଶାର ଚିନ୍ତାକୁ ଅନୁଭବ କରିଛନ୍ତି, ଏକ ଉପକୂଳବର୍ତ୍ତୀ ରାଜ୍ୟ ବାତ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏହାର ଶକ୍ତି ଭିତ୍ତିଭୂମି ନଷ୍ଟ ହୋଇଯାଇଛି । ୨୦୧୪ ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଶ୍ରୀ ମୋଦୀ ଦୀର୍ଘ ସମୟ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ।

ସେହିଭଳି ୨୦୩୦ ସୁଦ୍ଧା ଦେଶରେ ୫୦୦ ଗିଗା ୱାଟର ଅଣପାରମ୍ପରିକ ଶକ୍ତି ବିକାଶ କରିବାକୁ ଭାରତ ଲକ୍ଷ୍ୟ ରଖିଛି, ତେଣୁ ଗ୍ରୀଡ୍ ସ୍ଥିରତା ପାଇଁ ପମ୍ପ ଷ୍ଟୋରେଜ୍ ହାଇଡ୍ରୋ ପ୍ରକଳ୍ପ (ପିଏସ୍‍ପି) ଜରୁରୀ ହୋଇପଡିଛି । ଏଗୁଡ଼ିକ ହେଉଛି ଦ୍ରୁତ ପୁଞ୍ଜି ବିନିଯୋଗକାରୀ ପ୍ରକଳ୍ପ; ଏହି ପ୍ରକଳ୍ପଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ କାର୍ଯ୍ୟକ୍ଷମ କରିବା ପାଇଁ ଭାରତ ସରକାରଙ୍କ ସମର୍ଥନ ଆବଶ୍ୟକ ବୋଲି ଜଣେ ବରିଷ୍ଠ ଅଧିକାରୀ ଦର୍ଶାଇଛନ୍ତି ।

କେନ୍ଦ୍ର ସରକାର ରାଜ୍ୟର କୋଇଲା ଖଣିରୁ ସେସ୍ ସଂଗ୍ରହ କରୁଥିବାବେଳେ ଆଦାୟ ସେସ୍‍ରୁ ୫୦ ପ୍ରତିଶତ କୋଇଲା ଉତ୍ତୋଳନ ଯୋଗେ ପରିବେଶ ପ୍ରଦୂଷଣର ସମ୍ମୁଖୀନ ହେଉଥିବା ଓଡିଶାକୁ ଦେବା ଆବଶ୍ୟକ । ତେଣୁ ପମ୍ପ ଷ୍ଟୋରେଜ୍ ପ୍ରୋଜେକ୍ଟ ଏବଂ ଅନ୍ୟାନ୍ୟ ପାରମ୍ପରିକ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଓଡିଶାରେ କୋଇଲା ଉପରୁ ୫୦ ପ୍ରତିଶତ ସେସ୍‍ ଆଦାୟ ପାଇଁ ଅଧିକାରୀମାନେ ମତ ଦେଉଛନ୍ତି । ବିତରଣ କ୍ଷେତ୍ରର ପୁନରୁଦ୍ଧାର ଯୋଜନା ଅଧୀନରେ ଯୋଗ୍ୟତା ହାସଲ ପାଇଁ ଓଡ଼ିଶା କଥା ବିଚାରକୁ ନେବାପାଇଁ ଶକ୍ତି ମନ୍ତ୍ରଣାଳୟକୁ ମଧ୍ୟ ଅନୁରୋଧ କରାଯାଇଛି । ଘରୋଇକରଣ ହୋଇଥିବା ଓଡ଼ିଶାର ବିଦ୍ୟୁତ୍‍ ବିତରଣ କମ୍ପାନୀଗୁଡିକ ମଧ୍ୟ ବଣ୍ଟନ ନେଟୱାର୍କକୁ ମଜବୁତ କରିବା ଏବଂ ଗ୍ରାହକଙ୍କୁ ର୍ନିଭରଯୋଗ୍ୟ ଶକ୍ତି ଯୋଗାଇବା ପାଇଁ ସରକାରଙ୍କ ଆର୍ଥିକ ସହାୟତା ଆବଶ୍ୟକ କରୁଛନ୍ତି ।

ଅଧିକାରୀମାନେ ଅନୁଭବ କରନ୍ତି ଯେ ବ୍ୟବସ୍ଥାକୁ ସୁଦୃଢ କରିବାର ସମ୍ପୂର୍ଣ୍ଣ ଭାର ସିଧାସଳଖ ଅଧିକ ଶୁଳ୍କ ଆକାରରେ ଗ୍ରାହକଙ୍କ ଉପରେ ପଡ଼ିବ । ନିକଟରେ ଆରମ୍ଭ ହୋଇଥିବା ଆରଡିଏସ୍‌ଏସ୍ ଯୋଜନା ଅଧୀନରେ ସହାୟତା ପାଇଁ ବିତରଣ କମ୍ପାନୀଗୁଡିକ ଅଯୋଗ୍ୟ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ଦର୍ଶାଇଛନ୍ତି । ତଦନୁଯାୟୀ ଆରଡିଏସଏସ ଅଧୀନରେ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶାର ପ୍ରସ୍ତାବ ଉପରେ ବିଚାର କରିବାକୁ ଶକ୍ତି ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି । (ତଥ୍ୟ)