Home News in Odia ଦେବାଶିଷ ପାଣିଗ୍ରାହୀଙ୍କ ନାମରେ ଭିଜିଲାନ୍ସ୍ ଏକାଡେମୀ ଅଡିଟୋରିଅମ

ଦେବାଶିଷ ପାଣିଗ୍ରାହୀଙ୍କ ନାମରେ ଭିଜିଲାନ୍ସ୍ ଏକାଡେମୀ ଅଡିଟୋରିଅମ

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ଥିବା ମୁଖ୍ୟ ଭିଜିଲାନ୍ସ୍ ଅଧିକାରୀମାନଙ୍କର ସମ୍ମେଳନ ଆଜି ରାଜ୍ୟ ଭିଜିଲାନ୍ସ୍ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏକାଡେମୀର ପ୍ରେକ୍ଷାଳୟ (ଅଡିଟୋରିଅମ୍)କୁ ପୂର୍ବତନ ଭିଜିଲାନ୍ସ୍ ଡାଇରେକ୍ଟର ସ୍ୱର୍ଗତଃ ଦେବାଶିଷ୍ ପାଣିଗ୍ରାହୀଙ୍କ ନାମରେ ନାମିତ କରିବା ସହ ସମ୍ମେଳନର ଉଦ୍ଘାଟନ କରିଥିଲେ ।

ପରେ ପରେ ମୁଖ୍ୟ ଶାସନ ସଚିବ ସ୍ୱର୍ଗତଃ ପାଣିଗ୍ରାହୀଙ୍କର ଉକୃଷ୍ଟସେବା ପାଇଁ ସମ୍ମାନପତ୍ର ଓ ସ୍ମାରକୀ ପ୍ରଦାନ କରିଥିଲେ । ସ୍ୱର୍ଗତଃ ପାଣିଗ୍ରାହୀଙ୍କ ପତ୍ନୀ ଶ୍ରୀମତୀ ଝୁମ୍କୀ ରଥ (ପାଣିଗ୍ରାହୀ) ଏହି ମାନପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଡଃ ପାଣିଗ୍ରାହୀ ସ୍ୱକୀୟ ଉତ୍କୃଷ୍ଟମାନର ବୃତ୍ତିଗତ କୌଶଳ ଯୋଗୁ ରାଜ୍ୟ ଭିଜିଲାନ୍ସ୍କୁ ଏକ ଉଚ୍ଚତର ସୋପାନକୁ ନେଇ ପାରିଥିଲେ । ଏକାଡେମୀର ପ୍ରେକ୍ଷାଳୟ ତାଙ୍କ ନାମରେ ନାମିତ ହେବା ଏକ ସମୁଚିତ ପଦକ୍ଷେପ ।

ମୁଖ୍ୟ ଭିଜିଲାନ୍ସ୍ ଅଧିକାରୀମାନଙ୍କୁ ସମ୍ବୋଧି୍ତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଦୁର୍ନୀତି ନିରାକରଣ ରେ ଭିଜିଲାନ୍ସ୍ ଅଧିକାରୀମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ଉଭୟ ଦଣ୍ଡାତ୍ମକ ଏବଂ ପ୍ରତିରୋଧାତ୍ମକ ପଦ୍ଧତି ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ସ୍ୱଚ୍ଛ ଏବଂ ତ୍ୱରିତ ସେବା ପ୍ରଦାନ ତଥା ଯୋଜନା କାର୍ଯ୍ୟାନ୍ୱୟନ ଉପରେ ସର୍ବଦା ଗୁରୁତ୍ୱ ଆରୋପ କରିଆସିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ମୋ ସରକାର ବ୍ୟବସ୍ଥା  ଦୁର୍ନୀତି ନିରାକରଣ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ଏହି ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ବରିଷ୍ଠ ଅଧିକାରୀ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କ ଠାରୁ ସରକାରୀ କାର୍ଯ୍ୟାଳୟରେ ସେବା ପ୍ରଦାନ ଏବଂ ସରକାରୀ ଅଧିକାରୀମାନଙ୍କ ବ୍ୟବହାର ଓ କାର୍ଯ୍ୟକଳାପ ବିଷୟରେ ସିଧାସଳଖ ମତାମତ ସଂଗ୍ରହ କରୁଛନ୍ତି । ଏହାଛଡ଼ା ୫୦ ବର୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ମାପିବା ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ମାନକ ସ୍ଥିର କରାଯାଇଛି ।  ଏହି ପ୍ରକ୍ରିୟାରେ ପ୍ରାୟ ୧୩୦ ରୁ ଉର୍ଦ୍ଧ୍ୱ ଅଧିକାରୀ ଏବଂ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପୋଲିସ୍ ମହା ନିର୍ଦ୍ଦେଶକ ଡଃ ଅଭୟ କୁମାର କହିଥିଲେ ଯେ ସ୍ୱର୍ଗତଃ ଦେବାଶିଷ ପାଣିଗ୍ରାହୀ ଉଭୟ ବୃତ୍ତିଗତ ଏବଂ ସୃଜନାତ୍ମକ କ୍ଷେତ୍ରରେ ଏକ ଉଚ୍ଚକୋଟିର ବ୍ୟକ୍ତିତ୍ୱ ଥିଲେ । ପୋଲିସ୍ ବିଭାଗରେ ତାଙ୍କୁ ସମସ୍ତେ ଏକ ସୁଦକ୍ଷ ଅଧିକାରୀଭାବେ ଜାଣିଥିଲେ । ତାଙ୍କର ସୃଜନାତ୍ମକ ପ୍ରତିଭାହେତୁ ତାଙ୍କୁ ସାହିତ୍ୟ ଏକାଡେମୀ ସମ୍ମାନରେ ବିଭୁଷିତ କରାଯାଇଥିଲା । ଭିଜିଲାନ୍ସ୍ ନିର୍ଦ୍ଦେଶକ ୟେଶ୍ୱନ୍ତ ଜେଠୱା ଏବଂ ଆଇ.ଜି. ଶ୍ରୀ ଅସୀତ ପାଣିଗ୍ରାହୀ ଯଥାକ୍ରମେ ଉଦ୍ଘାଟନୀ ପର୍ଯ୍ୟାୟରେ ସ୍ୱାଗତ ସମ୍ଭାଷଣ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏହି ସମ୍ମେଳନଟି ସମୁଦାୟ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ପର୍ଯ୍ୟାୟ ପରେ ପରେ ବିଶେଷଜ୍ଞମାନେ ‘ପରବର୍ତ୍ତିତ ସମୟରେ ମୁଖ୍ୟ ଭିଜିଲାନ୍ସ୍ ସେବାର ରୂପରେଖ’, ‘ସତର୍କତା ହୁଇସିଲ-ବାଦନ ସଂସ୍କୃତିର ପ୍ରସାରରେ ଭିଜିଲାନ୍ସ୍ ଅଧିକାରୀମାନଙ୍କ ଭୁମିକା’ ଏବଂ ‘ଦୁର୍ନୀତି ନିବାରଣରେ ଆଧୂନିକ ସୂଚନା-ପ୍ରଯୁକ୍ତିବିଦ୍ୟା ବୈଷୟିକ କୌଶଳ ପ୍ରଯୋଗ’ ଆଦି ବିଷୟରେ ତାଲିମ୍ ଓ ଅନୁପ୍ରେରଣା ଦେଇଥିଲେ । ଶେଷ ପର୍ଯ୍ୟାୟରେ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀ ଏବଂ କନିଷ୍ଠ ଓ ନୂଆ ଭିଜିଲାନ୍ସ୍ ଅଧିକାରୀମାନଙ୍କ ମଧ୍ୟରେ ଅଭିଜ୍ଞତା ଆଦାନ ପ୍ରଦାନ ହୋଇଥିଲା । ୪୧ ଟି ସରକାରୀ ବିଭାଗ, ୮୫ ଟି ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ୩୩ ଟି ସାଧାରଣ ଉଦ୍ୟୋଗରେ କାର୍ଯ୍ୟକରୁଥିବା ମୁଖ୍ୟ ଭିଜିଲାନ୍ସ୍ ଅଧିକାରୀଙ୍କ ସହ ଭିଜିଲାନ୍ସ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସମ୍ମେଳନରେ ଅଂଶ ଗ୍ରହଣ କରିଥିଲେ  ।