Home Education ଦୁର୍ଘଟଣା ରୋକିବାକୁ ପ୍ରଶିକ୍ଷଣ ଦେବ ଏନଏସଏସ୍‍

ଦୁର୍ଘଟଣା ରୋକିବାକୁ ପ୍ରଶିକ୍ଷଣ ଦେବ ଏନଏସଏସ୍‍

ଭୁବନେଶ୍ୱର : ସମାଜ ସେବା ସହିତ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ନିମନ୍ତେ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ସଂଯୋଜକ ଏବଂ ଜିଲ୍ଲା ପ୍ରୋଗ୍ରାମ୍ ଅଫିସର ମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ସ୍ୱେଚ୍ଛାସେବୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସହଯୋଗ କରିବା ନେଇ ମତ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ । ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏନ୍‌ଏସ୍‌ଏସ୍‌ର ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କର ରାଜ୍ୟସ୍ତରୀୟ ବୈଠକ ଅବସରରେ ଯୋଗ ଦେଇ ଶ୍ରୀ ସେଠୀ ଏହା କହିଛନ୍ତି ।

ଓଡ଼ିଶା ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ସମ୍ମୁଖୀନ ହେଉଥିବାରୁ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଲୋକଙ୍କ ଜୀବନ ଓ ସମ୍ପତିକୁ ସୁରକ୍ଷା କରିବା ନିମନ୍ତେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସହଯୋଗ କରିବା ଉଚିତ୍ ବୋଲି ସେ କହିଥିଲେ ।

ଏହି ଅବସରରେ ଏନ୍‌ଏସ୍‌ଏସ୍‌ର ସର୍ବଭାରତୀୟ ନିର୍ଦ୍ଦେଶକ ଶ୍ରୀ ପଙ୍କଜ କୁମାର ସିଂହ କହିଥିଲେ ଯେ ଅନୁଷ୍ଠାନର ଲକ୍ଷ୍ୟ ହେଉଛି “ମୁଁ ନୁହେଁ ମାତ୍ର ଆପଣ” । ବର୍ତମାନ ପରିସ୍ଥିତିରେ ଯେତେବେଳେ ସମାଜର ସେବା ବଦଳରେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ୱ ଦିଆଯାଉଛି ସେତେବେଳେ ଏନ୍‌ଏସ୍‌ଏସ୍‌ର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ । ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ଏନ୍‌ଏସଏସ୍‌ର ସ୍ଥାପନା ସମୟରେ ଜଣେ ଭଲ୍ୟୁଂଟର ଭାବେ ନିଜର ଅନୁଭୂତି କହିଥିଲେ । ସୋଆର ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ୍ କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଜାତୀୟ ସ୍ତରୀୟ ଏନ୍‌ଏସ୍‌ଏସ୍ ଆୱାର୍ଡ ପାଇବା ନିମନ୍ତେ ମନୋନୀତ ହୋଇଥିବା ଶ୍ରୀ ପ୍ରତୀକ ଦାସ ସମେତ ଜଣ ସ୍ୱେଚ୍ଛାସେବୀ ଓ ଜଣେ ପ୍ରୋଗ୍ରାମ ଅଫିସରଙ୍କୁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଏନ୍‌ଏସ୍‌ଏସ୍‌ର କୋର୍ଡିନେଟର ଏବଂ ପ୍ରୋଗ୍ରାମ ଅଫିସରମାନେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ସୋଆରେ ଆୟୋଜିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥିମାନେ ପରିଦର୍ଶନ କରିଥିଲେ ।